ପୂର୍ବାଞ୍ଚଳ କରାଟେ: ୧୬୩ ପଦକ ସହ ଓଡ଼ିଶା ପ୍ରଥମ

ଭୁବନେଶ୍ବର: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍ ପରିସରରେ ଆୟୋଜିତ ଦୁଇ ଦିନିଆ ପ୍ରଥମ ପୂର୍ବାଞ୍ଚଳ କରାଟେ ପ୍ରତିଯୋଗିତା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ସର୍ବାଧିକ ୧୬୩ ପଦକ ଜିତି ଓଡ଼ିଶା ପ୍ରଥମ ସ୍ଥାନ ଅକ୍ତିଆର କରିଛି। ସେଥିରେ ଓଡ଼ିଶା କରାଟେକାମାନେ ୪୨ ସ୍ବର୍ଣ୍ଣ, ୪୭ ରୌପ୍ୟ ଓ ୭୪ କାଂସ୍ୟ ପଦକ ଜିତି ଆଧିପତ୍ୟ ଜାହିର କରିଛନ୍ତି। ଓଡ଼ିଶା ପଛକୁ ପଶ୍ଚିମବଙ୍ଗ (୩୯ ସ୍ବର୍ଣ୍ଣ, ୩୦ ରୌପ୍ୟ ଓ ୩୮ କାଂସ୍ୟ) ମୋଟ ୧୦୭ ପଦକ ଜିତି ଦ୍ବିତୀୟରେ ରହିଥିଲା ବେଳେ ବିହାର ଓ ଝାଡ଼ଖଣ୍ଡ ଯଥାକ୍ରମେ ତୃତୀୟ ଓ ଚତୁର୍ଥରେ ସନ୍ତୁଷ୍ଟ ରହିଥିଲେ। ଶନିବାର ଶେଷ ଦିନରେ ଓଡ଼ିଶା ପାଇଁ କୁମିତେରେ କୃଷ୍ଣଚନ୍ଦ୍ର ନାୟକ, ମହେଶ ଦୋରା, ସିନ୍ଧୁତନୟା ଖୁଣ୍ଟିଆ, ଅନୁପମା ସ୍ବାଇଁ, ଅନୁରାଧା ପାତ୍ର, ପାୟଲ ବରାଳ, ଅନନ୍ୟା ଆନନ୍ଦ, ଦେବସ୍ମିତା ଦଳବେହେରା, ଡି ଭଗବାନ ରେଡ୍ଡୀ, ରୀତେଶ ରାୟ, ସୁମନ ଶେଖର ଦାସ, ରାହୁଲ ଜାଲ୍‌, ଜାନକୀ ମୁଣ୍ଡା, ଅନୋଷ୍କା ପ୍ରିୟଦର୍ଶିନୀ, ସୁମନ ଷଡ଼ଙ୍ଗୀ, ମୋନାଲିସା ସାହୁ ଏବଂ କାଟାରେ ଅନୋଷ୍କା ପ୍ରିୟଦର୍ଶିନୀ ଏବଂ ଅନୁଗୁଳ ଦଳ ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ଉଦ୍‌ଯାପନୀ ଉତ୍ସବରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଦକ ବିଜେତାଙ୍କୁ ପୁରସ୍କୃତ କରିଥିଲେ। ପୂର୍ବାଞ୍ଚଳ କରାଟେ ସଂଘର ସଭାପତି ଡଃ ହରିପ୍ରସାଦ ପଟ୍ଟନାୟକ, ସଂପାଦକ ସିହାନ୍‌ ପ୍ରେମଜିତ୍ ସେନ୍‌, ହରିଆଣା ସଂଘ ସିହାନ୍‌ ରଜନିଶ ଚୌଧୁରୀ, ପୂର୍ବାଞ୍ଚଳ ସଂଘର ସଭ୍ୟ ସେନ୍‌ସାଇ ଖାରବେଳ ମଲ୍ଲିକ, ସେନ୍‌ସାଇ ଗୌରୀ ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର