ଓଡ଼ିଶା ୧୧୧; ଛତିଶଗଡ଼ ୨୪୭/୫

ସିକେ ନାୟୁଡୁ ଟ୍ରଫି

ବଲାଙ୍ଗୀର: ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ଛତିଶଗଡ଼ ସିକେ ନାୟୁଡୁ ଟ୍ରଫି କ୍ରିକେଟର ତୃତୀୟ ଦିବସ ଶେଷରେ ଭ୍ରମଣକାରୀ ଦଳ ଅଗ୍ରଣୀ ନେଇଯାଇଛି। ଘରୋଇ ଓଡ଼ିଶାର ପ୍ରଥମ ପାଳିକୁ ମାତ୍ର ୧୧୧ ରନ୍‌ରେ ସୀମିତ ରଖିଦେବା ପରେ ଛତିଶଗଡ଼ ମଙ୍ଗଳବାର ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୫ ଓ୍ଵିକେଟ୍‌ ବିନିମୟରେ ୨୪୭ ରନ୍‌ କରିନେଇଛି। ଫଳରେ ହାତରେ ୫ ଓ୍ଵିକେଟ୍‌ ଥାଇ ଏହି ଦଳ ୧୩୬ ରନ୍‌ରେ ଆଗୁଆ ରହିଛି। ଋଷଭ ଚୌବେ ଓ ଅନୁପମ ଟପ୍ପୋ ଛତିଶଗଡ଼ ପାଳି ଆରମ୍ଭ କରିଥିଲେ। ପ୍ରଥମ ଓ୍ଵିକେଟ୍‌ରେ ୫୮ ରନ୍‌ ଯୋଡ଼ିବା ପରେ ଅନୁପମ (୩୭) ସର୍ବଶ୍ୱେର ମହାନ୍ତିଙ୍କ ଥ୍ରୋ’ରେ ରନ୍‌ ଆଉଟ୍‌ ହୋଇଯାଇଥିଲେ। ଏହାପରେ ସଂଜିତ ଦେଶାଇ (୧୬), ଋଷଭ (୪୪), ଅଜୟ ମଣ୍ଡଳ (୧୧) ଓ ମୟଙ୍କ ଓ୍ଵାଧେର (୩୧) ପାଭିଲିୟନ୍‌ ଫେରିଯାଇଥିଲେ। ୧୯୮ ରନ୍‌ରେ ୫ ଓ୍ଵିକେଟ୍‌ ହରାଇଥିବା ଛତିଶଗଡ଼ ପାଇଁ ସାହବନ୍‌ ଖାନ୍‌ (୬୯*) ଓ ସାକିବ୍‌ ଅହମ୍ମଦ (୩୬*) ଅବିଭାଜିତ ଷଷ୍ଠ ଓ୍ଵିକେଟ୍‌ରେ ୪୯ ରନ୍‌ ଯୋଡ଼ି ଦଳକୁ ଭଲ ସ୍ଥିତିରେ ପହଞ୍ଚାଇ ଦେଇଛନ୍ତି।

ଓଡ଼ିଶା ପାଇଁ ସ୍ପିନର୍‌ ଶୁଭମ ନାୟକ ୨, ଦେବବ୍ରତ ପ୍ରଧାନ ଓ ଜାମାଲା ଭଂଜ ମହାପାତ୍ର ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଛନ୍ତି। ବୁଧବାର ଶେଷ ଦିନ ପାଳି ଘୋଷଣା କରି ଓଡ଼ିଶା ଉପରେ ଚାପ ପକାଇବାକୁ ଛତିଶଗଡ଼ ଲକ୍ଷ୍ୟ ରଖିଛି। ଆଉ ମ୍ୟାଚ୍‌ ଅମୀମାଂସିତ ରହିଲେ ବି ପାଳି ଆଗୁଆ ଭିତ୍ତିରେ ଛତିଶଗଡ ୩ ପଏଣ୍ଟ ହାତେଇବା ନିଶ୍ଚିତ ହୋଇଯାଇଛି।
ଏହା ପୂର୍ବରୁ ସୋମବାରର ସ୍କୋର୍‌ ୪/୭୯ରୁ ମଙ୍ଗଳବାର ଖେଳିଥିବା ଓଡ଼ିଶା ଦଳ ଛତିଶଗଡ ବୋଲର୍‌ଙ୍କ ଆଗରେ ହାର ମାନିଥିଲେ। ସୋମବାର ୪୨ ଓଭର ଖେଳିଥିବା ଓଡ଼ିଶା ମଙ୍ଗଳବାର ଆଉ ୧୬ ଓଭର ଖେଳି ଦଳୀୟ ସ୍କୋର୍‌ରେ ୩୨ ରନ୍‌ ଯୋଡ଼ିଥିଲା ବେଳେ ଅବଶିଷ୍ଟ ୬ ଓ୍ଵିକେଟ୍‌ ହରାଇଥିଲା। ଛତିଶଗଡ ପାଇଁ ଅଜୟ ମଣ୍ଡଳ ୨୨ ଓଭରରେ ୨୬ ରନ୍‌ ଦେଇ ୬ ଓ୍ଵିକେଟ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର