କ୍ରୀଡ଼ା ବିଭାଗଠୁ ଅନୁଦାନ ଆଶାରେ ଓଡ଼ିଶା ୟାଚିଂ ସଂଘ

ଅଲିମ୍ପିକ୍‌ ସଂଘ ସ୍ୱୀକୃତି ଦେଲାନି

କଟକ: ଦୀର୍ଘ ବର୍ଷ ଧରି ଓଡ଼ିଶାର ଜଳକ୍ରୀଡ଼ାକୁ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇଛି ଓଡ଼ିଶା ୟାଚିଂ ସଂଘ। ହେଲେ କୌଣସି ସ୍ୱୀକୃତି ମିଳିନଥିବାରୁ ଖେଳାଳିମାନେ ଏବେ ଅନ୍ୟମାନଙ୍କ ପାଇଁ ଅଜଣା ହୋଇଯାଇଛନ୍ତି। ଓଡ଼ିଶା ଅଲିମ୍ପିକ୍‌ ସଂଘ ସ୍ୱୀକୃତି ଦେଉନଥିବା ବେଳେ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ମଧ୍ୟ ସଂଘକୁ କୌଣସି ଅନୁଦାନ ମିଳିପାରୁନଥିଲା। ହେଲେ ବର୍ତ୍ତମାନ କେନ୍ଦ୍ର କ୍ରୀଡ଼ା ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଥିବା ୪୩ ଖେଳ ମଧ୍ୟରେ ୟାଚିଂ ସ୍ଥାନ ପାଇଥିବା ବେଳେ ସେହି ତାଲିକାକୁ ରାଜ୍ୟ କ୍ରୀଡ଼ା ବିଭାଗ ପାଖକୁ ପଠାଯାଇଛି। ଏହା ଜାଣିବା ପରେ କ୍ରୀଡ଼ା ବିଭାଗର ସ୍ୱତନ୍ତ୍ର ଅଧିକାରୀ ଜ୍ଞାନରଂଜନ ପରିଡ଼ାଙ୍କ ସହିତ ଓଡ଼ିଶା ୟାଚିଂ ସଂଘ ସମ୍ପାଦକ ସବିର ବକ୍ସଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବାର୍ଷିକ ଅନୁଦାନ ପାଇଁ ଆବେଦନ କରିବାକୁ କ୍ରୀଡ଼ା ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିପାଇଁ ତାମିଲନାଡ଼ୁ ଓ ଅନ୍ୟାନ୍ୟ ୟାଚିଂ କ୍ଲବ୍‌ ମାନଙ୍କର ପରାର୍ଶ ଲୋଡ଼ିଛନ୍ତି ସବିର ବକ୍ସ।

ଆନ୍ତର୍ଜାତିକ ବୁଡ଼ାଳି ସବିର ବକ୍ସଙ୍କ ନେତୃତ୍ୱରେ ଗଢା ହୋଇଥିବା ଓଡ଼ିଶା ୟାଚିଂ ସଂଘ ଆରମ୍ଭରୁ ଗରିବ ପିଲାମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ତାଲିମ ଦେଇଆସୁଛି। ସେହି ଖେଳାଳିମାନେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଏକାଧିକ ପଦକ ପାଇଲେଣି। କଟକରୁ ଶେଖର ରାଓ, ଦୀଲେଶ ରାଓ, ମହେଶ ରାଓ, ଗୋପାଳପୁରରୁ କେ ସମୟା, ରାଉରକେଲାରୁ ରବି ମୁଣ୍ଡା, ଗୋପ୍‌ରୁ ସାହାବୁଦ୍ଦିନ୍‌ ସାହା, ବ୍ରହ୍ମପୁରର ମନସ୍ୱିନୀ ମହାରଣା ଓଡ଼ିଶାକୁ ପ୍ରତିନିଧିତ୍ୱ କରିଆସୁଛନ୍ତି। କେବଳ ଏତିକି ନୁହେଁ ଓଡ଼ିଶା ଖେଳାଳିଙ୍କ ପ୍ରଦର୍ଶନକୁ ଦେଖି ଭାରତୀୟ ନୌସେନା, କୋଷ୍ଟଗାର୍ଡ, ଓଡ୍ରାଫ୍‌ ଯବାନମାନଙ୍କୁ ମଧ୍ୟ ତାଲିମ ଦେବା ପାଇଁ ସେମାନଙ୍କୁ ନିୟୋଜିତ କରାଯାଉଛି। ହେଲେ ୟାଚିଂ ପାଇଁ ଆବଶ୍ୟକୀୟ ବୋଟ୍‌ ଓ ଅନ୍ୟାନ୍ୟ ଉପକରଣ ବ୍ୟୟବହୁଳ ହେଉଥିବାରୁ ମାତ୍ର ଗୋଟିଏ ବୋଟ୍‌ରେ ଅଭ୍ୟାସ କରାଯାଉଛି। ଏଥିସହିତ ଜାତୀୟ ଓ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ବେଳେ ସମସ୍ତ ଖର୍ଚ୍ଚ ବହନ କରିବା ସବିରଙ୍କ ପକ୍ଷେ ସମ୍ଭବ ହେଉନଥିବାରୁ ଅନେକ କ୍ଷେତ୍ରରେ ଖେଳାଳିମାନେ ଅଧାରୁ ଓହରିଆସୁଛନ୍ତି। ଏଭଳିସ୍ଥିତିରେ କିଛି ବଦାନ୍ୟ ବ୍ୟକ୍ତି ସଂଘକୁ ବେଳେବେଳେ ଆର୍ଥିକ ସହାୟତା ଯୋଗାଇ ଆସୁଛନ୍ତି। ସଂଘର ସଭାପତି ସୁନୀଲ ରାଉତ, ଉପ ସଭାପତି କୌଶିକ ଦାସ, ସୁବାସ ଦାସ, ଯୁଗ୍ମ ସମ୍ପାଦକ ପ୍ରଦୀପ ମହାପାତ୍ର, ସୁଶାନ୍ତ ଘୋଷ ଏବଂ କଲିକତାରେ ମନୀଷା ଘୋଷ ସ୍ୱଇଚ୍ଛାରେ ଖେଳାଳିମାନଙ୍କୁ ସହାୟତା ଯୋଗାଇ ଆସୁଛନ୍ତି। କିନ୍ତୁ ଏହା ଦୀର୍ଘସ୍ଥାୟୀ ହେବ ନାହିଁ। ଏଥିପାଇଁ ସରକାରୀ ଅନୁଦାନର ନିତାନ୍ତ ଆବଶ୍ୟକତା ରହିଥିବା ସବିର କହିଛନ୍ତି।

ପୂର୍ବରୁ ଏକାଧିକଥର ଅଲିମ୍ପିକ ସଂଘର ସ୍ୱୀକୃତି ପାଇଁ ଆବେଦନ କରାଯାଇଥିଲେ ବି ତାହାକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଖେଳାଳିମାନଙ୍କୁ ବାହାରକୁ ପଠାଯିବା ବେଳେ କ୍ରୀଡ଼ା ବିଭାଗଠୁ ଆର୍ଥିକ ସହାୟତା ଲୋଡ଼ାଯାଇଥିଲା। ସେଥିରେ ବି ନିରାଶ ହୋଇଥିଲେ। ହେଲେ ଏବେ ଭାରତୀୟ ୟାଚିଂ ସଂଘ ଓ କେନ୍ଦ୍ର କ୍ରୀଡ଼ା ବିଭାଗର ଚିଠି ଓଡ଼ିଶା ସରକାରଙ୍କ ପାଖକୁ ଆସିଥିବାରୁ ରାଜ୍ୟ କ୍ରୀଡ଼ା ବିଭାଗ ଏବେ ତତ୍ପରତା ପ୍ରକାଶ କରିଛି। ହେଲେ ଅନୁଦାନ ପାଇଁ ଆବେଦନ କରିବା ପୂର୍ବରୁ ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ମାନଦଣ୍ଡ ସଂକ୍ରାନ୍ତରେ ପରାମର୍ଶ ନେବା ପାଇଁ ଭାରତୀୟ ସଂଘ ସହିତ ତାମିଲନାଡୁ ୟାଚିଂ ସଂଘ ଏବଂ କିଛି ୟାଚିଂ କ୍ଲବ୍‌ମାନଙ୍କ ସହିତ ରାଜ୍ୟ ୟାଚିଂ ସଂଘ ପକ୍ଷରୁ ପରାମର୍ଶ ଲୋଡ଼ାଯାଇଛି। ଯଦି ସବୁକିଛି ଠିକ୍‌ଠାକ୍‌ ରୁହେ, ତାହେଲେ ଓଡ଼ିଶା ସରକାର ରାଜ୍ୟ ସଂଘକୁ ବାର୍ଷିକ ଅନୁଦାନ ପ୍ରଦାନ କରିବେ ବୋଲି ସବିର ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର