ଓଏମ୍‌ସି କପ୍‌: ଅର୍ଥ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜୟୀ

ଭୁବନେଶ୍ୱର: ଅର୍ଥ ବିଭାଗ ସାସ୍କୃତିକ ସଂଘ ଆନୁକୂଲ୍ୟରେ ସଚିବାଳୟ ପରିସରରେ ସୋମବାର ଓଏମ୍‌ସି କପ୍‌ (ଅନ୍ତବିଭାଗୀୟ ଟେନିସ୍‌ ବଲ୍‌ କ୍ରିକେଟ୍‌) ଆରମ୍ଭ ହୋଇଛି। ପ୍ରଥମ ଦିନରେ ଅର୍ଥ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜୟୀ ହୋଇଛନ୍ତି। ଅର୍ଥ ବିଭାଗ ୫ ଓ୍ଵିକେଟ୍‌ରେ ଆଇଟି ସେଣ୍ଟର୍‌କୁ ପରାସ୍ତ କରିଥିଲା। ଆଇଟି ସେଣ୍ଟର ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୮ ଓଭରରେ ୬୪/୫ କରିଥିଲା। ଜିଏସ୍‌ ଦଳାଇ ୨୧, ବିମଳ ଜେନା ୧୬ ରନ୍‌ କରିଥିଲା ବେଳେ ଅକ୍ଷୟ ପରିଡ଼ା ଓ ନରେନ୍ଦ୍ର ଦାସ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଅର୍ଥ ବିଭାଗ ୭ ଓଭରରେ ୩ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଡିଆର୍‌ ବିଶୋଇ ୨୯ ଏବଂ ଦୁର୍ଯୋଧନ ବାର୍ଲା ୧୩, ଅକ୍ଷୟ ପରିଡ଼ା ୮ ରନ୍‌ କରିଥିଲେ।
ଦ୍ୱିତୀୟ ମ୍ୟାଚ୍‌ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୫ ଓ୍ଵିକେଟ୍‌ରେ ଇସ୍ପାତ ଓ ଖଣି ବିଭାଗକୁ ପରାସ୍ତ କରିଥିଲା। । ଇସ୍ପାତ ଓ ଖଣି ଦଳ ୨ ଓ୍ଵିକେଟ୍‌ ହରାଇ ୬୪ ରନ୍‌ କରିଥିଲା। ଜେଏସ୍‌ ଦଳାଇ ୪୮ ଓ ବିଶ୍ୱଜିତ ନାୟକ ୧୨ ରନ୍‌ କରିଥିଲେ। ଜବାବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୭.୪ ଓଭରରେ ୩ ଓ୍ଵକେଟ୍‌ ବିନିମୟରେ ଆବଶ୍ୟକ ରନ୍‌ ସଂଗ୍ରହ କରିନେଇଥିଲା। ଜିତେନ୍ଦ୍ର ବାରିକ ୩୧ ଓ ଏ ଖଣ୍ଡାଇ ୧୩ ରନ୍‌ କରିଥିଲେ। ମ୍ୟାଚ୍‌ଗୁଡ଼ିକୁ ମାରୁତି ଆଚାର୍ଯ୍ୟ ଏବଂ ପ୍ରଦୀପ କୁମାର ଜେନା ପରିଚାଳନା କରିଥିଲା ବେଳେ ରାଧାଶ୍ୟାମ ମିଶ୍ର ଓ ଅଶୋକ ମହାନ୍ତି ସ୍କୋରର୍‌ ଥିଲେ।
ସୋମବାର ଉଦ୍‌ଘାଟନୀ ଉତ୍ସବରେ ଅର୍ଥ ବିଭାଗରେ ସ୍ୱତନ୍ତ୍ର ସଚିବ ଏକେକେ ମୀନା ମୁଖ୍ୟ ଅତିଥି, ଓଏମ୍‌ସିର ସାନ୍ତନୁ ରଥ, ମନୋରଂଜନ ସ୍ୱାଇଁ ଏବଂ ଅର୍ଥ ବିଭାଗର ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ନନ୍ଦ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ। ଅର୍ଥ ବିଭାଗ ସାସ୍କୃତିକ ସଂଘର ସଭାପତି ନିର୍ମଳ କୁମାର ମିଶ୍ର ସଭା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପସଭାପତି ଭକ୍ତରାମ ପଟ୍ଟନାୟକ, କ୍ରୀଡ଼ା ସମ୍ପାଦକ ତରୁଣ ଚନ୍ଦ୍ର ପାଲ, କୋଷାଧ୍ୟକ୍ଷ ରଂଜନ କୁମାର ନନ୍ଦ ଏବଂ ସଭ୍ୟ ହରିପ୍ରସନ୍ନ ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର