ଜାତୀୟ ଉପକନି‌ଷ୍ଠ ଓ କ୍ୟାଡେଟ୍‌ ଜୁଡୋ ପ୍ରତିଯୋଗିତା, ଓଡ଼ିଶାକୁ ଦୁଇ ଜାତୀୟ କାଂସ୍ୟ ପଦକ

ଜୁଡୋରେ ଉର୍ମିଳା, ଭାରୋତ୍ତୋଳନରେ କୁଲଦୀପ

ଭୁବନେଶ୍ବର: ମଣିପୁରଠାରେ ଆୟୋଜିତ ଜାତୀୟ ଉପକନି‌ଷ୍ଠ ଓ କ୍ୟାଡେଟ୍‌ ଜୁଡୋ ପ୍ରତିଯୋଗିତାରେ ଭୁବନେଶ୍ବର ଜୁଡୋ ହଲ୍‌ର ଉର୍ମିଳା ସାହୁ କାଂସ୍ୟ ପଦକ ଜିତିଛନ୍ତି। ‌ଚଳିତ ମାସ ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାରେ ‌୫୬ କିଲୋଗ୍ରାମ ବର୍ଗରେ ଭାଗ ନେଇଥିବା ଉର୍ମିଳା ଗୋଆ, ହରିଆଣା, ଚଣ୍ଡିଗଡ଼ ଏବଂ ଗୁଜରାଟର ଖେଳାଳିମାନଙ୍କୁ ହରାଇ ଏହି ସଫଳତା ପାଇଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ଅନୁଷ୍ଠାନର ୨୮ ଜଣ ବାଳକ ଓ ବାଳିକାଙ୍କ ସହ ପ୍ରବନ୍ଧକ ଓ ପ୍ରଶିକ୍ଷକ ଭାବେ କନ୍ଦନ ମୁର୍ମୁ, ବଳରାମ ବେହେରା ଓ ତନିଷ୍କା ମନସ୍ବିନୀ ସାହୁ ଭାଗନେଇଥିଲେ। ହେଲେ ଉର୍ମିଳା ଏକା ପଦକ ଜିତିବାକୁ ସକ୍ଷମ ହୋଇଥିଲା ବେଳେ ପଦକ ରାଉଣ୍ଡରେ କିସ୍‌ର ରିତାରାଣୀ ସୋରେନ୍‌ (୪୮ କେଜି), ବିକ୍ରମ ମଣ୍ଡଳ (୫୦ କେଜି), ଗାୟତ୍ରୀ ଶବର (୩୬ କେଜି) ଓ ଜୁଡୋ ହଲ୍‌ର ରାଜେଶ କୁମାର ନାୟକ (୭୩ କେଜି) ହାରି ଖାଲି ହାତରେ ଫେରିଥିଲେ। ଜାତୀୟ ପ୍ରତିଯୋଗିତା କ୍ୟାଡେଟ୍‌ ବିଭାଗରେ ଓଡ଼ିଶାକୁ ପ୍ରଥମ ପଦକ ଭେଟି ଦେଇଥିବାରୁ ତାଙ୍କ ସହ ସମସ୍ତ ଖେଳାଳିଙ୍କୁ ଓଡ଼ିଶା ରାଜ୍ୟ ଜୁଡୋ ସଂଘର ସଭାପତି ପ୍ରିୟବ୍ରତ ପଟ୍ଟନାୟକ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମିଶ୍ର, ବୈଷୟିକ ସମ୍ପାଦକ କନ୍ଦନ ମୁର୍ମୁ ଏବଂ ସିଇଓ ଗୀତାଞ୍ଜଳି ପଣ୍ଡା ଅଭିନନ୍ଦନ ଜଣାଇଛନ୍ତି।

ବ୍ରହ୍ମପୁର: ବିହାରର ଗୟାଠାରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାର ଚତୁର୍ଥ ଦିବସରେ ଓଡ଼ିଶା ଗୋଟିଏ ପଦକ ଅମଳ କରିଛି। ପୁରୁଣା ବ୍ରହ୍ମପୁରର କୁଲଦୀପ ସାହୁ ବାଳକ ବିଭାଗ ୬୭ କେଜି ବର୍ଗରେ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ହାସଲ କରିଛନ୍ତି। ସେ ମୋଟ ୨୩୮ (୧୦୭ କେଜି ସ୍ନାଚ୍‌ ଏବଂ ୧୩୧ କେଜି କ୍ଲିନ୍ ଆଣ୍ଡ ଜର୍କ) କେଜି ଭାରୋତ୍ତୋଳନ କରି ଏହି ସଫଳତା ପାଇଛନ୍ତି।

ସମ୍ବନ୍ଧିତ ଖବର