ଓଡ଼ିଶାର ପ୍ରଦର୍ଶନୀ ପରାକ୍ରମ, ନ୍ୟୁ ସାଉଥ୍ ୱେଲ୍ସ ୧-୫ରେ ହାରିଲା

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ସଂଧ୍ୟାରେ ଖେଳା ଯାଇଥିବା ପ୍ରଦର୍ଶନୀ ମ୍ୟାଚ୍‌ରେ ଓଡ଼ିଶା ଆଧିପତ୍ୟ ବିସ୍ତାର କରିଛି। ଅ‌େ‌‌ଷ୍ଟ୍ରଲିଆର ପ୍ରାଦେଶିକ ଦଳ ନ୍ୟୁ ସାଉଥ୍ ୱେଲ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟସକୁ ଏକତରଫା ଭାବେ ୫-୧ ଗୋଲ୍‌ରେ ହରାଇ ଦେଇଛି। ଫଳରେ ଦୁଇ ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇ ଯାଇଛି। ଶୃଙ୍ଖଳାର ପରବର୍ତୀ ମ୍ୟାଚ୍ ରବିବାର ରାଉରକେଲାରେ ଖେଳାଯିବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲା‌େର କ୍ରୀଡ଼ାର ବିକାଶ ଲାଗି ଏକାଧିକ ଯୋଜନା ଘୋଷଣା କରିବେ। ପ୍ରଦର୍ଶନୀ ମ୍ୟାଚ୍ ହୋଇଥିଲେ ମଧ୍ୟ ଆଜି ମ୍ୟାଚ୍‌କୁ କଳିଙ୍ଗ ଷ୍ଟାଡିୟମରେ ସ୍ଥାନୀୟ ଦର୍ଶକ ହୃଦୟଖୋଲା ସମର୍ଥନ ଦେଇଥିଲେ। ଉତ୍ତର ଏବଂ ଦକ୍ଷିଣ ପାର୍ଶ୍ବରେ ନୂଆ କରି ନିର୍ମାଣ ହୋଇଥିବା ଗ୍ୟାଲେରି ସହ ପୂର୍ବ ଏବଂ ପଶ୍ଚିମ ଷ୍ଟାଣ୍ଡ‌ର ୭୦ ପ୍ରତିଶତ ସିଟ୍ ପୂରି ଯାଇଥିଲା। ଓଡ଼ିଶା ଖେଳାଳିମାନେ ମଧ୍ୟ ନିରାଶ କରି ନଥିଲେ। କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ମ୍ୟାଚ୍‌କୁ ଆନୁଷ୍ଠାନିକ ଉଦଘା‌ଟନ କରିଥିଲେ। ଏହା ପରେ ଓଡ଼ିଶା ଗୋଲ୍ ପରେ ଗୋଲ୍ କରି ଚାଲିଥିଲା। ପ୍ରଥମ ଦୁଇ କ୍ବାର୍ଟରରେ ଓଡ଼ିଶା ଖେଳାଳିମାନେ ତିନିଟି ଗୋଲ୍ ଦେଇଥିଲା ବେଳେ ନ୍ୟୁ ସାଉଥ୍ ୱେଲ୍ସ ଦଳ ମାତ୍ର ଗୋଟିଏ ଗୋଲ୍ କରିଥିଲା। ନ୍ୟୁ ସାଉଥ୍ ୱେଲ୍ସ ଗୋଲ୍‌ଟିକୁ ଜିକ୍ ପିକେରିଙ୍ଗ୍ ଦେଇଥିଲେ। ଓଡ଼ିଶା ପକ୍ଷରୁ ଶିଳାନନ୍ଦ ଲାକ୍ରା ଦୁଇଟି ଏବଂ ଅଧିନାୟକ ଅମିତ ରୋହିତ ଦାସ ଗୋଟିଏ ଗୋଲ୍ କରିଥିଲେ। ଶେଷ ଦୁଇ କ୍ବାର୍ଟରରେ ଓଡ଼ିଶା ଆଉ ଦୁଇଟି ଗୋଲ୍ କରିଥିଲା। ଏହି ଗୋଲ୍ ଦୁଇଟି ମନୀପ କେର୍କେଟା ଏବଂ ପ୍ରସନ୍ନ ଲାକ୍ରା ଦେଇଥିଲେ। ବହୁ ଚେଷ୍ଟା ପରେ ମଧ୍ୟ ନ୍ୟୁ ସାଉଥ୍ ୱେଲ୍ସ ଆଉ ଗୋଲ୍ କରି ପାରି ନଥିଲା। ଅଷ୍ଟ୍ରେଲିଆ ଦଳର ଖେଳାଳିମାନେ ଆକାରରେ ବଡ଼ ହୋଇଥିଲେ ମଧ୍ୟ ଓଡ଼ିଶା ଖେଳାଳିଙ୍କ ଗତି ଏବଂ କଳା କୌଶଳ ଆଗରେ ହାର ମାନିଥିଲେ। ଅଧିନାୟକ ଅମିତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳିଭାବେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ବେହେରାଙ୍କଠାରୁ ଟ୍ରଫି ଗ୍ରହଣ କରିଥିଲେ। ଭାରତୀୟ ହକିର ଦୁଇ କିମ୍ବଦନ୍ତୀ ଦିଲୀପ ତିର୍କି, ଧନରାଜ ପିଲ୍ଲେ , କ୍ରୀଡ଼ା ଲେଖକ ସନ୍ଦୀପ ମିଶ୍ର ଏବଂ କାନାଡାର ଅଲିମ୍ପିକ୍ସ ପଦକ ବିଜେତା ଧାବକ ବେନ୍ ଜନସନ ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟର ଉଦୀୟମାନ ଅମ୍ପୟାର ନିଶାନ ଜ୍ୟୋତି ମହାନ୍ତି ଅମ୍ପାୟାରିଂ କରିଥିଲେ। କାଳୁ ଚରଣ ଚୌଧୁରୀ ଓଡ଼ିଶା ଦଳର ପ୍ରଶିକ୍ଷକ ଥିଲେ।

ମ୍ୟାଚ୍ ଦେଖିଲା ଭାରତୀୟ ହକି ଦଳ
ବିଶ୍ବକପ ପୂର୍ବରୁ ଭାରତୀୟ ସମ୍ଭାବ୍ୟ ହକି ଦଳର ଶେଷ ପ୍ରଶିକ୍ଷଣ ଶିବିର ଗୁରୁବାରଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଏଥିରେ ୩୪ ଜଣ ଖେଳାଳି ରହିଛନ୍ତି। ୪ ଜଣ ଓଡ଼ିଆ ଥିବା ଏହି ସମ୍ଭାବ୍ୟ ଦଳର ଖେଳାଳି ଏବଂ ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ ଗୁରୁବାର ସଂଧ୍ୟାରେ ଓଡ଼ିଶା-ନ୍ୟୁ ସାଉଥ୍ ୱେଲ୍ସ ମ୍ୟାଚ୍‌କୁ ଦର୍ଶକ ଷ୍ଟାଣ୍ଡରେ ବସି ଉପଭୋଗ କରିଥିଲେ। ଦଶର୍କଙ୍କୁ ମଧ୍ୟ ସେମାନଙ୍କ ଉପସ୍ଥିତି ବେଶ୍ ରୋମାଞ୍ଚିତ କରିଥିଲା। ପ୍ରଶିକ୍ଷଣ ଶିବିରରେ ସାମିଲ ଥିବା ସ୍ଥାନୀୟ ତାରକା ଅମିତ ରୋହି ଦାସଙ୍କ ନେତୃତ୍ବରେ ଓଡ଼ିଶା ଏକତରଫା ବିଜୟ ହାସଲ କରିବା ଭାରତୀୟ ଦଳ ପାଇଁ ଏକ ବଡ଼ ଖୁସି ଖବର ଥିଲା। ଏସୀୟ ଚାମ୍ପିଅନ୍ସ ଟ୍ରଫି ଦଳରେ ସ୍ଥାନ ପାଇ ନଥିବା ଅମିତ ମଧ୍ୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରି ବିଶ୍ବକପ୍ ଲାଗି ଦାବିଦାରି ଉପସ୍ଥାପନା କରିଥିଲେ। ପ୍ରଶିକ୍ଷଣ ଶିବିର ଲାଗି ଡାକରା ପାଇଥିବା ସୁମନ ବେକ୍ ଏବଂ ଶିଳା‌ନନ୍ଦ ମଧ୍ୟ ଗୁରୁବାର ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିଲେ।

ବେନ୍ ଖେଳିଲେ ହକି
ଓଡ଼ିଶା-ନ୍ୟୁ ସାଉଥ୍ ୱେଲ୍ସ ପ୍ରଦର୍ଶନୀ ହକି ମ୍ୟାଚ୍‌ର ମଧ୍ୟାନ୍ତରରେ ଭାରତୀୟ ହକିର ଦୁଇ କିମ୍ବଦନ୍ତୀ ପୁରୁଷ ଦିଲ୍ଲୀପ ତିର୍କି, ଧନରାଜ ପିଲ୍ଲେ, ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ଏକାମ୍ର କ୍ରୀଡ଼ା ସାହିତ୍ୟ ମହୋତ୍ସବରେ ଯୋଗଦେବା ଲାଗି ଭୁବ‌େନଶ୍ବର ଆସିଥିବା କାନାଡାର ଅଲିମ୍ପିକ୍ସ ପଦକ ବିଜେତା ଧାବକ ବେନ୍ ଜନସନ ଏବଂ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ ମଧ୍ୟରେ ଏକ ନିଆରା ହକି ପ୍ରତିଯୋଗିତା ହୋଇଥିଲା। ଏଥିରେ ଚାରି ଜଣ ଯାକ ଗୋଲ୍ କରିବାର ଦୁଇଟି ଲେଖାଏଁ ପ୍ରୟାସ କରିଥିଲେ। ଗୋଲ୍ ରକ୍ଷକ ଥିଲା ଓଲି ବିଶ୍ବକପ୍ ମାସ୍କଟ ଓଲି। ଏଥିରେ ହକି ସହ ପୂର୍ବରୁ କୌଣସି ସଂପର୍କ ନଥିବା ଜନସନ ନିଜର ଦୁଇଟି ଯାକ ସଟ୍ ଗୋଲ୍ ପୋଷ୍ଟ ଭିତରେ ପୂରାଇ ଦେଇଥିଲେ। ଧନରାଜ ମଧ୍ୟ ଏହି ସଫଳତା ଦୋହରାଇଥିଲେ। କ୍ରୀଡ଼ାମନ୍ତ୍ରୀ ଓ ଦିଲୀପ ଟିକିଏ ପଛରେ ପଡ଼ି ଯାଇଥିଲେ। ତେବେ କିମ୍ବଦନ୍ତୀ ହକି ତାରକା ଏବଂ ରାଜନେତାଙ୍କ ମଧ୍ୟରେ ‌େହାଇଥିବା ଏହି ପ୍ରତିଯୋଗିତାକୁ ଦର୍ଶକ ମନଭରି ଉପଭୋଗ କରିଥିଲେ।

ବିଶ୍ବକପ୍ ଶିବିରରେ ୪ ଓଡ଼ିଆ ଥିବାରୁ ଖୁସି ଲାଗୁଛି: ଅମିତ
ମୁଁ ବହୁତ ଖୁସି ଅଛି। ପିଲାମାନେ ଭଲ ଖେଳିଲେ। ଆମେ ପ୍ରତ୍ୟେକ କ୍ବାର୍ଟରରେ ଗୋଟିଏ ଲେଖାଏଁ ‌େଗାଲ୍‌ କରିବୁ ବୋଲି ଲକ୍ଷ୍ୟ ରଖିଥିଲୁ। ଭଲ ତାଳ‌େମଳ ପାଇଁ ଏହି ଯୋଜନାରେ ପୂରା ସଫଳ ହେଲୁ। ପୂର୍ବରୁ ଅଷ୍ଟ୍ରେଲିଆ ଲିଗ୍ ଖେଳିଥିବାରୁ ନ୍ୟୁ ସାଉଥ୍ ୱେଲ୍ସ ଦଳର ଖେଳିବା ଶୈଳୀ କିଛିଟା ଜାଣିଥିଲି। ଯାହା ମ୍ୟାଚ୍‌ରେ ବେଶ୍ କାମରେ ଆସିଲା। ଆଶା କରୁଛି ରାଉରକେଲାରେ ଖେଳାଯିବାକୁ ଥିବା ଦ୍ବିତୀୟ ମ୍ୟାଚ୍‌ରେ ଆମେ ଏହି ସଫଳତା ‌େଦାହରାଇ ୨-୦ରେ ଶୃଙ୍ଖଳା ଜିତିବୁ। ବିଶ୍ବକପ୍ ଶିବିରରେ ଆମର ଚାରି ଜଣ ଖେଳାଳି ଥିବାରୁ ବହୁତ ଖୁସି ଲାଗୁଛି। ସମସ୍ତେ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇଲେ ଆହୁରି ଖୁସି ଲାଗିବ। ଏହି ବିଷୟରେ ଅବଶ୍ୟ ଚୟନ ସମିତି ଶେଷ ନିଷ୍ପତ୍ତି ନେବ ‌େବାଲି ଓଡ଼ିଶା ଦଳର ଅଧିନାୟକ ଅମିତ ରୋ‌ହି ଦାସ କହିଥିଲେ।

ସମ୍ବନ୍ଧିତ ଖବର