ଫାଇନାଲ୍‌ ‘ଟାଇ’: ଓଡ଼ିଶା ବିଜେତା

ସର୍ବଭାରତୀୟ ବିଏସ୍‌ଏନ୍‌ଏଲ୍‌ କ୍ରିକେଟ୍‌

ଭୁବନେଶ୍ୱର: ଲକ୍ଷ୍ନୌରେ ଚାଲିଥିବା ୧୭ତମ ସର୍ବଭାରତୀୟ ବିଏସ୍‌ଏନ୍‌ଏଲ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ପୁଣି ଥରେ ବିଜେତା ହୋଇଛି। ଗୋଟିଏ ବର୍ଷର ବ୍ୟବଧାନ ପରେ ଟ୍ରଫି ହାତେଇବା ସହିତ ମୋଟ ଉପରେ ଷଷ୍ଠ ଥର ବିଜେତା ହୋଇଛି ଓଡ଼ିଶା। ଶୁକ୍ରବାରର ଦିଲ୍ଲୀ ବିପକ୍ଷ ଫାଇନାଲ୍‌ ମ୍ୟାଚ୍‌ ସବୁଠାରୁ ରୋମାଞ୍ଚଭରା ଥିଲା। ମ୍ୟାଚ୍‌ ଟାଇ ହେବା ପରେ ସୁପର ଓଭରରେ ଓଡ଼ିଶା ୫ ରନ୍‌ରେ ବିଜୟୀ ହୋଇଥିଲା। ଓଡ଼ିଶାର ୧୦ ରନ୍‌ ଜବାବରେ ଦିଲ୍ଲୀ ୫ ରନ୍‌ କରିଥିଲା। ପୂର୍ବରୁ ଦିଲ୍ଲୀ ୭ ଓ୍ଵିକେଟ୍‌ ହରାଇ ୧୩୨ ରନ୍‌ କରିଥିଲା। ଯୋଗିନ୍ଦର ସିଂହ ୬୫ ରନ୍‌ କରିଥିବାବେଳେ ଓଡ଼ିଶା ପକ୍ଷରୁ ଅଧିନାୟକ ବିବିସିସି ମହାପାତ୍ର ୩, ଟୁକୁନା ସାହୁ ୨ ଏବଂ ସୁଜନ ମହାନ୍ତି ୧ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଓଡ଼ିଶା ମଧ୍ୟ ୧୩୨/୩ରେ ସୀମିତ ରହିଥିଲା। ଟୁକୁନା ସାହୁ (୬୫) ଏବଂ ନିରଂଜନ ବେହେରା (୬୨) ଅର୍ଧଶତକ ହାସଲ କରିଥିଲେ। ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ନିରଞ୍ଜନ ବେହେରା ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌, ଟୁକୁନା ସାହୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏଥି ସହିତ ସର୍ବଭାରତୀୟ ବିଏସ୍‌ଏନ୍‌ଏଲ୍‌ ଦଳରେ ଓଡ଼ିଶାରୁ ୫ ଜଣ ସ୍ଥାନ ଜମାଇଛନ୍ତି। ନିରଂଜନ ବେହେରା, ପି୍ରୟବ୍ରତ ପ୍ରଧାନ, ସୁଜନ ମହାନ୍ତି, ବିକାଶ ପତି, ଟୁକୁନା ସାହୁ ସ୍ଥାନ ପାଇଥିବାବେଳେ ନିମୟିତ ସୁଯୋଗ ପାଉଥିବା ବିବିସିସି ମହାପାତ୍ରଙ୍କୁ ସୁଯୋଗ ମିଳିନାହିଁ। ୬ ଥର ବିଜେତା ହେବା ସହିତ ଓଡ଼ିଶା ମଧ୍ୟ ୪ ଥର ଉପ ବିଜେତା ରହିଥିଲା। ଶେଷ ଥର ପାଇଁ ୨୦୧୫ରେ ବିଜେତା ଓଡ଼ିଶା ଗତବର୍ଷ ଦୁର୍ଭାଗ୍ୟଜନକ ଭାବେ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଏଥର ବିିବିସିସି ମହାପାତ୍ରଙ୍କ ଦଳ ଲିଗ୍‌ ପର୍ଯ୍ୟାୟରେ ଉତ୍ତରପ୍ରଦେଶ (ପୂର୍ବ), ମଧ୍ୟପ୍ରଦେଶ, ବିହାରକୁ ହରାଇବା ପରେ ସେମିଫାଇନାଲରେ ଗତବର୍ଷର ବିଜେତା ଗୁଜରାଟକୁ ମାତ ଦେଇ ଫାଇନାଲ୍‌ରେ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର