ଟ୍ବେଣ୍ଟି-୨୦ ପରେ ଦିନିକିଆ ଟକ୍କର: ଚେନ୍ନାଇରେ ଆଜି ପ୍ରଥମ ଲଢ଼େଇ

ଆହତ ଭୁବିଙ୍କ ସ୍ଥାନରେ ସାର୍ଦୁଲ ଠାକୁର

ଭୁବନେଶ୍ବର: ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିଥିବା ଭାରତୀୟ କ୍ରିକେଟ୍ ଦଳ ରବିବାରଠାରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିନିକିଆ ଅଭିଯାନ ଆରମ୍ଭ କରିବ। ଉଭୟ ଦଳ ମଧ୍ୟରେ ଖେଳା ଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ଆସନ୍ତାକାଲି ଚେନ୍ନାଇର ଏମ୍‌ ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ଠାରେ ଖେଳାଯିବ। ଘରୋଇ ପରିବେଶ ସହ ଗତ କିଛି ବର୍ଷର ପ୍ରଦର୍ଶନକୁ ଦୃଷ୍ଟିରେ ରଖିଲେ ଏହି ଶୃଙ୍ଖଳାରେ ମଧ୍ୟ ଭାରତର ପଲ୍ଲା ନିଶ୍ଚିତ ଭାବେ ଭାରି ରହିବ। ଗତ ୨୪ ଘଣ୍ଟା ଭିତରେ ଚେନ୍ନାଇରେ ବର୍ଷା ହୋଇଥିବାରୁ ପାଗ ଉପରେ ମଧ୍ୟ ଦୁଇ ଦଳର ନଜର ରହିବ। ଏହି କାରଣରୁ ଶନିବାର ଭାରତୀୟ କ୍ରିକେଟ୍ ଦଳର ଅଭ୍ୟାସ ଅଧିବେଶନ ବି ବାତିଲ ହୋଇ ଯାଇଥିଲା। ଏହି ଶୃଙ୍ଖଳା ଜିତିଲେ କିନ୍ତୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ଲଗାତାର ଦଶମ ଦିନିକିଆ ଶୃଙ୍ଖଳା ବିଜୟର ଗୌରବ ହାସଲ କରିବ।

ପୁଣି ପନ୍ତଙ୍କ ଉପରେ ନଜର
ତଳପେଟରେ ଯନ୍ତ୍ରଣା ପାଇଁ ଘରୋଇ ଦଳ ଦ୍ରୁତ ବୋଲର ଭୁବନେଶ୍ବର କୁମାରଙ୍କ ସେବାରୁ ବଞ୍ଚିତ ହେବ। ସେହିଭଳି ଶିଖର ଧାୱନ ସଂପୂର୍ଣ୍ଣ ସୁସ୍ଥ ନଥିବାରୁ ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କୁ ସମ୍ଭାବ୍ୟ ଦଳରେ ସାମିଲ କରାଯାଇଛି। ଭୁବନେଶ୍ବରଙ୍କ ସ୍ଥାନରେ ସାର୍ଦୁଲ ଠାକୁର ଦଳକୁ ଡକାରା ପାଇଛନ୍ତି। ତେବେ ରବିବାର ମୟଙ୍କଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବାର ସମ୍ଭାବନା କମ୍ ରହିଛି। ସେପଟେ ଟ୍ବେଣ୍ଟି-୨୦ରେ ବହୁତ ଭଲ ପ୍ରଦର୍ଶନ କରିଥିବା ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା‌ ଓ ଲୋକେଶ ରାହୁଲ ପାଳି ଆରମ୍ଭ କରିବା ଏକ ପ୍ରକାର ନିଶ୍ଚିତ। ଶ୍ରେୟସ୍ ଆୟର ୪ ନମ୍ବର ସ୍ଥାନ ନେବାର ସଙ୍କେତ ମିଳିଥିଲା ବେଳେ ପୁଣି ଥରେ ସମସ୍ତଙ୍କ ନଜର ଯୁବ ୱିକେଟ୍ ରକ୍ଷକ ଋଷବ ପନ୍ତଙ୍କ ଉପରେ ରହିବ। ଋଷବ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଆଶାଜନକ ପ୍ରଦର୍ଶନ କରି ପାରି ନଥିଲା ବେଳେ ୱିକେଟ୍ ରକ୍ଷଣରେ ମଧ୍ୟ ବିଫଳ ରହିଥିଲେ। ଅନ୍ୟପକ୍ଷରେ ବିଶ୍ବକପ୍‌ରେ ଶେଷ ଥର ପାଇଁ ଏକାଠି ଖେଳିଥିବା ସ୍ପିନ୍ ଯୋଡ଼ି ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ଦଳରେ ସାମିଲ ହେଉଛନ୍ତି କି ନାହିଁ ତାହା ଦେଖିବା ମଜାଦାର ହେବ। ଏମ ଏ ଚିଦାମ୍ବରମ୍ ପିଚ୍ ପାରମ୍ପରିକ ଭାବେ ସ୍ପିନରଙ୍କୁ ସୁହାଉଥିବାରୁ ଏହି ଦୁଇ ଜଣଙ୍କ ଉପରେ ଅଧିନାୟକ ବିରାଟ କୋହଲି ଆସ୍ଥା ପ୍ରକଟ କରୁଛନ୍ତି କି ନାହିଁ, ତାହା ଶନିବାର ସଂଧ୍ୟା ସୁଦ୍ଧା ସ୍ପଷ୍ଟ କରି ନାହାନ୍ତି। ଭୁବିଙ୍କ ଅନୁପସ୍ଥିତିରେ ମହମ୍ମଦ ସାମି ଓ ଦୀପକ ଚହର ଭାରତୀୟ ଦ୍ରୁତ ବୋଲିଂ ବାହିନୀର ନେତୃତ୍ବ ନେବେ। ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ବିସ୍ଫୋରକ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଏଭିନ ଲୁଇସଙ୍କ ସେବାରୁ ବଞ୍ଚିତ ହୋଇପାରେ। ମୁମ୍ବାଇ ଟ୍ବେଣ୍ଟି-୨୦ରେ ସେ ଆହତ ହୋଇଥିଲେ। ସେଥିପାଇଁ ଇଣ୍ଡିଜ୍ ଦୁଇ ଯୁବ ତାରକା ସିମରନ୍ ହେଟମେର ଏବଂ ନିକୋଲାସ ପୂରନଙ୍କ ଉପରେ ନିର୍ଭରଶୀଳ ରହିବ। ଅଲରାଉଣ୍ଡର୍‌ ରସ୍ତନ ଚେସ୍ ଫେରିବା ପରେ ଇଣ୍ଡିଜ୍ ଦଳ ଅଧିକ ସନ୍ତୁଳିତ ହୋଇ ପାରିବ। ସେଲଡନ୍ କଟରେଲ୍‌ ୱେଷ୍ଟଇଣ୍ଡିଜ୍ ବୋଲିଂ ବାହିନୀର ନେତୃତ୍ବ ନେବେ। ପୂର୍ବତନ ଅଧିନାୟକ ଜାସନ ହୋଲ୍ଡର, ଲେଗ୍‌ସ୍ପିନର ହେଡେନ୍ ୱାଲ୍ସ ଜୁନିଅରଙ୍କ ଭୂମିକା ମଧ୍ୟ ବେଶ୍ ମହତ୍ବପୂର୍ଣ୍ଣ ରହିବ। ଅଧିନାୟକ କିରଣ ପୋଲାର୍ଡଙ୍କ ଦିନିକିଆ ପ୍ରଦର୍ଶନ ସେତେଟା ଭଲ ନଥିବାରୁ ଏହା ଅବଶ୍ୟ ଏହି ଦଳ ପାଇଁ ଚିନ୍ତାର କାରଣ ହୋଇପାରେ।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ମୟଙ୍କ ଅଗ୍ରୱାଲ, ଲୋକେଶ
ରାହୁଲ, ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ଋଷବ ପନ୍ତ, ଶିଭମ ଦୁବେ, କେଦାର ଯାଦବ, ରବୀନ୍ଦ୍ର ଜାଦେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଦୀପକ ଚହର, ମହମ୍ମଦ ସାମି, ସାର୍ଦୁଲ ଠାକୁର।

‌ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍: କିରଣ ପୋଲାର୍ଡ (ଅଧିନାୟକ), ସୁନୀଲ ଅମ୍ବ୍ରିସ, ସାଇ ହୋପ୍, ଖରି ପିଏରେ, ରସ୍ତନ ଚେଜ୍, ଆଲଜାରି ଜୋସେଫ, ସେଲଡନ୍ କଟ୍ରେଲ, ବ୍ରାଣ୍ଡନ କିଙ୍ଗ୍, ନିକୋଲାସ ପୂରନ, ସିମରନ୍ ହେଟମେର, ଏଭିନ ଲୁଇସ୍, ରୋମାରିଓ ସେଫାର୍ଡ, ଜାସନ ହୋଲ୍ଡର, କିମୋ ପଲ୍, ହେଡେନ୍ ୱାଲ୍ସ (ଜୁନିଅର)।

ଭାରତ-ଇଣ୍ଡିଜ୍ ଦିନିକିଆ ଶୃଙ୍ଖଳା ପରିସଂଖ୍ୟାନ
ସର୍ବାଧିକ ରନ୍: ବିରାଟ କୋହଲି
ଭାରତ ଓ ୱେଷ୍ଟଇଣ୍ଡିଜ୍ ଦିନିକିଆ ଶୃଙ୍ଖଳାରେ ଭାରତୀୟ ଅଧିନାୟକ ବିରାଟ କୋହଲି ୩୫ ପାଳି ଓ ୭୬.୬୪ ହାରରେ ସର୍ବାଧିକ ୨,୧୪୬ ରନ୍ କରିଛନ୍ତି। ସେଥିମଧ୍ୟରେ ତାଙ୍କ ଷ୍ଟ୍ରାଇକ୍‌ ରେଟ୍ ୯୭.୧୦ ରହିଛି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଇଣ୍ଡିଜ୍ ବିପକ୍ଷରେ ଖେଳିଥିବା ୩୯ ପାଳିରୁ ୧୫୭୩ ରନ୍ କରିଛନ୍ତି।

ସର୍ବାଧିକ ଶତକ ଓ ଅର୍ଧଶତକ : ବିରାଟ କୋହଲି
ଇଣ୍ଡିଜ୍ ବିପକ୍ଷରେ ଭାରତ ପକ୍ଷରୁ କୋହଲି ମଧ୍ୟ ସର୍ବାଧିକ ୯ ଶତକ ହାସଲ କରିଛନ୍ତି। କୋହଲି ୨୦୦୯ ମସିହାରେ ଏହି କାରବୀୟ ଦଳ ବିପକ୍ଷରେ ନିଜ ପ୍ରଥମ ଦିନିକିଆ ଖେଳିଥିଲେ। ‌ଇଣ୍ଡିଜ୍ ବିପକ୍ଷରେ ଭାରତ ପକ୍ଷରୁ ସର୍ବାଧିକ ଅର୍ଧଶତକ ଅର୍ଜନ କରିବାର କୀର୍ତ୍ତିମାନ ମଧ୍ୟ କୋହଲିଙ୍କ ନାଁରେ ରହିଛି। ଏହି ଦଳ ବିପକ୍ଷରେ ସେ ୧୯ ଅର୍ଧଶତକ ହାସଲ କରିଛନ୍ତି। ସଚିନ ୩୯ ପାଳିରୁ ୧୫ ଏବଂ ରୋହିତ ଶର୍ମା ୧୨ ଅର୍ଧଶତକ ସହ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି।

ସର୍ବାଧିକ ୱିକେଟ୍: କର୍ଟନି ୱାଲ୍ସ
ଭାରତ-ଇଣ୍ଡିଜ୍ ଦିନିକିଆରେ ସର୍ବାଧିକ ୱିକେଟ୍ ନେବାର ଗୌରବ କର୍ଟନି ୱାଲ୍ସଙ୍କ ନାମରେ ରହିଛି। ଭାରତ ବିପକ୍ଷରେ ୩୮ ଦିନିକିଆ ଖେଳି ସେ ୪୪ ୱିକେଟ୍ କରାୟତ କରିଛନ୍ତି। ସାଂପ୍ରତିକ ଖେଳାଳିଙ୍କ ମଧ୍ୟରେ ରବୀନ୍ଦ୍ର ଜାଦେଜା ୨୬ ଦିନିକିଆରୁ ୩୮ ୱିକେଟ୍ ନେଇ ଚତୁର୍ଥ ସ୍ଥାନରେ ରହିଛନ୍ତି।

ସର୍ବୋଚ୍ଚ ଦଳଗତ ସ୍କୋର: ୪୧୮/୫ (ଭାରତ)
ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମୋଟ ୧୬୨ ଦିନିକିଆ ଖେଳା ଯାଇଛି। ସେଥିମଧ୍ୟରୁ ଉଭୟ ଦଳ ୬୨ ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ରହିଛନ୍ତି। ୨ ମ୍ୟାଚ୍ ଟାଇ ରହିଥିଲା ବେଳେ ୪ ମ୍ୟାଚ୍‌ର ଫଳାଫଳ ମିଳିନାହିଁ। ୨୦୧୧ ମସିହା ଡିସେମ୍ବର ମାସରେ ଇନ୍ଦୋରଠାରେ ଭାରତ କରିଥିବା‌ ୪୧୮/୫ ଆଜି ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ଦିନିକିଆ କ୍ରିକେଟରେ ସର୍ବାଧିକ ଦଳଗତ ସ୍କୋର ହୋଇ ରହିଛି।

ଆହତ ଭୁବିଙ୍କ ସ୍ଥାନରେ ସାର୍ଦୁଲ ଠାକୁର
ଚେନ୍ନାଇ: ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ବର କୁମାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ବାଦ୍ ପଡିଛନ୍ତି। ତାଙ୍କ ସ୍ଥାନରେ ସାର୍ଦୁଲ ଠାକୁର ଦଳରେ ସାମିଲ ହୋଇଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଶେଷ ମ୍ୟାଚ୍ ପରେ ବୁଧବାର ତଳି ପେଟ ଓ ଜଙ୍ଘ ମଧ୍ୟରେ ଯନ୍ତ୍ରଣା ହେଉଥିବା ଭୁବି ଅଭିଯୋଗ କରିଥିଲେ। ଅଲଟ୍ରାସାଉଣ୍ଡ୍‌ ସ୍କାନ୍‌ ପରେ ତାଙ୍କର ହାର୍ଣ୍ଣିଆ ଲକ୍ଷଣ ପୁଣିଥରେ ଦେଖାଦେଇଥିବା ଜଣାପଡ଼ିଥିଲା। ଏଥିପାଇଁ ତାଙ୍କୁ ବାଦ୍ ଦିଆଯାଇ ସାର୍ଦୁଲଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି। ତେବେ ସାର୍ଦୁଲ ୨୦୧୯ରେ ଭାରତ ପାଇଁ ଗୋଟିଏ ବି ଦିନିକିଆ ଖେଳିନାହାନ୍ତି। ସେପ୍ଟେମ୍ବର ୧୮, ୨୦୧୮ରେ ହଂକଂ ବିପକ୍ଷରେ ଶେଷ ଦିନିକିଆ ଖେଳିଥିଲେ। ସେ ଭାରତ ପକ୍ଷରୁ ୫ ଦିନକିଆ ଖେଳି ୬ ଵିକେଟ୍ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ରବିବାର ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯିବ।

ସମ୍ବନ୍ଧିତ ଖବର