ରୋଶନଙ୍କୁ ଓସାକାର ସହଯୋଗ

ସମ୍ବଲପୁର: ରାଜ୍ୟ ସବ୍‌ଜୁନିଅର ଚାମ୍ପିଅନ୍‌ ହୋଇଥିବା ବଲାଙ୍ଗୀରର ପ୍ରତିଭାବାନ ବ୍ୟାଡ୍‌ମିଣ୍ଟନ ଖେଳାଳି ରୋଶନ ସିଂହ ତିନି ମାସ ହେଲା ହାଇଦ୍ରାବାଦର କାୟାନ ଏକାଡେମିରେ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷଣ ନେଉଛନ୍ତି। ତାଙ୍କ ପିତା ପପ୍ପୁ ସିଂହ ଜଣେ ଗୁପଚୁପ ବିକ୍ରେତା। ଆର୍ଥିକ ସମସ୍ୟା ସତ୍ତ୍ୱେ ସେ ନିଜ ପୁତ୍ରର କ୍ୟାରିୟରକୁ ଦୃଷ୍ଟିରେ ରଖି ଉତ୍ତମ ପ୍ରଶିକ୍ଷଣ ପାଇଁ ହାଇଦ୍ରାବାଦ ପଠାଇଛନ୍ତି। ଏ ବିଷୟ ଜାଣିବା ପରେ ହାଇଦ୍ରାବାଦର ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କୁ ନେଇ ଗଠିତ ‘ପଶ୍ଚିମ ଓଡ଼ିଶା ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ’ (ଓସାକା) ରୋଶନଙ୍କ ଗୋଟିଏ ମାସର ତାଲିମ ଖର୍ଚ୍ଚ ବହନ କରିଛି। ଓସାକାର ସଦସ୍ୟ ସମୀର ପାଢ଼ୀଙ୍କ ଯୋଗାଯୋଗରେ ସଭାପତି ପ୍ରଶାନ୍ତ ମେହେର ଏବଂ ସାଧାରଣ ସଂପାଦକ ରାମକୃଷ୍ଣ ବାରିକ ରୋଶନଙ୍କୁ ଭେଟି ୧୫ ହଜାର ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ରୋଶନ ଜଣେ ଭଲ ଖେଳାଳି ହେବା ସହ ଜଣେ ମେଧାବୀ ଛାତ୍ର। ଅଗଷ୍ଟ ମାସରେ ଓଡ଼ିଶାରେ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଖେଳିବାକୁ ଯିବାବେଳେ ତାଙ୍କୁ ବ୍ୟାଡ୍‌ମିଣ୍ଟନ କିଟ୍‌ ମଧ୍ୟ ଯୋଗାଇ ଦିଆଯିବ ବୋଲି ଓସାକା ପକ୍ଷରୁ କୁହାଯାଇଛି। ରୋଶନଙ୍କ ଭଳି ପ୍ରତିଭାବାନ ଖେଳାଳିଙ୍କୁ ସହଯୋଗ ପାଇଁ ସମସ୍ତେ ଆଗେଇ ଆସିବାକୁ ଓସାକା ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର