ଜାତୀୟ ମହିଳା ହକିରେ ଓଡ଼ିଶା ୯-୦ରେ ବିଜୟୀ

କଟକ କେରଳରେ ଚାଲିଥିବା ଜାତୀୟ ମହିଳା ହକିରେ ଓଡ଼ିଶା ବୃହତ୍‌ ବ୍ୟବଧାନରେ ବିଜୟୀ ହୋଇଛି। ଶନିବାର ମ୍ୟାଚ୍‌ରେ ଓଡ଼ିଶା ୯-୦ ଗୋଲ୍‌ରେ ବିହାରକୁ ହରାଇଛି। ମ୍ୟାଚ୍‌ର ଷଷ୍ଠ ମିନିଟ୍‌ରେ ନେହା ଲାକ୍ରା ପ୍ରଥମ ଗୋଲ୍‌ ଦେଇଥିଲେ। ତିନି ମିନିଟ୍‌ ପରେ ମନୀଷା ମିଞ୍ଜ, ୧୩ ମିନିଟ୍‌ରେ ସରିତା କେର୍କେଟା ଗୋଲ୍‌ ଦେଇ ପ୍ରଥମ କ୍ବାର୍ଟରରେ ଦଳକୁ ୩-୦ରେ ଅଗ୍ରଣୀ ଦେଇଥିଲେ। ଦ୍ବିତୀୟ କ୍ବାର୍ଟରର ୨୨ ମିନିଟ୍‌ରେ ନେହାଙ୍କ ଦ୍ବିତୀୟ ଗୋଲ୍‌ ସହ ୨୫ ମିନିଟ୍‌ରେ ରଶ୍ମି କିଶାନ ଓ ୨୮ ମିନିଟ୍‌ରେ ଅବିନାଶା ସୁରିନ୍‌ଙ୍କ ଗୋଲ୍‌ ଓଡ଼ିଶା ପାଇଁ ପଥ ପରିସ୍କାର କରିଥିଲା। ତୃତୀୟ କ୍ବାର୍ଟରେ ଅବିନାଶା ଲଗାତର ଭାବେ ୩୨ ଓ ୩୮ ମିନିଟ୍‌ରେ ଦୁଇଟି ଗୋଲ୍‌ ଦେଇଥିଲା ବେଳେ ୪୧ ମିନିଟ୍‌ରେ ନେହାଙ୍କ ତୃତୀୟ ଗୋଲ୍‌ ଯୋଗୁଁ ଓଡ଼ିଶା ୯ ଗୋଲ୍‌ରେ ଆଗରେ ରହିଥିଲା। ଚତୁର୍ଥ କ୍ବାର୍ଟରରେ କୌଣସି ଗୋଲ୍‌ ନହେବାରୁ ଓଡ଼ିଶା ମ୍ୟାଚ୍‌କୁ ଏକତରଫା ଭାବେ ଜିତିଯାଇଥିଲା। ଅନ୍ୟପକ୍ଷରେ ମଧ୍ୟପ୍ରଦେଶରେ ଓଡ଼ିଶା ଓ କାନାରା ବ୍ୟାଙ୍କ ମଧ୍ୟରେ ଅନୁଷ୍ଠିତ ପୁରୁଷ ବିଭାଗ ମ୍ୟାଚ୍‌ ଗୋଲ୍‌ଶୂନ୍ୟ ଭାବେ ଶେଷ ହୋଇଛି।

ସମ୍ବନ୍ଧିତ ଖବର