ଟିକେଟ୍‌ କାଉଣ୍ଟର୍‌ ଖୋଲିଲା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଯିବ ଟିକେଟ୍‌ ଲାଭାଂଶ

ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ଫନି’ରେ କ୍ଷତିଗ୍ରସ୍ତ ଓଡ଼ିଶାକୁ ସାହାଯ୍ୟର ହାତ ବଢ଼ାଇଛି ଏଫ୍‌ଆଇଏଚ୍‌ ପୁରୁଷ ସିରିଜ୍‌ ଫାଇନାଲ୍ସ ଆୟୋଜକ। ଆସନ୍ତା ମାସ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବକୁ ଥିବା ଏଫ୍‌ଆଇଏଚ୍‌ ପୁରୁଷ ସିରିଜ୍‌ ଫାଇନାଲ୍ସ ପାଇଁ ବିକ୍ରି ଟିକେଟ୍‌ରୁ ମିଳିବାକୁ ଥିବା ସମସ୍ତ ଲାଭାଂଶ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଦାନ କରିବାକୁ ନିଷ୍ପତ୍ତି ହୋଇଛି। ରବିବାର କାଉଣ୍ଟର ଟିକେଟ୍‌ ବିକ୍ରିର ଶୁଭାରମ୍ଭ ଅବସରରେ ଆୟୋଜକ ହକି ଇଣ୍ଡିଆର ସଭାପତି ମହମ୍ମଦ ମୁସ୍ତାକ୍‌ ସୂଚନା ଦେଇଥିଲେ।

ଗତ ମାସ ୧୪ ତାରିଖରୁ ଟିକେଟ୍‌ଜିନି ସଲୁସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ବାରା ଅନ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ଚାଲୁ ରହିଥିଲା ବେଳେ ଦର୍ଶକଙ୍କ ସୁବିଧା ପାଇଁ ‌ରବିବାରଠୁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ କରାଯାଇଛି। କଳିଙ୍ଗ ଷ୍ଟାଡିୟମ ୯ ନମ୍ବର ଗେଟ୍‌ ନିକଟସ୍ଥ ବକ୍ସ ଅଫିସ୍‌ ସହିତ ଭୁବନେଶ୍ବରର ୧୫ ସ୍ଥାନରେ ଟିକେଟ୍‌ ବିକ୍ରିର ବନ୍ଦୋବସ୍ତ କରାଯାଇଛି। ଅନ୍‌ଲାଇନ୍‌ ଗ୍ରାହକମାନଙ୍କ ପାଇଁ ଟିକେଟ୍‌ ରିଡେମ୍ପସନ୍‌ ଲାଗି ମଧ୍ୟ ରବିବାରଠୁ କଳିଙ୍ଗ ଷ୍ଟାଡିୟମର ୪ ନମ୍ବର ଗେଟ୍‌ ନିକଟରେ କାଉଣ୍ଟର ଖୋଲାଯାଇଛି। ଟିକେଟ୍‌ ବିକ୍ରି ଲାଗି କାଉଣ୍ଟରଗୁଡ଼ିକ ସ‌କାଳ ୧୦.୩୦ରୁ ସଂଧ୍ୟା ୫ଟା ଏବଂ ରିଡେମ୍ପସନ୍‌ ଲାଗି ସକାଳ ୯ରୁ ଅପରାହ୍ନ ୧୨ଟା ଏବଂ ଅପରାହ୍ନ ୩ରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ। ଜୁନ୍‌ ୬, ୭, ୧୦, ୧୨ ଓ ୧୪ ତାରିଖର ସକାଳ ମ୍ୟାଚ୍‌ (ପୂର୍ବାହ୍ନ ୮.୪୫) ଦର୍ଶକମାନେ ମାଗଣା ଦେଖିପାରିବେ। ତେବେ ଗ୍ରୁପ୍‌ ଷ୍ଟେଜ୍‌ (ଜୁନ୍‌ ୬ରୁ ୧୨ ତାରିଖ)ର ସଂଧ୍ୟା ମ୍ୟାଚ୍‌ ପାଇଁ ଟିକେଟ୍‌ ମୂଲ୍ୟ ପୂର୍ବ ଷ୍ଟାଣ୍ଡ୍‌ ୨୦୦ ଏବଂ ଦକ୍ଷିଣ ଓ ଉତ୍ତର ଷ୍ଟାଣ୍ଡ ଲାଗି ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଜୁନ୍‌ ୧୪ ଓ ୧୫ ତାରିଖରେ ହେବାକୁଥିବା ସେମିଫାଇନାଲ୍‌ ଓ ଫାଇନାଲ୍‌ ମ୍ୟାଚ୍‌ ଲାଗି ଟିକେଟ୍‌ର ମୂଲ୍ୟ ପୂର୍ବ ଷ୍ଟାଣ୍ଡ୍‌ ୨୫୦ ଏବଂ ଦକ୍ଷିଣ ଓ ଉତ୍ତର ଷ୍ଟାଣ୍ଡ୍‌ ଲାଗି ୧୫୦ ଟଙ୍କା ରଖାଯାଇଛି।

ଭୁବନେଶ୍ବରରେ ଟିକେଟ୍‌ ବିକ୍ରିର ସ୍ଥାନ: ସ୍ପୋର୍ଟ୍ସ ଏମ୍ପୋରିୟମ (ପାଲ୍‌ ହାଇଟ୍‌ସ ପାଖ, ଜୟଦେବ ବିହାର), ସିଷ୍ଟର ମୋବାଇଲ୍‌ (ବିଏମ୍‌ସି ଭବାନୀ ମଲ୍‌, ସହିଦ ନଗର/ବାପୁଜୀ ନଗର), ଏସ୍‌ଏସ୍‌ ଫ୍ରୋଜନ ୱାଲ୍ଡ (କାନନ ବିହାର, ଚନ୍ଦ୍ରଶେଖରପୁର), ବି-୨୧ ( ଜନପଥ ରୋଡ୍‌, ଖାରବେଳ ନଗର/ ବିଏମ୍‌ସି ଭବାନୀ ମଲ୍‌ ପାଖ, ସହିଦ ନଗର), ଇନ୍‌ ଆଣ୍ଡ୍‌ ଆଉଟ୍‌ (ଭାରତ ପେଟ୍ରୋଲ ପମ୍ପ୍‌ ଡିଷ୍ଟ୍ରିକ୍ଟ ସେଣ୍ଟର, ଚନ୍ଦ୍ରଶେଖରପୁର), ଫ୍ରେସ୍‌ ଓ ଫ୍ରୋଜନ ମାଉଣ୍ଟ (ଭୌମନଗର ଏଜି କଲୋନି, ୟୁନିଟ୍‌-୪ ରାସ୍ତା), ସି ଡେକର୍ସ (ପ୍ଲଟ୍‌ ନଂ-୮୮, ଭାରତ ପେଟ୍ରୋଲ ପମ୍ପ୍‌ ଡିଷ୍ଟ୍ରିକ୍ଟ ସେଣ୍ଟର ନିକଟ, ଚନ୍ଦ୍ରଶେଖରପୁର), ଏଫ୍‌ଏଚ୍‌ ୧୭ ସେଲୁନ୍‌ (ବିଏମ୍‌ସି ଭମାନୀ ମଲ୍‌, ସହିଦ ନଗର), ଉଜାଲା କାର୍‌ ଫେସନ (ଖଣ୍ଡଗିରି ଛକ), ରିଲାଏନ୍ସ ଫୁଡ୍‌ କୋର୍ଟ (ଦ୍ବିତୀୟ ମହଲା, ରିଲାଏନ୍ସ ମଲ୍‌, ମାଷ୍ଟର କ୍ୟାଣ୍ଟିନ୍‌), କ୍ଲାସିକ ବୁଟିକ୍‌ ଆଣ୍ଡ୍‌ ବିଉଟି ସେଲୁନ (ଲକ୍ଷ୍ମୀସାଗର କେନାଲ ରାସ୍ତା), ହାଉସ୍‌ ଅଫ୍‌ କ୍ୟାଣ୍ଡି (ଦ୍ବିତୀୟ ମହଲା, ଏସ୍‌ପ୍ଲାନେଡ୍, ରସୁଲଗଡ଼) ଏବଂ କ୍ଲିୟରପ୍ରିଣ୍ଟ୍‌ (ଜାଗମରା ରାସ୍ତା, ଜଗମରା)।

ସମ୍ବନ୍ଧିତ ଖବର