ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁଆରି ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଆୟୋଜିତ ହେବ ଓଡ଼ିଶା ଟେନିସ୍ ପ୍ରିମିୟର ଲିଗ୍ (ଓଟିପିଏଲ୍)ର ଦ୍ବିତୀୟ ସଂସ୍କରଣ। ଏଥିପାଇଁ ବୁଧବାର ନୂଆଦିଲ୍ଲୀର ଅଶୋକା ହୋଟେଲରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ଓଟିପିଏଲ୍ର ଟ୍ରଫି ଉନ୍ମୋଚିତ ହୋଇଥିଲା। ଆଇସିସିଆର୍ର ପୂର୍ବତନ ମହାନିର୍ଦେଶକ ଅମରେନ୍ଦ୍ର ଖଟୁଆ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଗୋକୁଳ ପଟ୍ଟନାୟକ, ପୂର୍ବତନ ଭାରତୀୟ କ୍ରିକେଟର୍ ନିଶ୍ଚିନ୍ତ ବର୍ଦୋଳେଇ ଓ ଆଦିତ୍ୟ ଖାନ୍ନାଙ୍କ ସହିତ ବହୁ ପ୍ରତିଷ୍ଠିତ ଟେନିସ୍ ତାରକା ଉପସ୍ଥିତ ଥିଲେ। ଏହି ଲିଗ୍ର ଦ୍ବିତୀୟ ସଂସ୍କରଣ ଭୁବନେଶ୍ବରରେ ଆୟୋଜିତ ହେବାକୁ ଯାଉଥିବାରୁ ଓଡ଼ିଶା ଖେଳାଳିମାନଙ୍କ ପ୍ରତିଭା ବିକଶିତ ପାଇଁ ସହାୟକ ହେବ ବୋଲି ପ୍ରତିଯୋଗିତାର ନିର୍ଦେଶକ ଦିଲୀପ ମହାନ୍ତି କହିଥିଲେ।
ନୀଳାଚଳ ଟେନିସ୍ ଏକାଡେମି ଦ୍ବାରା ଆୟୋଜିତ ଏହି ପ୍ରତିଯୋଗିତାରେ ୮ ଦଳ (ଅନୁଗୁଳ ଏକର୍ସ, ଭଦ୍ରକ ଭିକ୍ଟର୍ସ, କଟକ କନ୍କର୍ସ, ଖୋର୍ଧା ୱାରିୟର୍ସ, କେନ୍ଦ୍ରାପଡ଼ା କଣ୍ଡେଣ୍ଡର୍ସ, ପୁରୀ ୱେଭର୍ସ, ସମ୍ବଲପୁର ସୁଟର୍ସ ଓ ସୁନ୍ଦରଗଡ଼ ବିରାନ୍ସ୍)ର ୪୦ ଖେଳାଳି ଭାଗ ନେବେ। ଏହା ବ୍ୟତୀତ ଏଟିପି, ଡବ୍ଲୁଟିଏ, ଆଇଟିଏଫ୍ ଓ ଏଆଇଟିଏର ଅଧିକାଂଶ ମାନ୍ୟତାପ୍ରାପ୍ତ ଖେଳାଳି ମଧ୍ୟ ଭାଗ ନେବେ ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ବିଷ୍ଣୁ ବର୍ଧନ, ନିକି ପୁନାଚା, ସୂରଜ୍ ପ୍ରବୋଧ, କୁନାଲ ଆନନ୍ଦ, ମୋହିତ ମୟୂର, ଦଲ୍ୱିନ୍ଦର ସିଂହ, ପ୍ରଜ୍ବଳ ଦେବଙ୍କ ଭଳି ଅଭିଜ୍ଞତାସଂପନ୍ନ ଖେଳାଳି ରହିଛନ୍ତି।