ଏକା ପାଣ୍ଡ୍ୟା ପାରିଲେ

ଭାରତ ୨୦୯: ଦକ୍ଷିଣ ଆଫ୍ରିକା ୬୫/୨

କେପ୍‌ ଟାଉନ୍‌: କେବଳ ହାର୍ଦିକ ପାଣ୍ଡ୍ୟା ପାରିଲେ। ବୋଲିଂ ବିସ୍ଫୋରଣ ପରେ ବ୍ୟାଟିଂରେ ବି ଅସୀମ ଧୈର୍ଯ୍ୟ ଦେଖାଇଲେ ଭୁବନେଶ୍ୱର କୁମାର। ଭାରତ ଲଜ୍ଜାରୁ ବର୍ତି ପ୍ରଥମ ପାଳିରେ ୨୦୯ ରନ୍‌ କରିନେଲା। ଉଭୟଙ୍କ ମଧ୍ୟରେ ହୋଇଥିବା ୯୯ ରନ୍‌ର ଅଷ୍ଟମ ଓ୍ଵିକେଟ୍‌ ଭାଗୀଦାରି ହିଁ ଭାରତର ସମ୍ମାନ ରଖିଲା। ପ୍ରଥମ ପାଳି ପଛୁଆକୁ କାଟି କାଟି ୭୭ ରନ୍‌ରେ ସୀମିତ ରଖିଦେଲେ ପାଣ୍ଡ୍ୟା-ଭୁବି ଯୋଡ଼ି। କିନ୍ତୁ ଭାରତ ଉପରୁ ବିପଦ ଟଳିଲା ନାହିଁ। ଦ୍ୱିତୀୟ ପାଳିରେ ଦକ୍ଷିଣ ଆଫ୍ରିକା ୬୫ ରନ୍‌ରେ ୨ ଓ୍ଵିକେଟ୍‌ ହରାଇ ମୋଟ ଉପରେ ୧୪୨ ରନରେ ଆଗୁଆ ହୋଇ ଫାଇଦାରେ ରହିଛି। ଉଭୟ ଓ୍ଵିକେଟ୍‌ ନେଇ ହାର୍ଦିକ ପାଣ୍ଡ୍ୟା ମଧ୍ୟ ଶନିବାରକୁ ନିଜ ନାମରେ କରି ନେଇଛନ୍ତି।

୯୯ ରଖିଲା ସମ୍ମାନ

ଭାରତ ଶନିବାର ୨୮/୩ରୁ ଖେଳିବା ବେଳେ ଅନେକ ଆଶା ଓ ଆଶଙ୍କା ଥିଲା। ପ୍ରଥମ ଘଣ୍ଟାକୁ କିନ୍ତୁ ରୋହିତ ଶର୍ମା ଏବଂ ଚେତେଶ୍ୱର ପୂଜାରା ଧୈର୍ଯ୍ୟର ସହ ଖେଳି ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ନିରାଶ କରିଥିଲେ। ରୋହିତ ଶର୍ମାଙ୍କୁ କାଗିସୋ ରବାଦା ଏଲ୍‌ବିଡବ୍‌ଲ୍ୟୁ କରିଦେବା ପରେ ଭାରତ ପୁଣି ବିପର୍ଯ୍ୟୟ ମୁହାଁ ହୋଇଥିଲା। ରୋହିତ ଶର୍ମା ୫୯ ବଲ୍‌ ଖେଳି ୧୧ କରିବା ପରେ ତାଙ୍କ ପାରମ୍ପାରିକ ବିଳମ୍ବିତ ବିସ୍ଫୋରଣ ପାଳି ଖେଳି ପାରିନଥିଲେ। ଚେତେଶ୍ୱର ପୂଜାରା (୨୬, ୯୨ ବଲ୍‌, ୫ ଚୌକା) ଫିଲାଣ୍ଡରଙ୍କ ଶିକାର ହୋଇ ଫେରିଥିଲେ। ବ୍ୟାଟିଂ ପଦୋନ୍ନତି ପାଇ ୬ ନମ୍ବରରେ ଆସିଥିବା ଅଶ୍ୱିନ୍‌ (୧୨) ଏବଂ ଓ୍ଵିକେଟରକ୍ଷକ ରିଦ୍ଧିମାନ ସାହା (୦) ୧୧ ରନ୍‌ ଭିତରେ ଫେରି ଆସିବାରୁ ଭାରତ ହଠାତ୍‌ ୯୨/୭ରେ ପହଞ୍ଚିଯାଇଥିଲା। ଏହି ସମୟରେ ଘରୋଇ କ୍ରିକେଟ୍‌ର ଦୁଇ ଅଲରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟା ଏବଂ ଭୁବନେଶ୍ୱର କୁମାର ସମ୍ମାନରକ୍ଷାକାରୀ ଭାଗୀଦାରି ଗଢ଼ିଥିଲେ। ପାଣ୍ଡ୍ୟା ଗୋଟିଏ ପଟୁ ତାଙ୍କ ପାରିବା ପଣିଆର ପ୍ରମାଣ ଛାଡ଼ିଥିବାବେଳେ ଅନ୍ୟ ପାର୍ଶ୍ୱରେ ଭୁବନେଶ୍ୱର କୁମାର ଟେଷ୍ଟ୍‍ କ୍ରିକେଟ୍‌ରେ ଆବଶ୍ୟକ ଧୈର୍ଯ୍ୟର ଝଲକ ଦେଖାଇଥିଲେ। ଭୁବି ୩୨ ବଲ୍‌ ଖେଳିବା ପରେ ପ୍ରଥମ ରନ୍‌ ସଂଗ୍ରହ କରିଥିଲେ। କିନ୍ତୁ ଭାରତ ଶତକୀୟ ଭାଗୀଦାରିରୁ ମାତ୍ର ୧ ରନ୍‌ ପାଇଁ ବଞ୍ଚିତ ହୋଇଥିଲା। ଭୁବନେଶ୍ୱର କୁମାର (୨୫, ୮୬ ବଲ୍‌, ୪ ଚୌକା)ଙ୍କୁ ଆଉଟ୍‌ କରି ମର୍ନି ମର୍କେଲ ଏହି ବଡ଼ ଭାଗୀଦାରିକୁ ଅଲଗା କରିଥିଲେ। ଦୁଇ ଥର ଜୀବନଦାନ ପାଇ (କ୍ୟାଚ୍‌ ଏବଂ ଷ୍ଟମ୍ପିଂ ହାତଛଡ଼ା ବେହାରୁ) ହାର୍ଦିକ ପାଣ୍ଡ୍ୟା ଏହାର ଭରପୁର ପାଇଦା ଉଠାଇଥିଲେ। ୬୮ତମ ଓଭରରେ ରବାଦାଙ୍କ ବାଉନ୍‌ସର ତାଙ୍କ ତଳି ପେଟରେ ବାଜିଥିଲା। ରବାଦାଙ୍କ ପରବର୍ତୀ ଓଭରରେ ବିଚଳିତ ପାଣ୍ଡ୍ୟା ଏକାଗ୍ରତା ହରାଇ ବଡ ସଟ୍‌ ଖେଳି ଓ୍ଵିକେଟ୍‌ ପଛପଟେ କ୍ୱିଣ୍ଟନ୍‌ ଡି’କକ୍‌ଙ୍କ ହାତରେ ଧରାପଡ଼ିଥିଲେ। ମାତ୍ର ୭ ରନ୍‌ ପାଇଁ ନିଜ ଦ୍ୱିତୀୟ ଟେଷ୍ଟ ଶତକରୁ ବଞ୍ଚିତ ହୋଇଥିଲେ। ୯୫ ବଲ୍‌ରୁ ୧୪ ଚୌକା, ୧ ଛକା ସହିତ ୯୩ ରନ୍‌ କରିଥିଲେ। ବୁମରାଙ୍କ ଓ୍ଵିକେଟ୍‌ ନେଇ ରବାଦା ମଧ୍ୟ ଭାରତ ପାଳିକୁ ୨୦୯ରେ ଶେଷ କରି ଦେଇଥିଲେ। ୪ ଜଣିଆ ଦ୍ରୁତ ବୋଲିଂ ବ୍ୟୁହ ରଚନା କରିଥିବା ଦକ୍ଷିଣ ଆଫ୍ରିକା ପାଇଁ ଏମାନେ ସମାନ ଭାବେ ୩-୩ (ଫିଲାଣ୍ଡର୍‌-ରବାଦା), ୨-୨ (ଷ୍ଟେନ୍‌-ମର୍କେଲ) ଓ୍ଵିକେଟ୍‌ ବାଣ୍ଟି ନେଇଥିଲେ।

ଦକ୍ଷିଣ ଆଫି୍ରକା ଦୃଢ଼
ପ୍ରଥମ ପାଳି ଦୁଃସ୍ୱପ୍ନକୁ ପଛରେ ପକାଇ ଦକ୍ଷିଣ ଆଫ୍ରିକାର ପ୍ରାରମ୍ଭିକ ଯୋଡ଼ି ଆଦେନ ମର୍କରାମ ଏବଂ ଡିନ୍‌ ଏଲଗାର୍‌ ୫୨ ରନ୍‌ ଉଠାଇଥିଲେ। କିନ୍ତୁ ଶନିବାର ନାୟକ ସାଜିଥିବା ହାର୍ଦିକ ପାଣ୍ଡ୍ୟା ବୋଲିଂରେ ବି ଭାରତକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲେ। ଲଗାତର ଓଭର ତଥା ମାତ୍ର ୫ ବଲ୍‌ ଭିତରେ ଉଭୟଙ୍କୁ ପ୍ୟାଭିଲିଅନ୍‌ ଫେରାଇ ଦେଇଥିଲେ। ମର୍କରାମଙ୍କ ବ୍ୟାଟ୍‌ରୁ ଟପ୍‌ ଏଜ୍‌ ନେଇ ଯାଇଥିବା ବଲ୍‌କୁ ପଏଣ୍ଟ୍‌ ଅଞ୍ଚଳରେ ଭୁବନେଶ୍ୱର କୁମାର କାବୁ କରିଥିଲେ। ସେହିଭଳି ଏଲଗାରଙ୍କ ଅଫ୍‌ ଷ୍ଟମ୍ପ୍‌ ଲାଇନ୍‌ରେ ପକାଇଥିବା ବଲ୍‌ ତାଙ୍କ ବ୍ୟାଟ୍‌ ଧାର ଛୁଇଁ ରିଦ୍ଧିମାନ ସାହାଙ୍କ ଗ୍ଲୋଭ୍‌ସରେ ପଡ଼ିଥିଲା। ଦ୍ୱିତୀୟ ଦିନରେ ଭାରତ ୯୨/୭ ବିପଦରୁୁ ବାହାରି ୨୦୯ ରନ୍‌ କରିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ଏବେ ମୋଟ ଉପରେ ହାତରେ ୮ ଓ୍ଵିକେଟ୍‌ ଥାଇ ୧୪୨ ରନ୍‌ରେ ଆଗୁଆ ହୋଇ ସାରିଥିବାରୁ ଦୃଢ଼ ସ୍ଥିତିରେ ରହିଛି। ଭାରତକୁ ଏହି ଟେଷ୍ଟ୍‍ରେ ବର୍ତିବା ଓ ଜିତିବାକୁ ଅନେକ କିଛି କରିବାକୁ ହେବ କୋହଲି ବାହିନୀକୁ।

ଷ୍ଟେନଙ୍କ ସିଟି ସ୍କାନ୍‌
ଶନିବାର ଖେଳର ଚା’ ପାନ ବିରତିର ଠିକ୍‌ ପୂର୍ବ ଓଭର ଅର୍ଥାତ୍‌ ଭାରତୀୟ ପାଳିର ୬୧ତମ ଓଭର ଅଧାରୁ ଦକ୍ଷିଣ ଆଫ୍ରିକାର ପ୍ରମୁଖ ବୋଲର ଡେଲ୍‌ ଷ୍ଟେନ୍‌ ପଡ଼ିଆ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଏହି ଓଭରର ପ୍ରଥମ ତିନିଟି ବଲ୍‌ ବୋଲିଂ କରିବା ପରେ ଗୋଡ଼ରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ଆଉ ବୋଲିଂ କରି ପାରି ନଥିଲେ। ଫଳରେ ସାଥୀ ବୋଲର ଭର୍ନାନ ଫିଲାଣ୍ଡର ତାଙ୍କ ଓଭର ଶେଷ କରିଥିଲେ। ଷ୍ଟେନ୍‌ ଛୋଟେଇ ଛୋଟେଇ ପାଭିଲିୟନ ଫେରିବା ପରେ ଡ୍ରେସିଂ ରୁମ୍‌ରେ କଫି ପିଉଥିବା ଦେଖିବାକୁ ମିଳିଥିଲେ। ତେବେ ପ୍ରତିଶେଦ୍ଧକ ବ୍ୟବସ୍ଥା ସ୍ୱରୁପ ତୁରନ୍ତ ତାଙ୍କୁ ଏକ ନିକଟସ୍ଥ ଡାକ୍ତରଖାନକୁ ନିଆ ଯାଇଥିଲା। ସେଠାରେ ତାଙ୍କର ସିଟି ସ୍କାନ୍‌ କରାଯାଇଥିଲା। ଏଥିରେ ସବୁକିଛି ଠିକ୍‌ ଥିବା ସ୍ପଷ୍ଟ ହୋଇ ଯାଇଥିଲା। ତାଙ୍କ ସିଟି ସ୍କାନ୍‌ ରିପୋର୍ଟ ଦକ୍ଷିଣ ଆଫ୍ରିକାକୁ ଆଶ୍ୱସ୍ତ କରିଥିଲା। ଏଥିପାଇଁ କିନ୍ତୁ ସେ ଭାରତ ପାଳି ଶେଷ ହେବା ପର୍ଯ୍ୟନ୍ତ ଆଉ ପଡ଼ିଆରେ ଦେଖିବାକୁ ମିଳି ନଥିଲେ। ଷ୍ଟେନ୍‌ ଆହତ ହୋଇ ଦୀର୍ଘ ଦିନ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଦୂରେଇ ରହିବା ପରେ ଭାରତ ଶୃଙ୍ଖଳାରେ ଫେରିଛନ୍ତି। ପୂର୍ବରୁ ଦୁଇ ଥର ତାଙ୍କ କାନ୍ଧରେ ଅସ୍ତ୍ରୋପଚାର ହୋଇ ସାରିଥିବାରୁ ଟିକିଏ କିଛି ହେଲେ ସେ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲୁ ନାହାନ୍ତି।

ସମ୍ବନ୍ଧିତ ଖବର