ପୂର୍ବାଞ୍ଚଳ ବଧିର ଟ୍ବେଣ୍ଟି-୨୦: ଓଡ଼ିଶା ଜିତିଲା ଉଦ୍‌ଘାଟନୀ ମୁକାବିଲା

ଭୁବନେଶ୍ବର: ଓଡ଼ିଶା ବଧିର କ୍ରୀଡ଼ା ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ଉତ୍କଳ ବିଶ୍ବବିଦ୍ୟାଳୟ ଏବଂ ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଏମ୍‌ଟି) ଖେଳ ପଡ଼ିଆରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ତୃତୀୟ ପୂର୍ବାଞ୍ଚଳ ବଧିର ଟ୍ବେଣ୍ଟି-୨୦ କ୍ରିକେଟ୍। ତିନି ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଆୟୋଜକ ଓଡ଼ିଶା ସହ ବିହାର, ଝାଡ଼ଖଣ୍ଡ, ଆସାମ ଓ ପଶ୍ଚିମବଙ୍ଗ ଅଂଶଗ୍ରହଣ କରୁଛନ୍ତି। ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ୭ ୱିକେଟ୍‌ରେ ବିହାରକୁ ପରାସ୍ତ କରିଥିଲା। ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବିହାର ନିର୍ଧାରିତ ୧୫ ଓଭରରେ ୮ ୱିକେଟ୍ ହରାଇ ୮୯ ରନ୍ କରିଥିଲା। ଜବାବରେ ଓଡ଼ିଶା ମାତ୍ର ୯ ଓଭରରେ ୩ ୱିକେଟ୍ ହରାଇ ବିଜୟୀ ହୋଇଥିଲା। ଓଡ଼ିଶାର ଆର ଆର ସାହାଣୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଆଇଆଇଏମ୍‌ଟି ସହ ନିର୍ଦେଶକ ଏସ୍‌କେ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା-ବିହାର ମ୍ୟାଚ୍‌ର ଉଦଘାଟନ କରିଥିଲେ। ଓଡ଼ିଶା ବଧିର କ୍ରୀଡ଼ା ପରିଷଦର ସଭାପତି ସ୍ନେହାଶିଷ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ବିସି ସାହୁ, ବାମ ପ୍ରସାଦ ବାଗ, ବଙ୍କିମ ଚନ୍ଦ୍ର ତ୍ରିପାଠୀ, ୱାଇ ମହାପାତ୍ର ଓ ପ୍ରତିଷ୍ଠିତ ଚେସ୍ ପ୍ରଶିକ୍ଷକ ସତ୍ୟ ରଞ୍ଜନ ପଟ୍ଟନାୟକ ସମ୍ମାନିତ ଅତିଥି ଭା‌ବେ ଯୋଗ ଦେଇଥିଲେ। ସଂପାଦକ ନିରଂଜନ ଯୋଷୀ, ଅବଦୁଲ ରହିମ ଖାନ୍, ବିଜୟ କୁମାର ପରିଡ଼ା, ପିକେ ମହାପାତ୍ର, ସଂଜୟ ପଣ୍ଡା, ଜେଏନ୍ ବହିଦାର ପ୍ରମୁଖ ପ୍ରତିଯୋଗିତାକୁ ପରିଚାଳନା କରୁଛନ୍ତି। ଲୋକେଶ କୁମାର ଓ ସନ୍ତୋଷ ଜେନା ଅମ୍ପାୟାର ଏବଂ ବିକାଶ ନାୟକ ସ୍କୋରର ଦାୟିତ୍ବରେ ଥିଲେ।

ସମ୍ବନ୍ଧିତ ଖବର