ଏ ଓଡ଼ିଶା ଦଳର ଭବିଷ୍ୟତ ଉଜ୍ଜ୍ବଳ: ରଶ୍ମି

:ଭୁବନେଶ୍ବର (ଇମିସ): ଗୁରୁବାର ରଣଜୀ ଟ୍ରଫି ପ୍ରତିଯୋଗିତାର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି। ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବ ନକ୍‌ଆଉଟ୍‌ ପର୍ଯ୍ୟାୟ। ଗ୍ରୁପ୍‌-ସି’ରେ ସ୍ଥାନ ପାଇଥିବା ଓଡ଼ିଶା ତାଲିକାରେ ଚତୁର୍ଥରେ ରହି ନକ୍‌ଆଉଟ୍‌ ଖେଳିବାରୁ ବଞ୍ଚିତ ହୋଇଥିଲା। ଚଳିତ ଋତୁରେ ଓଡ଼ିଶା ୯ ମ୍ୟାଚ୍‌ ଖେଳି ୪ ବିଜୟ ୩ ପରାଜୟ ଏବଂ ୨ ଅମୀମାଂସିତ ରଖି ୨୬ ପଏଣ୍ଟ୍‌ ସହ ଅଭିଯାନ ଶେଷ କରିଥିଲା। ଏକାଧିକ ଯୁବ ଖେଳାଳିଙ୍କ ଆଗମନ କାରଣରୁ ଓଡ଼ିଶା ୫୦ ପ୍ରତିଶତ ସଫଳତାରେ ଅଭିଯାନ ଶେଷ କରିଛି। ଏହି ଦଳର ପ୍ରଦର୍ଶନକୁ ନେଇ ପ୍ରଥମ ଥର ପ୍ରଶିକ୍ଷକ ଦାୟିତ୍ବ ସମ୍ଭାଳିଥିବା ରଶ୍ମି ରଂଜନ ପରିଡ଼ା ସନ୍ତୋଷ ପ୍ରକାଶ କରିଥିବା ବେଳେ ଭବିଷ୍ୟତକୁ ନେଇ ଢେର ଆଶାବାଦୀ। ଏବର ଦଳକୁ ୨/୩ ବର୍ଷ ମିଳିଲେ ନିଶ୍ଚିତ ବଡ଼ ସଫଳତା ଦେଇପାରିବେ ବୋଲି କହିଛନ୍ତି ଶ୍ରୀ ପରିଡ଼ା। ଆମେ ଚଳିତ ଋତୁରେ ବହୁତ ଭଲ ଦିଗ ପାଇଛୁ। ସଚ୍ଚୋଟତାର ସହ କହିଲେ ଉଦୀୟମାନ ପ୍ରତିଭା ଭାବେ ରାଜେଶ ମହାନ୍ତି ଏ ଋତୁର ସନ୍ଧାନ। ଏହାପରେ ମଝି ଋତୁରେ ଦଳକୁ ଆସିଥିବା ଦେବାଶିଷ ସାମନ୍ତରାୟ ଏବଂ ସିକେ ନାଇଡୁରେ ଲଗାତାର ୨ ଶତକ ହାସଲ କରି ଫେରିଥିବା ସନ୍ଦୀପ ପଟ୍ଟନାୟକ ମଧ୍ୟ ଏହା ଜାରି ରଖିଥିଲେ। ଶୁଭ୍ରାଂଶୁ ସେନାପତି ସ୍ଥିର ପ୍ରଦର୍ଶନ ଦେଇଥିଲେ। ଏବେ ଯେଉଁ ଦଳ ରହିଛି ଓଡ଼ିଶା କ୍ରିକେଟ୍‌କୁ ଆଗକୁ ନେବାର ଭବିଷ୍ୟତ ଜଳଜଳ ଦେଖାଦେଉଛି ବୋଲି କହିଛନ୍ତି ରଶ୍ମି। ମୋଟ ଉପରେ ଦେଖିଲେ, ଆମେ ଚଳିତ ଋତୁରେ ଭଲ କରିଛୁ। ଯାହାବି ଜିତିଛୁ ଭଲରେ ଜିତିଛୁ। ଜିତିବା ଶିଖିବା ଓ ଅଭ୍ୟାସରେ ପରିଣତ କରିବା ଦରାକାର ବୋଲି କହିଛନ୍ତି ରଶ୍ମି। ମୁଁ ୨ ଥର ରଣଜୀ ଟ୍ରଫି ବିଜେତା ଭାବେ ଜାଣିଛି ଜିତିବା ଭୋକ ‌କେତେ। ୯ ମ୍ୟାଚ୍‌ରୁ ଆମେ ୪ ଜିତିଛୁ, ଅଳ୍ପଅଳ୍ପରେ ଆମେ ଦୁଇଟି ମ୍ୟାଚ୍‌ (ଝାଡ଼ଖଣ୍ଡ ଓ ରାଜସ୍ଥାନ) ହାତ ଛଡ଼ା କରି ନକ୍‌ଆଉଟ୍‌ରୁ ବଞ୍ଚିତ ହୋଇଥିଲୁ। ଏହି ଦଳକୁ ଜଣେ ଭଲ ସ୍ପିନର ଦରକାର, ଅଛନ୍ତି କେବଳ ବନେଇବାକୁ ପଡ଼ିବ, ଏଥିପାଇଁ ଚେଷ୍ଠା କରୁଛୁ। ସମ୍ପୂର୍ଣ୍ଣ ଦଳକୁ ଅଧିକ ଅଭ୍ୟାସ ମିଳିଥିଲେ ଆହୁରି ଭଲ ହୋଇଥାନ୍ତା। ଆମେ ଟଚ୍‌କୁ ଆସିବା ଆଗରୁ ଦୁଇଟି ମ୍ୟାଚ୍‌ ହାରି ଯାଇଥିଲୁ। ଅଧିକ ଅଭ୍ୟାସ କରିଥିଲେ ଚାପକୁ ‌କିପରି ନିୟନ୍ତ୍ରଣ କରିବା ଶିଖି ହୋଇଥାନ୍ତା। ଗୋବିନ୍ଦ ପୋଦ୍ଦାର ଭଲ କରୁଛନ୍ତି, କିନ୍ତୁ ତାଙ୍କୁ ଭାଗ୍ୟ ସହାୟକ ନ ହେବାରୁ ଶ୍ରେଷ୍ଠ ଦେଇପାରିନଥିଲେ। ଆଗକୁ ସେ ଧଳାବଲ୍‌ରେ ନିଶ୍ଚିତ ଭଲ କରିବ। ଏବେ ଆମର ଲକ୍ଷ୍ୟ ‌ଟ୍ବେଣ୍ଟି-୨୦ ବୋଲି କହିଥିଲେ ରଶ୍ମି। ପ୍ରଥମ ଥର ଲାଗି ଏହି ଦାୟିତ୍ବରେ ରହି ବହୁତ କିଛି ଶିଖିଛି। ଏହି ଦାୟିତ୍ବ ବହୁତ କଷ୍ଟକର ଥିଲା, ମୁଁ ସଦାବେଳେ କିପରି ଭଲ ହେବ ସେଥିପାଇଁ ଚିନ୍ତା କରିଥାଏ ବୋଲି ୨ ଥରର ରଣଜୀ ବିଜେତା ପ୍ରକାଶ କରିଥିଲେ।

ଅଧିକ ଅଭ୍ୟାସ ଆବଶ୍ୟକ: ବିପ୍ଲବ
ଆମେ ଦଳଗତ ଭାବେ ଚଳିତ ଋତୁରେ ବହୁତ ଭଲ କରିଛୁ। ମାତ୍ର ୧୦ ଦିନ ଅଭ୍ୟାସରେ ଆମେ ୯ ମ୍ୟାଚ୍‌ରୁ ୪ ବିଜୟ ପାଇଛୁ। ଏତେ କମ୍‌ ଅଭ୍ୟାସରେ ଏମିତି ପ୍ରଦର୍ଶନ କିଛି କମ୍‌ କଥା ନୁହେଁ। ମୋ ବିଚାରରେ ବୋଲିଂରେ ରାଜେଶ ‌ଏବଂ ବ୍ୟାଟିଂରେ ଦେବାଶିଷ ଶ୍ରେଷ୍ଠ ବୋଲି କହିଛନ୍ତି ସ୍ଥାୟୀ ଅଧିନାୟକ ବିପ୍ଲବ ସାମନ୍ତରାୟ। ଶୁଭ୍ରାଂଶୁ ବି ଭଲ କରିଛନ୍ତି, ସନ୍ଦୀପ ଫେରି ଶତକ ହାସଲ କଲେ। କନିଷ୍ଠ ଦଳରୁ ଆସି ନୂଆ ଖେଳାଳିମାନେ ଯେପରି ପ୍ରଦର୍ଶନ ଦେଉଛନ୍ତି ତାହା ଆଗକୁ ବହତୁ ସାହାଯ୍ୟ କରିବ। ସଂପ୍ରତି ଦଳ ଯାହା ରହିଛି ୨-୩ ବର୍ଷରେ ଆଗକୁ ନିଶ୍ଚିତ ଯିବ। ଆମ ଦଳ ଅଧିକ ଅଭ୍ୟାସ ପାଉନି, ଅନ୍ୟମାନେ ୪-୫ ମାସ ପୂର୍ବରୁ ଅଭ୍ୟାସ କରୁଛନ୍ତି, ଫଳରେ ସଫଳ ହେଉଛନ୍ତି। ଦୁଇ ଦ୍ରୁତ ବୋଲର ବସନ୍ତ ଏବଂ ରାଜେଶ ୪୦ରୁ ଅଧିକ ଲେଖାଏଁ ୱିକେଟ୍‌ ନେଇଥିବାରୁ ଆମେ ମ୍ୟାଚ୍‌ ଜିତିପାରିଛୁ। ମୁଁ ମଧ୍ୟ ଭଲ ବ୍ୟାଟିଂ କରିଥିଲି କିନ୍ତୁ ଶେଷ ସମୟରେ ସଫଳ ହୋଇନଥିଲି। ଶୁଭ୍ରାଂଶୁଙ୍କ ଭଳି ଆଉ ଜଣେ ଦୁଇ ଜଣ ଯଦି ୬୦୦ରୁ ଅଧିକ ରନ୍‌ କରିଥାନ୍ତେ ତେବେ ଅଧିକ ବିଜୟ ପାଇଥାନ୍ତୁ ବୋଲି କହିଛନ୍ତି ଦଳର ବରିଷ୍ଠ ବ୍ୟାଟ୍ସମ୍ୟାନ୍ ବିପ୍ଲବ।

ପଦାର୍ପଣରେ ଏଭଳି ପ୍ରଦର୍ଶନ ଅାଶା ନଥିଲା: ରାଜେଶ
ବହୁତ ଖୁସି ଲାଗୁଛି, ‌ପଦାର୍ପଣ ବର୍ଷ ଏଭଳି ପ୍ରଦର୍ଶନ କରିବି ବୋଲି ଆଶା ନଥିଲା। ଦୀପକ (ମଙ୍ଗରାଜ) ଭାଇ ଏବଂ ଦଳୀୟ ସାଥୀଙ୍କ ସହଯୋଗରେ ମୁଁ ଏଭଳି କରିପାରିଥିଲି ବୋଲି କହିଛନ୍ତି ଉଦୀୟମାନ ଦ୍ରୁତ ବୋଲର ରାଜେଶ ମହାନ୍ତି। ଚଳିତ ଋତୁରେ ଆସାମ ବିପକ୍ଷ ମ୍ୟାଚ୍‌ ଭଲ ଲାଗିଥିଲା କାରଣ ସେଠାରେ ମୁଁ ପ୍ରଥମ ୫ ଏବଂ ମ୍ୟାଚ୍‌ରେ ୧୧ ୱିକେଟ୍‌ ସଫଳତା ପାଇଥିଲି। ଅନ୍ୟପକ୍ଷରେ ସୁରେଶ ରାଇନାଙ୍କ ୱିକେଟ୍‌ ଶ୍ରେଷ୍ଠ ଥିଲା ବୋଲି କହିଛନ୍ତି ପ୍ରଦାର୍ପଣ ବର୍ଷରେ ୪୦ ୱିକେଟ୍‌ ପାଇଥିବା ରାଜେଶ। ଗୋଟେ ଲାଇନ୍‌ ଲେନ୍ଥରେ ପକାଇବାକୁ ଫୋକସ ରଖିଥିଲି। ‌କିଛି ଓଭର ମେଡେନ୍‌ ନେବା ପରେ ୱିକେଟ୍‌ ‌ନେବାକୁ ଚାହୁଁଥିଲି। ବେଶି ଚେଷ୍ଠା କ‌ରେନି, ଖେଳିବାକୁ ଦେଲେ ୱିକେଟ୍‌ ମିଳିବ ବୋଲି ବସନ୍ତ ଭାଇ (ମହାନ୍ତି) ବୁଝାନ୍ତି। ଆଗକୁ ଟ୍ବେଣ୍ଟି-୨୦ ରହିଛି। ତାହା ଉପରେ ନଜର ରଖିବି ବୋଲି କହିଛନ୍ତି ରାଜେଶ। ରାଜା ଭାଇ (ବିପ୍ଳବ ସାମନ୍ତରାୟ), ସେନାପତି ଭାଇ (ଶୁଭ୍ରାଂଶୁ)ଙ୍କ ସହ ଆମ ପ୍ରଶିକ୍ଷକ ରଶ୍ମି ଭାଇ ବହୁତ ଶିଖାନ୍ତି। ‌ଆମକୁ ଯାହାବି ବିଜୟ ମିଳିଛି, ସବୁଥିରେ ଆମେ ଦଳଗତ ଭାବେ କରି ପାଇଛୁ ବୋଲି କହିଥିଲେ ଏସିଆ କପ୍ ବିଜେତା କନିଷ୍ଠ ଜାତୀୟ ଦଳର ସଦସ୍ୟ ରାଜେଶ।

ସମ୍ବନ୍ଧିତ ଖବର