କିଟ୍‌ରେ ଓଡ଼ିଶା ରଣଜୀ ଦଳର ଅଭ୍ୟାସ

ଆଜି ଆସିବ ମୁମ୍ବାଇ, ରାହାଣେ ସାମିଲ

ଭୁବନେଶ୍ୱର: ଓଡ଼ିଶା ଓ ମୁମ୍ବାଇ ମଧ୍ୟରେ ଚତୁର୍ଥ ରାଉଣ୍ଡ୍‌ ରଣଜୀ ଟ୍ରଫି ମୁକାବିଲା ବୁଧବାରଠାରୁ କିଟ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯିବ। ଗତ ରାଉଣ୍ଡ୍‌ରେ ଓଡ଼ିଶା ବିଜୟନଗରମ୍‌ରେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ଏବଂ ମୁମ୍ବାଇର ବାନ୍ଦ୍ରା କୁର୍ଲାରେ ତାମିଲନାଡୁ ବିପକ୍ଷରେ ମୁମ୍ବାଇ ସମାନ ସ୍ଥିତିରେ ପ୍ରଥମ ପାଳି ପଛୁଆ ରହି ଏକ ପଏଣ୍ଟ୍‌ ଲେଖାଏଁ ପାଇଥିଲେ। ଉଭୟ ଦଳ ୨ ଲେଖାଏଁ ମ୍ୟାଚ୍‌ ଖେଳି ଥିବାବେଳେ ପଏଣ୍ଟ ଟେବୁଲ୍‌ରେ ମୁମ୍ବାଇ (୪ ପଏଣ୍ଟ୍‌) ଏବଂ ଓଡ଼ିଶା (୨) ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି। ତାରକା ଖଚିତ ମୁମ୍ବାଇ ବିପକ୍ଷ ମୁକାବିଲା ଓଡ଼ିଶା ଦଳ ପାଇଁ ଅଗ୍ନୀପରୀକ୍ଷା ଭଳି ହେବ। ଆଦିତ୍ୟ ତାରେଙ୍କ ନେତୃତ୍ୱାଧୀନ ମୁମ୍ବାଇ ଦଳରେ ଭାରତୀୟ ଖେଳାଳି ଅଜିଙ୍କ୍ୟ ରାହାଣେ ଏବଂ ଧବଲ କୁଲକର୍ଣ୍ଣି ସାମିଲ ରହିଛନ୍ତି। ଅଜିଙ୍କ୍ୟ ରାହାଣେଙ୍କ ପ୍ରତ୍ୟାବର୍ତନ ଦଳର ଶକ୍ତି ବଢ଼ାଇଥିବାରୁ ଓଡ଼ିଶା ଚିନ୍ତାରେ ପଡ଼ିଛି। ଯୁବ ତାରକା ଶ୍ରେୟସ ଆୟରଙ୍କୁ ଭାରତୀୟ ଟେ୍ଵଣ୍ଟି-୨୦ ଦଳରେ ସାମିଲ କରାଯାଇଥିବାରୁ ତାଙ୍କ ସେବାରୁ କିନ୍ତୁ ମୁମ୍ବାଇ ବଞ୍ଚିତ ହେବ। ଗତ ସପ୍ତାହରେ ତାମିଲନାଡୁ ବିପକ୍ଷରେ ଆୟର ବିସ୍ଫୋରକ (୧୩୪, ୧୨୮ ବଲ୍‌) ଶତକ ଜମାଇଥିଲେ। ଆହତ କାରଣରୁ ପ୍ରଥମ ୨ ମ୍ୟାଚ୍‌ରୁ ବଞ୍ଚିତ ଦ୍ରୁତ ବୋଲର ତୁଷାର ଦେଶପାଣ୍ଡେ ମଧ୍ୟ ମୁମ୍ବାଇ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ଦଳ ରବିବାରଠାରୁ କିଟ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଅଭ୍ୟାସ ଆରମ୍ଭ କରିଛି। ମୁମ୍ବାଇ ବିପକ୍ଷ ମ୍ୟାଚ୍‌ ପାଇଁ ଓଡ଼ିଶା ଦଳ ଘୋଷିତ ହୋଇନଥିଲେ ମଧ୍ୟ ଆହତ ବ୍ୟାଟସମ୍ୟାନ୍‌ ରଂଜିତ୍‌ ସିଂହଙ୍କୁ ପଡ଼ିଆରେ ଦେଖିବାକୁ ମିଳିଥିଲା। କିନ୍ତୁ ତାଙ୍କ ଗୋଇଠି ସ୍ଥିତି ପରଖିବା ଲାଗି ଫିଜିଓ ଡାକିଥିବା ସୂଚନା ମିଳିଛି। ସେହିଭଳି ଓଡ଼ିଶା-ମୁମ୍ବାଇ ମ୍ୟାଚ୍‌ କିଟ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ର ଦ୍ୱିତୀୟ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ହେବାକୁ ଯାଉଛି। ଗତବର୍ଷ ତାରକା ଖଚିତ ଗୌତମ ଗମ୍ଭୀରଙ୍କ ଦିଲ୍ଲୀ ବିପକ୍ଷରେ ଖେଳି ଓଡ଼ିଶା ଏହି ପଡ଼ିଆର ପ୍ରଥମ ମ୍ୟାଚ୍‌କୁ ଅମୀମାଂସିତ ରଖିଥିଲା।

ମୁମ୍ବାଇ ଦଳ: ଆଦିତ୍ୟ ତାରେ (ଅଧିନାୟକ), ସୂର୍ଯ୍ୟ କୁମାର ଯାଦବ (ଉପ ଅଧିନାୟକ), ଅଜିଙ୍କ୍ୟ ରାହାଣେ, ପୃଥ୍ଵୀ ସ’, ଶିଦେଶ ଲାଡ୍‌, ଅଭିଷେକ ନାୟାର, ବିଜୟ ଗୋହିଲ୍‌, ସୁଫିୟାଁ ସେଖ୍‌, ଅକାଶ ପାର୍‌କର, ଧବଲ କୁଲକର୍ଣ୍ଣି, ସାର୍ଦୁଲ ଠାକୁର, ଆଦିତ୍ୟ ଧୂମାଲ, ତୁଷାର ଦେଶପାଣ୍ଡେ, ରୟସ୍ତାନ ଡାଏସ୍‌, ଜୟ ବିସ୍ତା।

ଆସିଲେ ଅରବିନ୍ଦ, ପ୍ରୟାସ ସିଂହ 

କଟକ: ମୁମ୍ବାଇ ବିପକ୍ଷ ରଣଜୀ ମ୍ୟାଚ ପାଇଁ ଓଡ଼ିଶା ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଅବିନାଶ ଶାହା ଓ ଯୁବ ଅଫସ୍ପିନର ଶୁଭମ୍‌ ନାୟକଙ୍କ ସ୍ଥାନରେ ଅରବିନ୍ଦ ସିଂହ ଓ ନୂଆପଡ଼ାର ପ୍ରୟାସ ସିଂହ ଠାକୁର ଦଳରେ ସ୍ଥାନ ପାଇଛନ୍ତି। ଗତ ଆନ୍ଧ୍ରପ୍ରଦେଶ ବିପକ୍ଷ ମ୍ୟାଚ ବେଳେ ଅବିନାଶଙ୍କ ଗୋଡ଼ରେ ଆଘାତ ଲାଗିଥିବାରୁ ସେ ଖେଳିବା ପାଇଁ ଫିଟ୍‌ ହୋଇପାରିନାହାନ୍ତି। ଅନ୍ୟପକ୍ଷରେ ଶୁଭମ୍‌ଙ୍କୁ ପୁଣି ଥରେ ୨୩ବର୍ଷରୁ କମ୍‌ ଦଳକୁ ଫେରାଇ ଆଣିବାକୁ ଚୟନ ସମିତି ନିଷ୍ପତ୍ତି ନେଇଛି। ପୂର୍ବରୁ ୬ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିବା ଅରବିନ୍ଦ ଓ ନବାଗତ ପ୍ରୟାସ ସିଂହଙ୍କୁ ଏହି ମ୍ୟାଚ ପାଇଁ ସ୍ଥାନ ଦିଆଯାଇଛି। ପ୍ରୟାସ ପୂର୍ବରୁ ବରିଷ୍ଠ ଦଳର ଦିନିକିଆ ଓ ଟି-୨୦ ଦଳରେ ଖେଳିଥିଲେ।

ଓଡ଼ିଶା ଦଳ: ଗୋବିନ୍ଦ ପୋଦ୍ଦାର (ଅଧିନାୟକ), ସନ୍ଦୀପ ପଟ୍ଟନାୟକ, ନଟରାଜ ବେହେରା, ଶାନ୍ତନୁ ମିଶ୍ର, ଅରବିନ୍ଦ ସିଂହ, ଶୁଭ୍ରାଂଶୁ ସେନାପତି, ବିପ୍ଳବ ସାମନ୍ତରାୟ, ସୌରଭ ରାଓ୍ଵତ, ପ୍ରୟାସ ସିଂହ ଠାକୁର, ଧୀରାଜ ସିଂହ, ବସନ୍ତ ମହାନ୍ତି, ଆଲୋକ ସାହୁ, ଆଲୋକ ମଙ୍ଗରାଜ, ଦୀପକ ବେହେରା, ସୂର୍ଯ୍ୟକାନ୍ତ ପ୍ରଧାନ।

ସମ୍ବନ୍ଧିତ ଖବର