ଦ୍ୱିତୀୟ ଥର ଗୋଟିଏ ବର୍ଷରେ ୨ ଆନ୍ତର୍ଜାତିକ ମ୍ୟାଚ୍‌

ବାରବାଟୀ ଟେ୍ଵଣ୍ଟି-୨୦ ଆଉ ୮ ଦିନ

କଟକ: ବାରବାଟୀ ଷ୍ଟାଡିୟମ ବର୍ତ୍ତମାନ ଆନ୍ତର୍ଜାତିକ କ୍ରିକେଟ୍‌ ପାଇଁ ଏକ ନିୟମିତ ସ୍ଥାନ ହୋଇଗଲାଣି। ନିୟମିତ ଅନ୍ତରାଳରେ ଏଠାରେ ଆନ୍ତର୍ଜାତିକ ମ୍ୟାଚ୍‌ ଆୟୋଜନ ହେଉଛି। ଆସନ୍ତା ୨୦ ତାରିଖରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଶୃଙ୍ଖଳାର ପ୍ରଥମ ତଥା ବାରବାଟୀର ଦ୍ୱିତୀୟ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳାଯିବ। ଏହା ପୂର୍ବରୁ ଚଳିତ ବର୍ଷ ଜାନୁଆରି ୧୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ ଖେଳାଯାଇଥିଲା। ତେବେ ଗୋଟିଏ ବର୍ଷରେ ଦୁଇଟି ଆନ୍ତର୍ଜାତିକ ମ୍ୟାଚ୍‌ ଆୟୋଜନ କରିବା ବାରବାଟୀ ଷ୍ଟାଡିୟମରେ ଏହା ଦ୍ୱିତୀୟ ଘଟଣା। ପୂର୍ବରୁ ୧୯୮୭ ମସିହାରେ ବାରବାଟୀରେ ଦୁଇଟି ଆନ୍ତର୍ଜାତିକ ମ୍ୟାଚ୍‌ ଖେଳାଯାଇଥିଲା। ସେହି ବର୍ଷ ଜାନୁଆରି ୪ ତାରିଖରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଥର ପାଇଁ ବାରବାଟୀରେ ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା। ସେହି ମ୍ୟାଚ୍‌କୁ ଭାରତ ଏକ ପାଳି ଓ ୬୭ ରନ୍‌ରେ ଜିତିଯାଇଥିଲା। ପୁଣି ସେହି ବର୍ଷ ଭାରତରେ ବିଶ୍ୱକପ୍‌ ଆୟୋଜନ ହେଉଥିବା ବେଳେ ଅକ୍ଟୋବର ୩୦ ତାରିଖରେ ବାରବାଟୀରେ ଅଷ୍ଟ୍ରେଲିଆ ଓ ଜିମ୍ବାେଓ୍ଵ ମଧ୍ୟରେ ବିଶ୍ୱକପ୍‌ର ୨୧ତମ ମ୍ୟାଚ୍‌ ଖେଳାଯାଇଥିଲା। ସେହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୭୦ ରନ୍‌ରେ ବିଜୟୀ ହୋଇଥିଲା। ପ୍ରଥମ ଥର ପାଇଁ ଗୋଟିଏ ବର୍ଷରେ ଦୁଇଟି ଆନ୍ତର୍ଜାତିକ ମ୍ୟାଚ୍‌କୁ ସଫଳତାର ସହ ଆୟୋଜନ କରିବା ପରେ ୧୯୯୬ ମସିହାରେ ମଧ୍ୟ ଆଉ ଏକ ସୁଯୋଗ ଓଡ଼ିଶା କ୍ରିକେଟ ସଂଘକୁ ମିଳିଥିଲା। ୧୯୯୬ ଫେବ୍ରୁଆରି ୧୮ ତାରିଖରେ ଭାରତ ଓ କେନିୟା ମଧ୍ୟରେ ଗୋଟିଏ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ ଆୟୋଜନ ହୋଇଥିଲା। ଘରୋଇ ଦଳ ଏହି ମ୍ୟାଚ୍‌କୁ ୭ ଓ୍ଵିକେଟରେ ଜିତିଥିଲା। ଏହାପରେ ଅକ୍ଟୋବର ୨୭ ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଷର ଦ୍ୱିତୀୟ ଆନ୍ତର୍ଜାତିକ ଦିନିକିଆ ଖେଳାଯିବାକୁ ସୂଚୀ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ପ୍ରବଳ ବର୍ଷା ହେବା ଯୋଗୁଁ ସେହି ମ୍ୟାଚ୍‌ ଖେଳାଯାଇପାରିନଥିଲା।

ସମ୍ବନ୍ଧିତ ଖବର