ସେମିରେ ଓଡ଼ିଶା ପୁଲିସ: ସର୍ବଭାରତୀୟ ଭଂଜ ଟ୍ରଫି ଫୁଟ୍‌ବଲ୍‌

ଭଂଜନଗର: କବି ସମ୍ରାଟ ପଡ଼ିଆରେ ଚାଲିଥିବା ସର୍ବଭାରତୀୟ ଭଂଜ ଟ୍ରଫି ଫୁଟ୍‌ବଲ୍‌ ପ୍ରତିଯୋଗିତାର ଦ୍ୱିତୀୟ ପର୍ଯ୍ୟାୟ ଶେଷ ଲିଗ୍‌ ମ୍ୟାଚ୍‌ରେ ଓଡ଼ିଶା ପୁଲିସ (କଟକ) ୪-୨ ଗୋଲ୍‌ରେ କୋଲକାତାର ଖୁଦିରାମ ନଗର ସୁବାସ କର୍ନର ଦଳକୁ ହରାଇ ସେମି ଫାଇନାଲ ପ୍ରବେଶ କରିଛି। ମ୍ୟାଚ୍‌ର ଷଷ୍ଠ ମିନିଟରେ ଅଧିନାୟକ ଅଭିମନ୍ୟୁ ପାଣ୍ଡେ ପେନାଲ୍‌ଟିରୁ ପ୍ରଥମ ଗୋଲ୍‌ କରି ପୁଲିସ ଦଳକୁ ଆଗୁଆ କରିଥିଲେ। ତେବେ ଅଷ୍ଟମ ମିିନିଟରେ ନାଇଜେରିୟ ତାରକା ସୋସ୍‌ଙ୍କ ଚିତ୍ତାକର୍ଷକ ଗୋଲ୍‌ କୋଲ୍‌କାତା ଦଳ ପାଇଁ ସ୍ଥିତି ସମାନ କରିଥିଲେ। ପ୍ରଥମାର୍ଧ ୧-୧ରେ ଶେଷ ହେବା ପରେ ଦ୍ୱିତୀୟାର୍ଧରେ ପୁଲିସ ଦଳ ପକ୍ଷରୁ ୪୯ ମିନିଟରେ ଗୋବିନ୍ଦ ସେନାପତି, ୬୩ ମିନିଟରେ ପ୍ରମୋଦ କୁମାର ଦାସ ଗୋଟିଏ ଲେଖାଏଁ ଗୋଲ୍‌ କରି ସ୍ଥିତି ୩-୧ରେ ପହଞ୍ଚାଇଥିଲେ। ୬୬ ମିନିଟରେ କୋଲକାତା ଦଳର ବରୁଣ ହାଂସଦା ଗୋଲ୍‌ କରି ବ୍ୟବଧାନ ୨-୩ କରିଥିଲେ। ତେବେ ପୁଲିସ ଦଳ ୮୨ ମିନିଟ୍‌ରେ ପାଇଥିବା ପେନାଲଟିରୁ ଅଧିନାୟକ ଅଭିମନ୍ୟୁ ପାଣ୍ଡେ ଗୋଲ୍‌ କରି ଦଳକୁ ସହଜ ବିଜୟ ଭେଟି ଦେଇଥିଲେ। ପୁଲିସ ଦଳର ଅଭିମନ୍ୟୁ ପାଣ୍ଡେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏହି ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବେ ଭଂଜନଗର ଉପଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ ଓ ସମ୍ମାନିତ ଅତିଥି ଭାବେ ସହକାରୀ ଜିଲ୍ଲାପାଳ ପ୍ରମୋଦ କୁମାର ଦଳବେହେରା, ପୌରନିର୍ବାହୀ ଅଧିକାରୀ ଲକ୍ଷ୍ମଣ ଚରଣ ସୋରେନ୍‌, ଫୁଲବାଣୀ ଫୁଟବଲ ସଂଘର ଅଧ୍ୟକ୍ଷ ହୃଦୟ ରଂଜନ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଶୁକ୍ରବାର ହାଇଦ୍ରବାଦ ଆର୍ମି ଫୁଟ୍‌ବଲ କ୍ଲବ୍‌ ଓ ଓଡ଼ିଶା ପୁଲିସ ମଧ୍ୟରେ ସେମିଫାଇନାଲ୍‌ ଖେଳାଯିବ।

ସମ୍ବନ୍ଧିତ ଖବର