ପର୍ଯ୍ୟଟନର ପ୍ରଚାର ପାଇଁ କ୍ରୀଡ଼ାର ବ୍ୟବହାର କରାଯିବ : ଦିଲୀପ ତିର୍କୀ

ଓଟିଡିସି ଅଧ୍ୟକ୍ଷଙ୍କୁ ଭେଟିଲା ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ବିଶ୍ୱ କ୍ରୀଡ଼ା କେନ୍ଦ୍ରରେ ପରିଣତ ହୋଇଥିବା ବେଳେ ଏହା ପର୍ଯ୍ୟଟନ ବିକାଶ ପାଇଁ ସୁଯୋଗ ଆଣିଦେଇଛି। ତେଣୁ ପର୍ଯ୍ୟଟନର ବିକାଶ ଓ ପ୍ରଚାର ପାଇଁ କ୍ରୀଡ଼ାର ବ୍ୟବହାର କରାଯାଇପାରିବ। ଏଥିସକାଶେ କ୍ରୀଡ଼ା ସାମ୍ବାଦିକଙ୍କ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଓଟିଡିସି ଅଧ୍ୟକ୍ଷ ଦିଲୀପ ତିର୍କୀ କହିଛନ୍ତି। ରାଜ୍ୟ ସରକାର ପୂର୍ବତନ ଭାରତୀୟ ହକି ଦଳର ଅଧିନାୟକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଦିଲୀପ ର୍ତିକୀଙ୍କୁ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମର ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରିଛି। ଏହି ପରିପ୍ରେକ୍ଷୀରେ ବୁଧବାର ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ(ଓସଜା)ର ଏକ ପ୍ରତିନିଧି ଦଳ ସମ୍ପାଦକ ସନାତନ ପାଣିଙ୍କ ନେତୃତ୍ୱରେ ଦିଲୀପ ର୍ତିକୀଙ୍କୁ ସାକ୍ଷାତ କରିଛି। ଓଟିଡିସି ଅଫିସରରେ ଓସଜା ଟିମ ଦିଲୀପଙ୍କୁ ଉତ୍ତରୀୟ ଏବଂ ଫୁଲତୋଡା ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ପରେ ବେଶ କିଛି ସମୟ ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛି।

ଓଡ଼ିଶା ସରକାର ପ୍ରଥମ ଥର ପାଇଁ ରାଜ୍ୟ ଓ ଦେଶର ଜଣେ ଲିଜେଣ୍ଡ କ୍ରୀଡ଼ା ତାରକାଙ୍କୁ କୌଣସି ନିଗମର ଅଧ୍ୟକ୍ଷ କରିଛି।

ଓସଜାର ବିଭିନ୍ନ କ୍ରୀଡ଼ା ପ୍ରୋତ୍ସାହନ କାର୍ଯ୍ୟକ୍ରମରେ ଓଟିଡିସିର ସହଯୋଗ ପ୍ରଦାନ ପାଇଁ ମଧ୍ୟ ସହମତି ହୋଇଛି। ଅଧ୍ୟକ୍ଷ ନିଜ ଖେଳାଳି ଜୀବନରେ କିପରି ଓଡ଼ିଶାର କ୍ରୀଡ଼ା ସାମ୍ବାଦିକମାନେ ତାଙ୍କୁ ସବୁବେଳେ ପ୍ରୋତ୍ସାହିତ କରିଆସିଥିଲେ ସେ ସ୍ମୃତି ଚାରଣ ମଧ୍ୟ କରିଛନ୍ତି। ଓଟିଡିସି ଅଧ୍ୟକ୍ଷଙ୍କ ସହ ଓସଜା ଆଲୋଚନା ବେଳେ ଓଟିଡିସିର ଜେନେରାଲ ମ୍ୟାନେଜର ସନତ କୁମାର ମହାନ୍ତି, ମାର୍କେଟିଂ ମ୍ୟାନେଜର ଆଲୋକ ରଞ୍ଜନ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ଓସଜାର ସମ୍ପାଦକଙ୍କ ସହ ଦିଲୀପଙ୍କୁ ଭେଟିବା ପାଇଁ ଯାଇଥିବା ଦଳରେ ସାମିଲ ଥିଲେ ହିମାଂଶୁ ପତି ମିଶ୍ର, ସୁରେଶ ସ୍ୱାଇଁ, ସମ୍ବିତ ମହାପାତ୍ର, ଦେବାଶିଷ ସୁନ୍ଦରାୟ, ଉମାକାନ୍ତ ମିଶ୍ର, ମନମୋହନ ସ୍ୱାଇଁ, ଶକ୍ତି ପ୍ରସାଦ ନନ୍ଦ, ମହେନ୍ଦ୍ର ସାହୁ, ଚିରଞ୍ଜିବୀ ପତି, ବିଜୟ ରଣା ଏବଂ ସମୀକ୍ଷା ପଟ୍ଟନାୟକ।

ସମ୍ବନ୍ଧିତ ଖବର