ଦିନିକିଆରେ ଭାରତ ପାଇଁ ଶୀର୍ଷ ମାନ୍ୟତା ସୁଯୋଗ

ଶ୍ରୀଲଙ୍କାକୁ ମୂଳପୋଛ କଲେ ଦକ୍ଷିଣ ଆଫ୍ରିକାକୁ ହଟାଇବ

ଦୁବାଇ: ରବିବାର (ଆସନ୍ତାକାଲି)ଠୁ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଅଭିଯାନ ଆରମ୍ଭ କରିବ ଭାରତ। ପ୍ରଥମ ମ୍ୟାଚ୍‌ ଧର୍ମଶାଳାରେ ଖେଳିବାକୁ ଯାଉଥିବା ଭାରତ ପାଇଁ ଏହି ଶୃଙ୍ଖଳା ଆଇସିସି ଦିନିକିଆ ମାନ୍ୟତା ପାଇଁ ଗୁରୁତ୍ୱ ବହନ କରିବ। ଟେଷ୍ଟ ମାନ୍ୟତା ଶୀର୍ଷରେ ଥିବା ଭାରତ ଏବେ ଦିନିକିଆ ଦଳଗତ ମାନ୍ୟତାରେ ଦକ୍ଷିଣ ଆଫ୍ରିକା ପଛକୁ ଦ୍ୱିତୀୟରେ ରହିଛି। ଉଭୟ ଦକ୍ଷିଣ ଆଫ୍ରିକା ଓ ଭାରତ ସମାନ ରେଟିଂ ପଏଣ୍ଟ୍‌ (୧୨୦)ରେ ରହିଥିଲେ ମଧ୍ୟ ଭାରତ ପଏଣ୍ଟ୍‌ ବ୍ୟବଧାନରେ ୭ ପଛରେ ରହିଛି। ଦକ୍ଷିଣ ଆଫ୍ରିକା ୬୩୮୬ ପଏଣ୍ଟ୍‌ ସହ ଶୀର୍ଷ ମାନ୍ୟତା ମାଡ଼ି ବସିଥିଲା ବେଳେ ଭାରତ ୬୩୭୯ ପଏଣ୍ଟ୍‌ ସହ ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳା ମୂଳପୋଛ (୩-୦) କରିପାରିଲେ ଭାରତ ଶୀର୍ଷରୁ ଦକ୍ଷିଣ ଆଫ୍ରିକାକୁ ଗାଦିଚ୍ୟୁତ କରିଦେବ। ଏପରିକି ଧର୍ମାଶାଳା ମ୍ୟାଚ୍‌ ଜିତିଗଲେ ଭାରତ ୧୨୧ ପଏଣ୍ଟ୍‌ରେ ପହଞ୍ଚି ଡେସିମଲ୍‌ ପଏଣ୍ଟ୍‌ରେ ଦକ୍ଷିଣ ଆଫ୍ରିକା ଉପରକୁ ଉଠିବ। ହେଲେ ପରବର୍ତୀ ଦୁଇ ମ୍ୟାଚ୍‌ ଜିତିଲେ ହିଁ ଶୀର୍ଷ ସ୍ଥାନ ପକ୍କା କରିବ। ଆଇସିସି ମାନ୍ୟତାର ଅଷ୍ଟମ ସ୍ଥାନରେ ଥିବା ଶ୍ରୀଲଙ୍କା ବିପକ୍ଷରେ ଭାରତ ଯଦି ୨-୧ରେ ଶୃଙ୍ଖଳା ଜିତେ ତଥାପି ଏହି ଦଳ ୧୧୯ ପଏଣ୍ଟ୍‌କୁ ଖସିଯିବ। ଫଳରେ ଭାରତ ଦ୍ୱିତୀୟ ସ୍ଥାନରେ ହିଁ ସନ୍ତୁଷ୍ଟ ରହିବ। ଅନ୍ୟପକ୍ଷରେ ଏହି ଶୃଙ୍ଖଳା ଶ୍ରୀଲଙ୍କା ପାଇଁ ମାନ୍ୟତାରେ ଉନ୍ନତି ଆଣିବାର ଅବକାଶ ରଖିନାହିଁ। ଶ୍ରୀଲଙ୍କା ଏବେ ୮୩ ପଏଣ୍ଟ୍‌ ସହବାଂଲାଦେଶ (୯୨) ପଛକୁ ରହିଛି। ଯଦି ବି ଭାରତକୁ ୩-୦ରେ ମୂଳପୋଛ କରିଦିଏ, ତହାଲେ ମଧ୍ୟ ଶ୍ରୀଲଙ୍କାର ପଏଣ୍ଟ୍‌ ସଂଖ୍ୟା ୮୭ରେ ପହଞ୍ଚିବ।

ସମ୍ବନ୍ଧିତ ଖବର