ଅଫ୍‌ ସାଇଡ୍‌: ନବଜାତ କନ୍ୟାକୁ ଦେଖିବାକୁ ସ୍ୱତନ୍ତ୍ର ଜେଟ୍‌ରେ ସ୍ୱଦେଶ ଗଲେ ନଡ୍‌ସେନ୍‌

ସମାରା: ବିଶ୍ୱକପ୍‌ ଖେଳୁଥିବା ଡେନ୍‌ମାର୍କ ଖେଳାଳି ୟୋନାସ୍‌ ନଡ୍‌ସେନ୍‌ଙ୍କ ପାଇଁ ଖୁସି ଦ୍ୱିଗୁଣିତ ହୋଇଛି। ବିଶ୍ୱକପ୍‌ରେ ୨ଟି ମ୍ୟାଚ୍‌ ସୁଦ୍ଧା ଡେନମାର୍କ ୪ ପଏଣ୍ଟ୍‌ ପାଇ ଅପରାଜିତ (୧ ବିଜୟ, ୧ ଅମୀମାଂସିତ) ରହିବା ସହ ପ୍ରି-କ୍ୱାର୍ଟରଫାଇନାଲ୍‌ ସମ୍ଭାବନାକୁ କାଏମ ରଖିଛି। ସେପଟେ ନଡ୍‌ସେନ୍‌ଙ୍କ ପତ୍ନୀ ତ୍ରାଇନ୍‌ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବାରୁ ସେ ଅତି ଆନନ୍ଦିତ ଅଛନ୍ତି। ଧାର୍ଯ୍ୟ ତାରିଖର ଅନେକ ସପ୍ତାହ ଆଗରୁ ସେ ଜନ୍ମ ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଏଭଳି ସମୟରେ ନଡ୍‌ସେନ୍‌ଙ୍କୁ ଏକ ସ୍ୱତନ୍ତ୍ର ଜେଟ୍‌ରେ ସ୍ୱଦେଶ ପଠାଇବା ଲାଗି ଖେଳାଳିମାନେ ଏକାଠି ହୋଇଛନ୍ତି। ଖେଳାଳିମାନେ ଏହି ଖର୍ଚ ବହନ ଲାଗି ମଧ୍ୟ ରାଜି ହୋଇଛନ୍ତି। ଗ୍ରୁପ୍‌ ‘ସି’ରେ ପେରୁ ବିପକ୍ଷରେ ଦଳର ୧-୦ ବିଜୟ ପରେ ଖେଳାଳିମାନେ ଏଭଳି ନିଷ୍ପତ୍ତି ନେଇଥିଲେ। ‘ଏକଥା ଭୁଲିଯିବା ଉଚିତ୍‌ ନୁହେଁ ଯେ, ଆମେ ଫୁଟ୍‌ବଲର୍‌ ହେବା ସହିତ ସମାନ ସମୟରେ ମଧ୍ୟ ଜଣେ ଜଣେ ମଣିଷ’ ବୋଲି କହିଥିଲେ ଦଳର ଗୋଲ୍‌ରକ୍ଷକ କାସ୍‌ପେର୍‌ ଶ୍ଚିମ୍‌ଚେଲ୍‌। ଜଣେ ବାପା ଭାବେ ମୁଁ ଜାଣିଛି ଏଭଳି ଖବର ପାଇବା ବେଳେ ପତ୍ନୀ ପାଖରେ ନ ରହିବା କେତେ କଷ୍ଟଦାୟକ’ ବୋଲି ସେ କହିଥିଲେ। ଦଳରେ ଏତେ ପିତା ଥିବାରୁ ଆମେ ଚାହୁଁଛୁ ସେ କନ୍ୟାକୁ ଦେଖି ଆସିବା ଭଲ।

ସମ୍ବନ୍ଧିତ ଖବର