ଉଦ୍‌ଘାଟନୀ ଦିବସରେ ଚଣ୍ଡୀଗଡ଼, ଝାଡ଼ଖଣ୍ଡ ବିଜୟୀ

ଜାତୀୟ କନିଷ୍ଠ ବାଳିକା ଫୁଟବଲ୍‌ ଆରମ୍ଭ

କଟକ,: ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ ପକ୍ଷରୁ ରବିବାରଠୁ କଟକରେ ଜାତୀୟ ଉପକନିଷ୍ଠ ବାଳିକା ଫୁଟବଲ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିନରେ ଚଣ୍ଡୀଗଡ଼ ଓ ଝାଡ଼ଖଣ୍ଡ ବିିଜୟୀ ହୋଇଥିଲା ବେଳେ ଓଡ଼ିଶା ଓ ମଣିପୁରକୁ ଓ୍ଵାକ୍‌ଓଭର ମିଳିଛି। ବାରବାଟୀ ଷ୍ଟାଡିୟମରେ ଗ୍ରୁପ୍‌ ଏ’ର ଖେଳାଯାଇଥିବା ମ୍ୟାଚ୍‌ରେ ଚଣ୍ଡୀଗଡ଼ ୨-୧ ଗୋଲ୍‌ରେ ଛତିଶଗଡ଼କୁ ହରାଇଛି। ବିଜୟୀ ଦଳର ଅନ୍ତ୍ରିକା ୧୪ ମିନିଟ୍‌ରେ ପ୍ରଥମ ଗୋଲ ଦେଇଥିଲେ। ତେବେ ଏହାକୁ ଛତିଶଗଡ଼ର ଲକ୍ଷ୍ମୀ ମାଣ୍ଡାଭି ପ୍ରଥମାର୍ଧର ଅତିରିକ୍ତ ସମୟରେ ଶୁଝି ଦେଇଥିଲେ। କିନ୍ତୁ ଦ୍ୱିତୀୟାର୍ଧ ଆରମ୍ଭ ହେବା ମାତ୍ରେ ଚଣ୍ଡୀଗଡ଼ର ଅଧିନାୟିକା ପୂଜା ଆଉ ଏକ ଗୋଲ୍‌ ଦେଇ ଦଳକୁ ଅଗ୍ରଣୀ ରଖିଥିଲେ। ମ୍ୟାଚ୍‌ ଶେଷ ହେବା ପର୍ଯ୍ୟନ୍ତ ଆଉ ଗୋଲ୍‌ ନହେବାରୁ ଚଣ୍ଡୀଗଡ଼ ବିଜୟୀ ହୋଇଥିଲା। ଅନ୍ୟପକ୍ଷରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପଡ଼ିଆରେ ଗ୍ରୁପ୍‌ ବି’ର ଖେଳାଯାଇଥିବା ମ୍ୟାଚ୍‌ରେ ଝାଡ଼ଖଣ୍ଡ ୩-୦ ଗୋଲ୍‌ରେ ଦିଲ୍ଲୀକୁ ପରାସ୍ତ କରିଛି। ବାସନ୍ତୀ ଲାକ୍ରା ୨୫, ସୁନୀତା ମୁଣ୍ଡା ୩୪ ଓ ସୋନି ମୁଣ୍ଡା ୯୧ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ ଦେଇ ଦଳକୁ ଜିତାଇଥିଲେ।

ହରିଆନାକୁ ଖେଳିବାକୁ ଅନୁମତି ମିଳିଲାନି
ଅପରାହ୍ନରେ ବାରବାଟୀ ଷ୍ଟାଡିୟମରେ ମଣିପୁର ଓ ହରିଆନା ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ହେବା ପାଇଁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ହରିଆନା ପ୍ରଶିକ୍ଷକ ସି’ ଲାଇସେନ୍ସ ପାସ୍‌ କରିନଥିବାରୁ ଏହି ଦଳକୁ ମ୍ୟାଚ୍‌ ଖେଳିବାକୁ ଅନୁମତି ଦିଆଯାଇନଥିଲା। ଉଭୟ ଦଳର ଖେଳାଳିମାନେ ଅଭ୍ୟାସ ଶେଷ କରିବା ପରେ ଟସ୍‌ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମ୍ୟାଚ୍‌ କମିସନର ହରିଆନା ପ୍ରଶିକ୍ଷକ ଓ ପ୍ରବନ୍ଧକଙ୍କୁ ଡକାଇ ଏ ବିଷୟରେ ଅବଗତ କରାଇଥିଲେ। ଫଳରେ ହରିଆନା ଖେଳାଳିମାନେ ନିରାଶ ହୋଇ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା। ଏହାଦ୍ୱାରା ମଣିପୁର ଓ୍ଵାକ୍‌ଓଭର ପାଇଯାଇଥିଲା। ଘଟଣା ସଂକ୍ରାନ୍ତରେ ସର୍ବଭାରତୀୟ ମହାସଂଘକୁ ଜଣାଇ ଦିଆଯାଇଛି। ହରିଆନା ପ୍ରତିଯୋଗିତାରେ ଖେଳିବ କି ନାହିଁ ତାହା ଏଆଇଏଫ୍‌ଏଫ୍‌ ନିଷ୍ପତ୍ତି ନେବ ବୋଲି ଫାଓ ପକ୍ଷରୁ କୁହାଯାଇଛି। ସେହିପରି କର୍ଣ୍ଣାଟକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ନଆସିବାରୁ ଓଡ଼ିଶାକୁ ପ୍ରଥମରୁ ଓ୍ଵାକ୍‌ଓଭର ମିଳିଯାଇଛି। ଗ୍ରୁପ୍‌ ଏ’ରେ ଆସାମ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଆସିନଥିବା ଜଣାପଡ଼ିଛି। ଏହି ପ୍ରତିଯୋଗିତାରେ ଓଡ଼ିଶା ଗ୍ରୁପ୍‌ ସି’ରେ କର୍ଣ୍ଣାଟକ ଓ ଉତ୍ତରାଖଣ୍ଡ ସହିତ ସ୍ଥାନ ପାଇଛି।

ସମ୍ବନ୍ଧିତ ଖବର