ଅଲିମ୍ପିକ୍‌ ହକି ଟେଷ୍ଟ୍‌ ଇଭେଣ୍ଟ୍‌ : ଭାରତକୁ ଯୁଗଳ ଟ୍ରଫି

ଲିଗ୍‌ ପର୍ଯ୍ୟାୟର ମଧୁର ପ୍ରତି‌ଶୋଧ ନେଲେ ପୁରୁଷ, ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ୍‌କୁ ୫-୦ରେ ହରାଇଲେ

ନୂଆଦିଲ୍ଲୀ : ଜାପାନର ଟୋକିଓରେ ଚାଲିଥିବା ଅଲିମ୍ପିକ୍‌ ଟେଷ୍ଟ୍‌ ଇଭେଣ୍ଟ ହକି ପ୍ରତିଯୋଗିତାରେ ଭାରତୀୟ ପୁରୁଷ ଦଳ ବିଜେତା ହୋଇଛି। ବୁଧବାର ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ୍‌କୁ ୫-୦ ଗୋଲ୍‌ରେ ପରାସ୍ତ କରି ଲିଗ୍‌ ପରାଜୟର ମଧୁର ପ୍ରତିଶୋଧ ମଧ୍ୟ ନେଇଥିଲା। ଲିଗ୍‌ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ୍‌ ୨-୧ ଗୋଲ୍‌ରେ ଭାରତକୁ ପରାସ୍ତ କରିଥିଲା। ଏପରିକି ଲିଗ୍‌ ଶେଷରେ ଅପରାଜେୟ ସହ ସର୍ବାଧିକ ପଏଣ୍ଟ୍‌ ପାଇ ଶୀର୍ଷରେ ରହିଥିଲା ନ୍ୟୁଜିଲାଣ୍ଡ୍‌। ଭାରତ ଦ୍ବିତୀୟ ସ୍ଥାନ ସହ ଫାଇନାଲ୍‌ ପ୍ରବେଶ କରିଥିଲା। ହେଲେ ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ ସଂପୂର୍ଣ୍ଣ ଆତ୍ମସମର୍ପଣ କରିଥିଲା। ପ୍ରଥମ ଦୁଇ କ୍ବାର୍ଟର ମଧ୍ୟରେ ୫ ଗୋଲ୍‌ ଲଦି ଦେଇ ଭାରତ ଏକପାଖିଆ ବିଜୟ ହାସଲ କରି ବିଜେତା ଆଖ୍ୟା ହାତେଇ ନେଇଥିଲା।

ଲିଗ୍‌ ପର୍ଯ୍ୟାୟ ଶେଷରେ ପଏଣ୍ଟ୍‌ ତାଲିକାର ଦୁଇ ଶ୍ରେଷ୍ଠ ଦଳ ମଧ୍ୟରେ ଅନୁଷ୍ଠିତ ଏହି ଟ୍ରଫି ମୁକାବିଲାରେ ଭାରତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପୂରା ଆଧିପତ୍ୟ ବିସ୍ତାର କରିଥିଲା। ଯାହା ଫଳରେ ସପ୍ତମ ମିନିଟ୍‌ରେ ହିଁ ଦଳକୁ ଲାଗ ଲାଗ ଦୁଇଟି ପେନାଲ୍‌ଟି କର୍ନର ମିଳିଥିଲା। ପ୍ରଥମଟି ନିଷ୍ଫଳ ଯାଇଥିଲା ବେଳେ ଦ୍ବିତୀୟକୁ ଅଧିନାୟକ ହର୍‌ମନ୍‌ପ୍ରୀତ୍‌ ସିଂହ ଗୋଲ୍‌ କରିବାରେ ତ୍ରୁଟି କରିନଥିଲେ। ଏଥି ସହିତ ପ୍ରଥମ କ୍ବାର୍ଟରରେ ଭାରତ ୧-୦ର ଅଗ୍ରଣୀ ପାଇଯାଇଥିଲା। ଦ୍ବିତୀୟ କ୍ବାର୍ଟରରେ କିନ୍ତୁ ଭାରତ ଜୋର୍‌ଦାର ଆକ୍ରମଣ କରି ନ୍ୟୁଜିଲାଣ୍ଡ୍‌ ରକ୍ଷଣ ଭାଗକୁ ଚାପରେ ରଖିଥିଲା। ଏହି କ୍ବାର୍ଟରରେ ଭାରତ ୯ ମିନିଟ୍‌ ଅନ୍ତରାଳରେ ୪ ଗୋଲ୍‌ ଲଦି ଦେଇଥିଲା। ୧୮ ମିନିଟ୍‌ରେ ସାମ୍‌ସେର ସିଂହ ଆଉ ଏକ ପେନାଲ୍‌ଟି କର୍ନରକୁ ଗୋଲ୍‌ରେ ରୁପାନ୍ତରିତ କରିବା ପରେ ୨୨ ମିନିଟ୍‌ରେ ନିଳକାନ୍ତ ଶର୍ମା, ୨୬ ମିନିଟ୍‌ରେ ଗୁରସାହିବ୍‌ଜିତ ସିଂହ ଏବଂ ୨୭ ମିନିଟ୍‌ରେ ମନ୍‌ଦୀପ୍‌ ସିଂହ ଗୋଟିଏ ଲେଖାଏଁ ଗୋଲ୍‌ କରି ବ୍ୟବଧାନ ୫-୦ କରିଦେଇଥିଲେ। ମଙ୍ଗଳବାର ମାଲେସିଆ ବିପକ୍ଷ ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ହ୍ୟାଟ୍ରିକ୍ ଅର୍ଜନ କରିଥିବା ମନ୍‌ଦୀପ ସିଂହ ଫାଇନାଲ୍‌ରେ ମଧ୍ୟ ପେନାଲ୍‌ଟି କର୍ନର ଗୋଲ୍‌ କରିଥିଲେ। ଏହି କ୍ବାର୍ଟରରେ ନ୍ୟୁଜିଲାଣ୍ଡ ଦୁଇ ଥର ଭାରତ ସର୍କଲ ମଧ୍ୟରେ ପ୍ରବେଶ କରିଥିଲେ ମଧ୍ୟ ଗୋଲ୍‌ କରିବାକୁ ସମର୍ଥ ହୋଇନଥିଲା। ଉଭୟ ଗୁରସାହିବଜିତ୍‌ ଓ ମନ୍‌ଦୀପ୍‌ଙ୍କ ଗୋଲ୍‌ରେ ବିବେକ ପ୍ରସାଦଙ୍କ ଅବଦାନ ରହିଥିଲା। ଅବଶିଷ୍ଟ ଦୁଇ କ୍ବାର୍ଟରରେ ଭାରତ ଆଉ ଅଧିକ ଗୋଲ୍‌ କରିବାକୁ ସମର୍ଥ ହୋଇନଥିଲେ ମଧ୍ୟ ନ୍ୟୁଜିଲାଣ୍ଡକୁ ଗୋଲ୍‌ ଖାତା ଖୋଲିବାକୁ ସୁଯୋଗ ଦେଇନଥିଲା। ୩୭ ମିନିଟ୍‌ରେ ନ୍ୟୁଜିଲାଣ୍ଡ୍‌ ପେନାଲ୍‌ଟି ସୁଯୋଗ ପାଇଥିଲେ ମଧ୍ୟ ଜର୍‌ମନପ୍ରୀତ୍‌ ସିଂହ ସବୁ ପ୍ରୟାସକୁ ନାକାମ କରିଦେଇଥିଲେ। ନିର୍ଧାରିତ ସମୟ ଶେଷ ହେବା ବେଳକୁ ଭାରତ ୫-୦ ଅଗ୍ରଣୀ ସହ ପ୍ରତିଯୋଗିତାର ବିଜେତା ଆଖ୍ୟା ହାସଲ କରିନେଇଥିଲା। ଆମେ ବହୁତ ଭଲ ଖେଳିଲୁ। ଆରମ୍ଭରୁ ଗୋଲ୍‌ ସୁଯୋଗ ସୃଷ୍ଟି କରି ପ୍ରତିପକ୍ଷକୁ ଚାପରେ ରଖିଥିଲୁ। ଫାଇନାଲ୍‌ ସବୁ‌ବେଳେ ଆହ୍ବାନ ଥାଏ। ଲିଗ୍‌ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ୍‌ଠୁ ହାରିଥିଲୁ। ହେଲେ ଫାଇନାଲ୍‌ ପାଇଁ ପ୍ରସ୍ତୁତି ଭଲ କରିଥିଲୁ। ଯାହାର ଫଳ ମିଳିଲା ବୋଲି ମ୍ୟାଚ୍‌ ଶେଷରେ କହିଥିଲେ ଅଧିନାୟକ ହର୍‌ମନ୍‌ପ୍ରୀତ୍‌ ସିଂହ।

ଅନ୍ୟପକ୍ଷରେ ପୁରୁଷ ବର୍ଗର ତୃତୀୟ ସ୍ଥାନ ପାଇଁ ମୁକାବିଲାରେ ମାଲେସିଆକୁ ୬-୧ ଗୋଲ୍‌ରେ ପରାସ୍ତ କରି ଆୟୋଜକ ଜାପାନ ସାନ୍ତ୍ବନା ପାଇଥିଲା।

ସମ୍ବନ୍ଧିତ ଖବର