ଭାରତଠୁ ଅନ୍ୟମାନେ ଢେର ଆଗରେ: ଅଜିତ ପାଲ୍ ସିଂହ

0 282

ଭାରତୀୟ ହକି ଆଗ ଅପେକ୍ଷା ଯଥେଷ୍ଟ ଉନ୍ନତି କରିଛି। ଟର୍ଫରେ ଖେଳିବାର କଳା ଆମେ ଏବେ ଭଲ ଭାବେ ଶିଖି ଗଲେଣି। ହେଲେ ତୁଳନାତ୍ମକ ଭାବେ ଅନ୍ୟମାନେ ବି ଢେର ଅଗ୍ରଗତି କରିଛନ୍ତି। ଭାରତକୁ ସେମାନଙ୍କ ସମକକ୍ଷ ହେବା ଲାଗି ଆହୁରି ଅନେକ ବାଟ ଯିବାର ଅଛି ବୋଲି ଭାରତର ବିଶ୍ବକପ୍ ବିଜୟୀ ଅଧିନାୟକ ଅଜିତ ପାଲ ସିଂହ କହିଥିଲେ। ନେଦରଲାଣ୍ଡ ଏବଂ ଜର୍ମାନି ଭଳି ଦେଶର ଉଦାହରଣ ଦେଇ ଆମ ଦେଶରେ ଅଧିକରୁ ଅଧିକ ଟର୍ଫ ବିଛାଇବାକୁ ସେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଆହ୍ବାନ କରିଥିଲେ। ନେଦରଲାଣ୍ଡ ଏବଂ ଜର୍ମାନିର ପିଲାମାନେ ଭାଗ୍ୟବାନ। ସେମାନେ ବିଦ୍ୟାଳୟ ସ୍ତରରୁ କୃତ୍ରିମ ଟର୍ଫରେ ଖେଳିବାର ସୁଯୋଗ ପାଉଛନ୍ତି। ଆମପିଲାଙ୍କୁ ଏହି ଭଳି ସୁଯୋଗ ମିଳୁନାହିଁ। ଖାଲି ପଡ଼ିଆରେ ଖେଳି ଟର୍ଫକୁ ଗଲା ବେଳକୁ ସେମାନେ ନିଜର ଅସଲ ଦକ୍ଷତା ଦେଖାଇ ପାରୁ ନାହାନ୍ତି ବୋଲି ଅଜିତ ମତ ରଖିଥିଲେ। ଅନ୍ୟପକ୍ଷରେ ଗତ ଏକ ଦଶନ୍ଧି ହେବ ଭାରତୀୟ ହକି ଦଳ କରିଥିବା ଉନ୍ନତିରେ ଉଭୟ ଭାରତୀୟ ଏବଂ ବିଦେଶୀ ପ୍ରଶିକ୍ଷକଙ୍କର ଅବଦାନ ଥିବା ସେ ସ୍ବୀକାର କରିଛନ୍ତି। ଶ୍ରୀ ପାଲଙ୍କ ସହ ଗୋଟିଏ ମଞ୍ଚରେ ଥିବା ଭାରତୀୟ ହକିର ଅନ୍ୟତମ କିମ୍ବଦନ୍ତୀ ତାରକା ଧନରାଜ ପି‌‌ଲ୍ଲେ କିନ୍ତୁ ଭାରତୀୟ ପ୍ରଶିକ୍ଷକଙ୍କ ସପକ୍ଷରେ ମତ ରଖିଥିଲେ। ମୁଁ ଏକମାତ୍ର ଖେଳାଳି ଭାବେ ବିଦେଶୀ ପ୍ରଶିକ୍ଷକଙ୍କୁ ବିରୋଧ କରି ଆସୁଛି। କେବଳ ରିକ୍ ଚାର୍ଲସୱର୍ଥଙ୍କୁ ଛାଡ଼ି ଅନ୍ୟ ‌କୌଣସି ବିଦେଶୀ ପ୍ରଶିକ୍ଷକଙ୍କୁ ମୁଁ ପସନ୍ଦ କରେ ନାହିଁ ବୋଲି ସେ କହିଥିଲେ। ସେହିଭଳି ସ୍ଥାନୀୟ ତାରକା ଦିଲୀପ ତିର୍କି ଏବେକାର ଦଳ ତାଙ୍କ ସମୟର ଦଳଠାରୁ ଢେର ଭଲ ବୋଲି ମତ ରଖିଥିଲେ। ଆମ ଖେଳାଳିମାନେ ସବୁ କ୍ଷେତ୍ରରେ ଉନ୍ନତି କରିଛନ୍ତି। ଘରୋଇ ପରିବେଶ ଏବଂ ଘରୋଇ ସମର୍ଥକଙ୍କ ଗହଣରେ ସେମାନେ ବିଶ୍ବକପରେ ନିଶ୍ଚିତ ଭଲ କରିବେ ବୋଲି ଦିଲୀପ ଆଶା ପ୍ରକାଶ କରିଥିଲେ। ନ୍ୟୁ ସାଉଥ୍ ୱେଲ୍ସ ହକି ଦଳର ପ୍ରଶିକ୍ଷକ ବ୍ରେଣ୍ଟ ଲିଭମୋର ଭାରତ-ଅଷ୍ଟ୍ରେଲିଆ ଫାଇନାଲ୍ ହେଲେ ଅଧିକ ଖୁସି ହେବି ବୋଲି କହିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.