ଏସ୍‌ଜେଏଫ୍‌ଆଇ କନ୍‌ଭେନ୍‌ସନ୍‌: ଟେନ୍‌ପିନ୍‌ ବୋଲିଂରେ ଓସ୍‌ଜାକୁ ବ୍ରୋଞ୍ଜ

ବେଙ୍ଗାଲୁରୁ: ଓଡିଶାରେ ଯେଉଁ ଖେଳ ବିଷୟରେ ଅନେକ ଜାଣନ୍ତିି ନାହିଁ, ଯେଉଁ ଖେଳର ଭିିତ୍ତିଭୂମି ଓଡିଶାରେ ଆଦୌ ନାହିଁ, ସେହିି ଟେନ୍‌ପିନ୍‌ ବୋଲିଂରେ ବିରାଟ ସଫଳତା ଓଡ଼ିଶା କ୍ରୀଡା ସାମ୍ବାଦିକ ସଂଘ(ଓସ୍‌ଜା) ଏଠାରେ ହାସଲ କରିଛି। ସର୍ବ ଭାରତୀୟ କ୍ରୀଡା ସାମ୍ବାଦକ ସଂଘର ୪୧ତମ କନ୍‌ଭେନ୍‌ସନ୍‌ ଅବସରରେ ଦ୍ୱିତୀୟ ଦିନ ଖେଳା ଯାଇଥିବା ପ୍ରତିଯୋଗିତା ଗୁଡ଼ିକରେ ଓସ୍‌ଜାର ପ୍ରଦର୍ଶନ ଜମାଣିଆ ରହିଛି। ଦେଶବ୍ୟାପୀ ୨୨ଟି କ୍ରୀଡ଼ା ସାମ୍ବାଦିକ ଦଳଙ୍କୁ ନେଇ ଟେନ୍‌ପିନ୍‌ ବୋଲିଂ ଜାତୀୟ ଆସୋସିଏସନ୍‌ ସହଯୋଗରେ ସ୍ଥାନୀୟ ରବିବାର ମହାତ୍ମା ଗାନ୍ଧି ମାର୍ଗରେ ଥିବା ଆମୋବା ବୋଲିଂ ପ୍ୟାଭେଲିଅନ୍‌ରେ ଏହି ଟୁର୍ଣ୍ଣାମେଣ୍ଟ ହୋଇଥିଲା। ଏଥିରେ ଓସ୍‌ଜା-ବି ଦଳ ବ୍ରୋଞ୍ଜ ପଦକ ପାଇଛି। ସମ୍ବିତ ମହାପାତ୍ର, ସୁକେଶ ବେହେରା ଓ ଜଗଦୀଶ୍ୱର ଦାସଙ୍କୁ ନେଇ ଗଠିତ ଓସ୍‌ଜା-ବି ଦଳ ବଢ଼ିଆ ଖେଳିଥିଲା

ଓସ୍‌ଜା ପ୍ରଥମ ରାଉଣ୍ଡରେ ୧୦ ଦଳ ମଧ୍ୟରେ ମୋଟ ୩୫୫ ପଏଣ୍ଟ ସ୍କୋର କରି ଦ୍ୱିତୀୟ ହୋଇଥିଲା। ଓସ୍‌ଜା-ବିକୁ ୪ର୍ଥ ସ୍ଥାନ ମିଳିଥିଲା। ଜଗଦୀଶ୍ୱର ୧୩୦, ସୁକେଶ ୧୨୬ ଏବଂ ସମ୍ବିତ ୯୯ ପଏଣ୍ଟ ସ୍କୋର କରିଥିଲେ। କ୍ୱାର୍ଟର ଫାଇନାଲରେ ବେଙ୍ଗାଲୁରୁ କ୍ରୀଡା ସାମ୍ବାଦିକ ସଂଘ-ବିକୁ କଡା ଟକ୍କରରେ ପରାଜିତ କରିଥିଲା। ବେଙ୍ଗାଲୁରୁ ୩୩୩ ପଏଣ୍ଟ ସ୍କୋର କରିଥଲା ବେଳେ ଓସ୍‌ଜା-ବି ପୁଣି ୩୫୫ ସ୍କୋର କରି ୨୨ପଏଣ୍ଟରେ ମ୍ୟାଚ ଜିତିଥିଲା।

ସେମିରେ ଟାଣୁଆ ବାଙ୍ଗାଲୋର-ସି ଦଳ ସହ ମୁକାବିଲା ହୋଇଥିଲା ସେମାନେ ୪୦୪ ସ୍କୋର କରିଥିଲାବେଳେ ଓସ୍‌ଜା – ୩୩୪ପଏଣ୍ଟ କରି ମ୍ୟାଚ ହାରିଥିଲା। ସେମିରେ ପରାଜିତ ଅନ୍ୟ ଦଳ ତ୍ରିପୁରା କ୍ରୀଡା ସାମ୍ବାଦିକ ସଂଘ ଠାରୁ ଅଧିକ ପଏଣ୍ଟ ଓଡିଶା ପାଇଥିବାରୁ ବ୍ରୋଞ୍ଜ ପଦକ ହାସଲ କରିଛି। ପୂରା ପ୍ରତିଯୋଗିତାରେ ଜଗଦୀଶ୍ୱର ୧୩୦, ୧୪୮, ୧୩୦ ଏପରି ମୋଟ ୪୦୮ସ୍କୋର କରି ବଡ ସଫଳତା ପାଇଛନ୍ତି। ଟେନ୍‌ପିନ୍‌ ବୋଲିଂ ଫାଇନାଲରେ ବେଙ୍ଗାଲୁରୁ-ସି ମୁମ୍ବାଇକୁ ୪୦୯-୪୦୭ ଏପରି ୨ ପିନ୍‌ ପଏରେ ପରାଜିତ କରି ଚମ୍ପିଆନ୍‌ ହୋଇଛି।

ମୁମ୍ବାଇ ଫୁଟବଲ ଚମ୍ପିଆନ୍‌

ଦିନର ଦ୍ୱିତୀୟ ଭାଗରେ ପେନାଲ୍‌ଟି କିକ୍‌ ଏବଂ ବାସ୍କେଟବଲ ଫ୍ରି-ଥ୍ରୋ ହୋଇଥିଲା। ଫୁଟବଲ ପେନାଲ୍‌ଟି କିକ୍ରେ ମୁମ୍ବାଇ କ୍ରୀଡା ସାମ୍ବାଦିକ ଦଳ ଚମ୍ପିଆନ୍‌ ହୋଇଛି। ଓସ୍‌ଜା- ବି ଦଳ ସେମିରେ ହାରିଥିଲେ ସମ୍ବିତ, ସୁକେଶ ଓ ଜଗଦୀଶ୍ୱର ପ୍ରଥମେ ତାମିଲନାଡୁ କ୍ରୀଡା ସାମ୍ବାଦିକ ସଂଘ ଏବଂ କ୍ୱାର୍ଟରରେ ଓସ୍‌ଜା -ଏ ଦଳକୁ ହରାଇ ସେମିକୁ ଉଠିଥିଲା। ସେମିରେ ମୁମ୍ବାଇ ପାଖରୁ ୩-୪ଗୋଲରେ ହାରିଯାଇଥିଲା। ଦଳ ଉଭୟ ବୋଲିଂ ଏବଂ କିକ୍ରେ ଓସ୍‌ଜା -ଏରୁ ଖେଳିଥିଲେ ସନାତନ ପାଣି ଓ ସୁରେଶ ସ୍ୱାଇଁ। ତ୍ରିପୁରା ଏବଂ ଇନ୍ଦୋରର ଜଣେ ଲେଖାଏଁ ସାମ୍ବାଦିକ ଓସ୍‌ଜା -ଏ ଦଳରୁ ଖେଳିଥିଲେ। ସୁରେଶ ସ୍ୱାଇଁ, ସୁକେଶ ବେହେରା ଏବଂ ଜଗଦୀଶ୍ୱର ଦାସ ବାସ୍କେଟବଲ ଫ୍ରି-ଥ୍ରୋରେ ସାମିଲ ହୋଇ ପ୍ରି-କ୍ୱାର୍ଟର ଫାଇନାଲ ଯାଇଥିଲେ।

ସମ୍ବନ୍ଧିତ ଖବର