ପୂର୍ବାଞ୍ଚଳ ଖୋଖୋ: ଓଡ଼ିଶାକୁ ଦ୍ବିମୁକୁଟ

ଛତ୍ରପୁର: ଗଂଜାମ ଜିଲ୍ଲା ସଦରମହକୁମା ଛତ୍ରପୁରଠାରେ ଆୟୋଜିତ ୨୨ତମ ପୂର୍ବାଞ୍ଚଳ ଖୋ-ଖୋ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ଓଡ଼ିଶା ବିଜେତା ହୋଇ ଦ୍ବିମୁକୁଟ ହାସଲ କରିଥିଲା ବେଳେ ଉଭୟ ବର୍ଗରେ ମଧ୍ୟ ପଶ୍ଚିମବଙ୍ଗ ଉପବିଜେତା ହୋଇଛି। ମହିଳା ଫାଇନାଲରେ ପଶ୍ଚିମବଙ୍ଗ ବିପକ୍ଷରେ ଓଡ଼ିଶା ୧୧-୭ ପଏଣ୍ଟରେ ବିଜୟୀ ହୋଇଥିଲା। ବିଜେତା ଦଳର ମଧୁସ୍ମିତା ଓଝା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି, ସୁସ୍ମିତାନାଥ ଶ୍ରେଷ୍ଠ ଚେଜ୍‌ର ଓ ମନ୍ଦାକିନୀ ମାଝୀ ଶ୍ରେଷ୍ଠ ଡିଫେଣ୍ତର ବିବେଚିତ ହୋଇଥିଲେ। ସେହିପରି ପୁରୁଷ ଫାଇନାଲରେ ପଶ୍ଚିମବଙ୍ଗକୁ ୨୭-୨୩ ପଏଣ୍ଟରେ ପରାସ୍ତ କରି ଓଡ଼ିଶା ବିଜେତା ହୋଇଥିଲା। ତେବେ ଉପବିଜତୋ ଦଳର ଚିନ୍ମୟ ନନ୍ଦୀ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି, ଓଡ଼ିଶାର ଗଣେଶ ନାଥ ଶ୍ରେ‌ଷ୍ଠ ଡିଫେଣ୍ତର ଓ ସୁକୁନାଥ ସିଂ ଶ୍ରେଷ୍ଠ ଚେଜର୍‌ ବିବେଚିତ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜାତୀୟ ଖୋ–ଖୋ ମହାସଂଘର ସାଧାରଣ ସଂପାଦକ ମହେନ୍ଦ୍ରସିଂ ତ୍ୟାଗୀ, ସମ୍ମାନୀତ ଅତିଥି ଭାବେ ମଧ୍ୟପ୍ରଦେଶ କ୍ରୀଡା ସଂଘର ସଂପାଦକ ସଞ୍ଜୟ ୟାଦବ, ପୂର୍ବାଞ୍ଚଳ କ୍ରୀଡା ସଂଘର ସଂପାଦକ ମଧୁସୂଦନ ସିଂ, ଓଡିଶା କ୍ରୀଡା ସଂଘର ସଂପାଦକ ପ୍ରଦ୍ୟୁମ୍ନ ମିଶ୍ର, ଗଞ୍ଜାମ କ୍ରୀଡା ସଂଘର ସଂପାଦକ ଅଶୋକ କୁମାର ସାହୁ, ଗଞ୍ଜାମ ପୁଲିସର ଆସିଷ୍ଟାଣ୍ଟ କମାଣ୍ଡୋ ଜିତେନ୍ଦ୍ର କୁମାର ଦେହୁରୀ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଯୋଗଦେଇ ଟ୍ରଫି ଓ ସିଲ୍ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର