୧୭ ବର୍ଷ ପରେ ଓଡ଼ିଶାକୁ ପଦକ: ଜାତୀୟ ଥ୍ରୋ ବଲ୍‌

ଭୁବନେଶ୍ୱର: ଜାତୀୟ ଥ୍ରୋ ବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ମହିଳା ଦଳ ୧୭ ବର୍ଷ ଧରି ପଦକ ମରୁଡ଼ିର ପରିସମାପ୍ତି ଘଟାଇଛି। ୨୦୦୦ ମସିହା ପୂର୍ବରୁ କ୍ରମାଗତ ୭ ବର୍ଷ ଧରି ଫାଇନାଲ୍‌ ଖେଳିଆସିଥିଲା ମହିଳା ଦଳ। ଏଥି ମଧ୍ୟରୁ ୪ ଥର ବିଜେତା ଓ ୩ ଥର ଉପବିଜେତା ମଧ୍ୟ ହୋଇ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ କରାୟତ କରିଥିଲା। ହେଲେ ୨୦୦୦ ମସିହା ପରଠାରୁ ଆଉ ପଦକ ଜିତିବାର ସୌଭାଗ୍ୟ ପାଇନଥିଲା। ତେବେ ଚଳିତ ବର୍ଷ ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡ଼ାଠାରେ ଆୟୋଜିତ ୪୦ତମ ଜାତୀୟ ପ୍ରତିଯୋଗିତାରେ ପୁଣି ପଦକ ହାସଲ ଧାରାକୁ ଫେରିଛି। ୨୨ ମହିଳା ଓ ୨୪ ପୁରୁଷ ଦଳର ଅଂଶଗ୍ରହଣକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶା ପୁରୁଷ ଦଳ କ୍ୱାର୍ଟର ଫାଇନାଲ୍‌ରୁ ବିଦାୟ ନେଇଥିଲା ବେଳେ ମହିଳା ଦଳ ଫାଇନାଲ୍‌ରୁ ବଞ୍ଚିତ ହୋଇଥିଲେ ମଧ୍ୟ କାଂସ୍ୟ ପଦକ ଜିତିବାର ଗୌରବ ବହନ କରିଛି। ଲିଗ୍‌ ପର୍ଯ୍ୟାୟରେ ୩ରୁ ୩ ମ୍ୟାଚ୍‌ ଜିତି ଅପରାଜେୟ ସହ କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଥିଲା ମହିଳା ଦଳ। ପୁଡୁଚେରୀକୁ ୨-୦, ହରିଆନାକୁ ୨-୦ ଓ କେରଳକୁ ୨-୧ରେ ପରାସ୍ତ କରିଥିବା ଓଡ଼ିଶା ମହିଳା ଦଳ କ୍ୱାର୍ଟର ଫାଇନାଲ୍‌ରେ କର୍ଣ୍ଣାଟକକୁ ୨-୦ରେ ପରାସ୍ତ କରି ସେମିଫାଇନାଲ୍‌ ପହଞ୍ଚିଥିଲା। ହେଲେ ସେମିରେ ତାମିଲନାଡୁ ନିକଟରୁ ୧-୨ରେ ହାରି ଫାଇନାଲ୍‌ରୁ ବଞ୍ଚିତ ହୋଇଥିଲା। ତେବେ ତୃତୀୟ ସ୍ଥାନ ତଥା କାଂସ୍ୟ ମୁକାବିଲାରେ ଗତ ୫ ବର୍ଷ ଧରି ଫାଇନାଲ୍‌ ଖେଳି ଆସୁଥିବା ମଧ୍ୟପ୍ରଦେଶକୁ ୨-୧ରେ ପରାସ୍ତ କରି ୧୭ ବର୍ଷ ବ୍ୟବଧାନ ପରେ ପଦକ ହାସଲର ଇତିହାସ ରଚିଥିଲା।

ଅନ୍ୟପକ୍ଷରେ ଲିଗ୍‌ ପର୍ଯ୍ୟାୟରେ ପୁଦୁଚେରି ଓ ହିମାଚଳ ପ୍ରଦେଶକୁ ୨-୦ ଲେଖାଏଁ ସେଟ୍‌ରେ ପରାସ୍ତ କରି କ୍ୱାର୍ଟର୍‌ ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିବା ଓଡ଼ିଶା ପୁରୁଷ ଦଳ ଆଉ ଆଗକୁ ବଢ଼ି ପାରିନଥିଲା। କ୍ୱାର୍ଟର ଫାଇନାଲ୍‌ରେ ମଧ୍ୟପ୍ରଦେଶ ନିକଟରୁ ୧-୨ରେ ହାରି ବିଦାୟ ନେଇଥିଲା। ଅବଶ୍ୟ ଉଭୟ ମହିଳା ଓ ପୁରୁଷ ଦଳ ଫେଡେରେସନ୍‌ କପ୍‌କୁ ଯୋଗ୍ୟତା ହାସଲ କରିଛନ୍ତି। କାଂସ୍ୟ ପଦକ ଜିତିଥିବା ମହିଳା ଦଳର ଐତିହାସିକ ସଫଳତା ପାଇଁ ସମସ୍ତ ଖେଳାଳି, ପ୍ରଶିକ୍ଷକ କୈଳାଶ ଚନ୍ଦ୍ର ବାରିକ ଏବଂ ଶ୍ରେଷ୍ଠ ଖେଳାଳି ଶୁଭଦର୍ଶିନୀ ଜେନାଙ୍କୁ ଓଡ଼ିଶା ରାଜ୍ୟ ଥ୍ରୋ ବଲ୍‌ ସଂଘର ପ୍ରତିଷ୍ଠାତା କୃଷ୍ଣଚନ୍ଦ୍ର ଦାସ, ସଂପାଦକ ଜିତେନ୍ଦ୍ରନାଥ ଦାସ ଏବଂ ସହ ସମ୍ପାଦକ ଯଶୋବନ୍ତ ପରମଗୁରୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର