ଆସନ୍ତାବର୍ଷ ଜୁଲାଇ ୨୩ରୁ ଟୋକିଓ ଅଲିମ୍ପିକ୍ସ: ଅଗଷ୍ଟ ୮ରେ ସରିବ, ପାରାଲିମ୍ପିକ୍ସ ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଚାଲିବ

ଅଲିମ୍ପିକ୍ସ ବିଳମ୍ବ ପାଇଁ ଜାପାନର ୪୫,୦୦୦ କୋଟି କ୍ଷତି

‌‌ଟୋକିଓ: କରୋନା ଆତଙ୍କ ପାଇଁ ସ୍ଥଗିତ ହୋଇଥିବା ଟୋକିଓ ଅଲିମ୍ପିକ୍ସ ଆସନ୍ତାବର୍ଷ ଜୁଲାଇ ମାସ ୨୩ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୮ ତାରିଖରେ ଶେଷ ହେବ। ସେହିଭଳି ପାରାଲିମ୍ପିକ୍ସ ଅଗଷ୍ଟ ୨୪ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଟୋକିଓ ଅଲିମ୍ପିକ୍ସ ଆୟୋଜନ ସମିତିର ମୁଖ୍ୟ ୟାସିରୋ ମୋରି ସୋମବାର ଏହି ଘୋଷଣା କରିଛନ୍ତି। ପୂର୍ବରୁ ଟୋକିଓ ଅଲିମ୍ପିକ୍ସର ନୂଆ ତାରିଖ ଚଳିତ ସପ୍ତାହରେ ଘୋଷଣା ହେବ ବୋଲି ମୋରି କହିଥିଲେ। ସେ କହିଥିଲେ ଯେ ଆମକୁ ଶୀଘ୍ର ଅଲିମ୍ପିକ୍ସର ନୂଆ ତାରିଖ ଘୋଷଣା କରିବାକୁ ହେବ। ମୁଁ ଭାବୁଛି ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସଭାପତି ଥୋମାସ ବାକ୍ ଏଇ ସପ୍ତାହରେ ହିଁ ମୋ ସହ କଥା ହେବେ। କିନ୍ତୁ ହଠାତ୍ ସୋମବାର ସେ ନୁଆ ତାରିଖ ଘୋଷଣା କରିଛନ୍ତି। ଏଥିନେଇ ବାକ୍ ସମ୍ମତି ପ୍ରକାଶ କରିଥିବା ଅନୁମାନ କରାଯାଇଛି। ଅଲିମ୍ପିକ୍ସ ସ୍ଥଗିତ ହୋଇଥିଲେ ମଧ୍ୟ ପୂର୍ବରୁ କିଣା ଯାଇଥିବା ସମସ୍ତ ଟିକେଟ ବୈଧ ରହିବ, ଟିକେଟଧାରୀ ଚାହିଁଲେ ଏହାର ମୂଲ୍ୟ ମଧ୍ୟ ଫେରି ପାଇବେ ବୋଲି ମୋରି ସୂଚନା ଦେଇଛନ୍ତି। ସେହିଭଳି ଅଗଷ୍ଟ ୮, ୨୦୨୧ରେ ଉଦଯାପନୀ ଉତ୍ସବ ଆୟୋଜିତ ହୋଇପାରେ ବୋଲି ଜାପାନର ସରକାରୀ ପ୍ରସାରଣକାରୀ ସଂସ୍ଥା ଏନ୍ଏଚ୍‌କେ ଘୋଷଣା କରିଥିଲା। ଯାହା ଏବେ ସତ ପ୍ରମାଣିତ ହୋଇଛି। ଅଲିମ୍ପିକ୍ସର ନୂଆ ତାରିଖ ଘୋଷଣା ହେବା ପରେ ସାରା ବିଶ୍ବର ହଜାର ହଜାର କ୍ରୀଡ଼ାବିତ୍ ଆଶ୍ବସ୍ତ ହୋଇଛନ୍ତି। ସେମାନଙ୍କ ମନରେ ଥିବା ଦ୍ବନ୍ଦ୍ବ ଓ ସଂଶୟ ମଧ୍ୟ ଦୂର ‌ହୋଇଛି। ତେବେ ଏହି କାରଣରୁ ଜାପାନ ସରକାର କୋଟି କୋଟି ଟଙ୍କାର ଆର୍ଥିକ କ୍ଷତି ସହିବାର ସର୍ବାଧିକ ସମ୍ଭାବନା ରହିଛି। ଆୟୋଜକମାନେ ଏହା ପୂର୍ବରୁ ଟୋକିଓର ଉତ୍ତପ୍ତ ଜୟବାୟୁକୁ ଆଖି ଆଗରେ ରଖି ମାରାଥନ ଦୌଡ଼କୁ ସାପୋରୋକୁ ସ୍ଥାନାନ୍ତର କରିଥିଲେ। ଯାହା ଟୋକିଓଠାରୁ ୫୦୦ କିଲୋମିଟର ଦୂରରେ ଅବସ୍ଥିତ। ଜାପାନର ଏହି ସହରର ତାପମାତ୍ରା ବର୍ଷ ସାରା ୨୦ ଡିଗ୍ରି ଭିତରେ ରହୁଥିଲା ବେଳେ ଟୋକିଓ ଅପେକ୍ଷା ଏଠାକାର ଜୟବାୟୁ ଅତ୍ୟନ୍ତ ଶୀତଳ। ସୂଚନାଯୋଗ୍ୟ ଯେ ଟୋକିଓ ଅଲିମ୍ପିକ୍ସ ଚଳିତ ବର୍ଷ ଜୁଲାଇ ୨୪ରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ୧୬ ଦିନ ଧରି ଖେଳାଯିବାର ଥିଲା। କରୋନା ପାଇଁ ଏହାକୁ ୨୦୨୧କୁ ଘୁଞ୍ଚାଇ ଦିଆଯାଇଥିଲା।

ଟୋକିଓ: ଟୋକିଓ ଅଲିମ୍ପିକ୍ସ ବର୍ଷେ ଘୁଞ୍ଚିବା ଜାପାନ ଅର୍ଥନୀତିକୁ ଦୋହଲାଇ ଦେବା ଭଳି ସ୍ଥିତି ଆଣି ଦେଇଛି। କେବଳ ଜାପାନ ନୁହେଁ ବିଶ୍ବର ଅନ୍ୟ ପ୍ରମୁଖ ଅଲିମ୍ପିକ୍ସ ଅଂଶଗ୍ରହଣକାରୀ ଦେଶ ପାଇଁ ମଧ୍ୟ ଆର୍ଥିକ ଝଟ୍‌କା ଭଳି ହୋଇଛି। ବର୍ଷ ବର୍ଷର ପ୍ରସ୍ତୁତି ଏବଂ ଭିତ୍ତିଭୂମି ଗଢ଼ାର ଖର୍ଚ୍ଚ ଶେଷରେ ଫସର ଫାଟିଯାଇଛି। କେବଳ ଏହି କାରଣରୁ ଜାପାନକୁ ପ୍ରାୟ ୪୫,୦୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିବ। ମୋଟ ୯୦,୫୩୭ କୋଟି ଟଙ୍କାର ଅଟକଳ ମଧ୍ୟରୁ ଏହି କ୍ଷତି ସହିବାକୁ ପଡ଼ିବ। ତା’ ମଧ୍ୟରେ ଛୋଟ ବ୍ୟବସାୟୀ, ହୋଟେଲ୍‌, ପ୍ରୋ ବେସ୍‌ବଲ୍‌ ଦଳର ଖର୍ଚ ସାମିଲ ରହିଛି। ଆଧୁନିକ ଅଲିମ୍ପିକ୍ସର ୧୨୪ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ମହାମାରୀ କାରଣରୁ ଏହି ୪ ବର୍ଷିଆ ପ୍ରତିଯୋଗିତାକୁ ଗୋଟିଏ ବର୍ଷ ଘୁଞ୍ଚାଇବାକୁ ପଡ଼ିଛି।
ନୂଆ ତାରିଖ ଘୋଷଣା ହୋଇଛି। ହେଲେ ମହାମାରୀର ପ୍ରକୋପ ଦୂର ହୋଇନାହିଁ। ଏଥି ପାଇଁ ଅଲିମ୍ପିକ୍ସର ପ୍ରାୟୋଜକ ଏବଂ ବ୍ୟବସାୟୀମାନେ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି। ଅଲିମ୍ପିକ୍ସର ଅର୍ଥନୈତିକ ପ୍ରଭାବ ଉପରେ କାନସାଇ ବିଶ୍ବବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ଅନୁଧ୍ୟାନ ପରେ ମୋଟ ୬୪୧ ବିଲିୟନ୍‌ ୟେନ୍ (ପ୍ରାୟ ୪୫,୦୦୦ କୋଟି ଟଙ୍କା) କ୍ଷତି ହେବ ବୋଲି ପ୍ରଫେସର କାତସୁହିରୋ ମିୟାମୋତୋ ପ୍ରକାଶ କରିଛନ୍ତି। ଅଲିମ୍ପିକ୍ସ ପ୍ରସ୍ତୁତି ଦିଗରେ ଟୋକିଓ ଅୟୋଜକ ପ୍ରାୟ ୧୨ ବିଲିୟନ୍‌ ଡଲାର ଖର୍ଚ କରିଥିଲା। ବିଳମ୍ବ କାରଣରୁ ସମସ୍ତଙ୍କ ଉପରେ ଅତିରିକ୍ତ ଖର୍ଚ ପଡ଼ିବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସଂଘ (ଆଇଓସି) ଘୋଷଣା କରିସାରିଛି। ଅଲିମ୍ପିକ୍ସ ବିଷୟବସ୍ତୁ ଉପରେ ଆଧାରିତ ‘ଟୋକିଓ ବାନାନା’ କେକ୍‌ କମ୍ପାନି ଅଧିକ କ୍ଷତି ସହିବ ବୋଲି ମଧ୍ୟ ଜଣାପଡିଛି। ଦେଶର ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ବଡ଼ ଝଟ୍‌କା ପହଞ୍ଚିଛି। କେତେକ ପ୍ରାୟୋଜକ ବର୍ଷକ ପାଇଁ ଚୁକ୍ତି କରିଥିବାରୁ ମଧ୍ୟ ଏହା ଅନିଶ୍ଚିତତା ଭିତରେ ରହିଛି। ଆୟୋଜକଙ୍କ ଷ୍ଟୋର ଭାବେ ବ୍ୟବହୃତ ଲାଗି ଚୁକ୍ତିବଦ୍ଧ ଥିବା ଜିଙ୍ଗୁ ବେସ୍‌ବଲ୍‌ ଷ୍ଟାଡିୟମ୍‌ ମଧ୍ୟ କ୍ଷତିର ଅନ୍ୟତମ କାରଣ ହେବ। ସେହିଭଳି ଅଲିମ୍ପିକ୍ସର ସରକାରୀ ପ୍ରସାରଣକାରୀ ସଂସ୍ଥା ଏନ୍‌ଏଚ୍‌କେ ଏବଂ ଘରୋଇ ପ୍ରସାରଣକାରୀ ସଂସ୍ଥା ଫୁଜି ଟେଲିଭିଜନ୍‌ ନେଟ୍‌ୱାର୍କ ସେମାନଙ୍କ କାର୍ଯ୍ୟକ୍ରମକୁ ବାତିଲ କରିଥିବାରୁ ମଧ୍ୟ କୋଟି କୋଟି ୟେନରେ କ୍ଷତି ସହିବେ। ଅନ୍ୟ ୩ଟି ପ୍ରସାରଣକାର ସଂସ୍ଥା ମଧ୍ୟ କାର୍ଯ୍ୟକ୍ରମ ପରିବର୍ତନ ନେଇ କୌଣସି କଥା ଶୁଣୁନାହାନ୍ତି।

କ୍ରୀଡ଼ାଗ୍ରାମ ଓ ହୋଟେଲ୍ ଚିନ୍ତା
ଟୋକିଓ-୨୦୨୦ ଲାଗି ନିର୍ମିତ ଅଲିମ୍ପିକ୍ସ ଭିଲେଜ୍‌ରେ ୧୦,୦୦୦ରୁ ଊର୍ଧ୍ବ ଖେଳାଳିଙ୍କ ରହଣୀ ବ୍ୟବସ୍ଥା ହୋଇଥିଲା। ଏହାକୁ ପରବର୍ତୀ ସମୟରେ ଆରାମଦାୟକ ଆପାର୍ଟମେଣ୍ଟ୍‌ରେ ରୂପାନ୍ତର କରାଯାଇଥାନ୍ତା। ଅଧିକାଂଶ ରୁମ୍‌ ମଧ୍ୟ ବିକ୍ରୀ ସରିଛି। ଫଳରେ ଏବେ ଏହି କ୍ରୀଡ଼ାଗ୍ରାମ ଅତିରିକ୍ତ ଚିନ୍ତାର କାରଣ ହୋଇଛି। ୨୦୨୩ ମସିହା ସୁଦ୍ଧା କ୍ରେତାମାନଙ୍କୁ ଫ୍ଲାଟ୍‌ ଯୋଗାଇ ଦେବାର ଚୁକ୍ତି ରହିଛି। ଏବେ ନିଜ ଫ୍ଲାଟକୁ ସ୍ଥାନାନ୍ତର କରିବା ନେଇ ଅନିଶ୍ଚିତତା ଦେଖା ଦେଇଛି ବୋଲି କହିଛନ୍ତି ଜଣେ ମହିଳା। ଆମ ଅନୁମତି ବିନା ଫ୍ଲାଟକୁ ଗୋଟିଏ ବର୍ଷ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି। ଅବଶିଷ୍ଟ ଫ୍ଲାଟ୍‌ ଏବଂ ସୋ ରୁମ୍‌ ଗୁଡିକର ବିକ୍ରୀକୁ ବନ୍ଦ କରି ଦିଆଯାଇଛି ବୋଲି ସମ୍ପୃକ୍ତ ରିୟଲ୍‌ ଇଷ୍ଟେଟ୍‌ କମ୍ପାନିର ମାଲିକ ପ୍ରକାଶ କରିଛନ୍ତି। ସେହିଭଳି ମୋଟ ୪୫ ଲକ୍ଷ ଟିକେଟ୍ ବିକ୍ରୀ ସରିଥିଲା ଏବଂ ପାରା ଅଲିମ୍ପିକ୍ସ ପାଇଁ ମଧ୍ୟ ୯ ଲକ୍ଷ ୭୦ ହଜାର ଟିକେଟ୍‌ ବିକ୍ରୀ ଅପେକ୍ଷାରେ ଥିଲା। ଟିକେଟ୍‌ କିନ୍ତୁ ଆସନ୍ତା ବର୍ଷ ସମାନ ଇଭେଣ୍ଟ ପାଇଁ ବଳବତ୍ତର ରହିବ ବୋଲି କହାଯାଇଛି। ସରକାରୀ ଲୋକ ଏବଂ ପ୍ରାୟୋଜକଙ୍କୁ ଛାଡ଼ି ଟୋକିଓ-୨୦୨୦ ଆୟୋଜନ ସମିତିରେ ମଧ୍ୟ ପ୍ରାୟ ୩,୫୦୦ ଲୋକ ନିଯୁକ୍ତ ଥିଲେ। ଯେଉଁମାନଙ୍କ ଖର୍ଚ ମଧ୍ୟ ବୋଝ ପାଲଟିବ। ହୋଟେଲ୍ ରୁମ୍ ବୁକିଂରେ ହ୍ରାସ ଘଟିଥିବାରୁ ଜାପାନର ହୋଟେଲ୍ ସଂଘ ମଧ୍ୟ ପ୍ରକଟ କରିଛି।

ସମ୍ବନ୍ଧିତ ଖବର