ପରାଜୟ ସହ ଓଡ଼ିଶା ଅଭିଯାନ ଶେଷ

୨୩ ବର୍ଷରୁ କମ୍‌ ଦିନିକିଆ

କଟକ: ୨୩ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ୍‌ ନକ୍‌ଆଉଟ୍‌ ପର୍ଯ୍ୟାୟର ଆରମ୍ଭରୁ ଓଡ଼ିଶା ବିଦାୟ ନେଇଛି। ଶୁକ୍ରବାର ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ଓଡ଼ିଶାକୁ ୮ ଓ୍ଵିକେଟ୍‌ରେ ପରାସ୍ତ କରି ପଞ୍ଜାବ ସେମି ଫାଇନାଲ୍‌ରେ ପ୍ରବେଶ କରିଛି। ନିର୍ଧାରିତ ଓଭରରେ ଓଡ଼ିଶା ୭ ଓ୍ଵିକେଟ ହରାଇ ୨୫୮ ରନ୍‌ କରିଥିଲା। ରାଜେଶ ଧୂପର ଓ ଅମ୍ରିତ ଖଟୁଆ ପ୍ରଥମ ଓ୍ଵିକେଟ୍‌ରେ ୩୪ ରନ୍‌ ଯୋଡ଼ିବା ପରେ ଅମ୍ରିତ ଆଉଟ ହୋଇଯାଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ସୌଭାଗ୍ୟ ରଂଜନ ମିଶ୍ର ୨ ଓ ପଛକୁ ପଛ ରାଜେଶ ୩୭ ରନ୍‌ରେ ପାଭିଲିଅନ୍‌ ଫେରିଥିଲେ। ଶୁଭ୍ରାଂଶୁ ସେନାପତି ଓ ଦେବେନ୍ଦ୍ର କୁଅଁର ଚତୁର୍ଥ ଓ୍ଵିକେଟ୍‌ରେ ୧୧୭ ରନ୍‌ର ଯୋଡ଼ି ଦଳକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ। ଅର୍ଧଶତକ ଅର୍ଜନ କରିବା ପରେ ଶୁଭ୍ରାଂଶୁ (୭୨) ଆଉଟ ହୋଇଥିଲେ। ସେହି ଓଭରରେ ରଂଜିତ ପାଇକରାୟ ମଧ୍ୟ ଖାତା ଖୋଲିବା ଆଗକୁ ନିଜ ଓ୍ଵିକେଟ ହରାଇଥିଲେ। ଦେବେନ୍ଦ୍ରଙ୍କ ସହ ଦେବବ୍ରତ ପ୍ରଧାନ ପିଚ୍‌ରେ ଯୋଗଦେଇ ରନ୍‌ ହାର ବଢାଇବା ଉଦ୍ୟମ କରିଥିଲେ। ଦେବେନ୍ଦ୍ର ୫୫ ରନ୍‌ରେ ଆଉଟ ହୋଇଥିଲେ। ତାଙ୍କ ପରେ ଦେବବ୍ରତ ଓ ରାଜକିଶନ ପଟେଲ୍‌ ଓଡ଼ିଶାକୁ ୨୫୦ ରନ୍‌ ପାର୍‌ କରାଇଥିଲେ। ହେଲେ ଦେବବ୍ରତ (୪୮) ୨ ରନ୍‌ ପାଇଁ ଅର୍ଧଶତକରୁ ବଞ୍ଚିତ ହୋଇଥିଲେ। ପଞ୍ଜାବର ଆର୍ଶଦୀପ ସିଂହ ୪ ଓ ଏନ୍‌ ଚୌଧୁରୀ ୨ ଓ୍ଵିକେଟ ନେଇଥିଲେ। ଜବାବରେ ପଞ୍ଜାବ ମାତ୍ର ୨ ଓ୍ଵିକେଟ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଜିତ ଗର୍ଗ ୯୯, ସନ୍‌ବୀର ସିଂହ ୫୦ ରନ୍‌ କରି ଆଉଟ ହୋଇଥିଲା ବେଳେ ରମଣଦୀପ ସିଂହ ୮୬* ଓ ଏକେ ମାଲହୋତ୍ରା ୧୭* ରନ୍‌ କରି ଦଳକୁ ଜିତାଇଥିଲେ।

ସମ୍ବନ୍ଧିତ ଖବର