ଓଭାଲ ଟେଷ୍ଟ: ବିଦାୟ ପୂର୍ବରୁ ସ୍ମୃତି ଛାଡ଼ି ଦେଇ ଗଲେ ଆଲିଷ୍ଟର କୁକ୍‌, ଇଂଲଣ୍ଡର ସ୍କୋର ୧୧୪/୨

ଇଂଲଣ୍ଡ: ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍‌ରୁ ଅବସର ନେବା ପୂର୍ବରୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଲିଷ୍ଟର କୁକ୍‌ ରବିବାର କ୍ରିକେଟ ପ୍ରେମୀ ଓ ପ୍ରଶଂସକଙ୍କୁ ସ୍ମରଣୀୟ ଉପହାର ଦେଇଛନ୍ତି। ଭାରତ ବିରୋଧରେ ଇଂଲଣ୍ଡର କୁକ୍‌ ଚଳିତ ଶୃଙ୍ଖଳାର ଅନ୍ତିମ ତଥା ୫ମ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ୭୧ ରନ୍‌ ଯୋଡ଼ିବା ପରେ ଦ୍ୱିତୀୟ ଇନିଂସରେ ୪୬ ରନ୍‌ ସଂଗ୍ରହ କରି ବ୍ୟାଟିଂ ଜାରି ରଖିଛନ୍ତି।

ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୪୩ ଓଭରରେ ୨ଟି ମୂଲ୍ୟବାନ ଓ୍ଵିକେଟ୍‌ ହରାଇ ୧୧୪ ରନ୍‌ ସଂଗ୍ରହ କରିଛି। କୁକ୍‌ ଓ ଅଧିନାୟକ ଜୋଏ ରୁଟ(୨୯) ଅପରାଜିତ ରହି ପାଭଲିଅନ ଫେରିଛନ୍ତି। ଓପନର କେଟନ ଜିନିଙ୍ଗସ୍‌ ୧୦ ରନ୍‌ ସଂଗ୍ରହ କରିବା ପରେ ମହମ୍ମଦ ସାମିଙ୍କ ଦ୍ୱାରା ବୋଲ୍ଡ ହୋଇଛନ୍ତି। ସେହିଭଳି ରବୀନ୍ଦ୍ର ଜାଦେଜାଙ୍କ ବଲ୍‌ରେ ମୋଇନ ଅଲି(୨୦) ଆଉଟ ହୋଇଛନ୍ତି। ଓଭାଲ କ୍ରିକେଟ ଷ୍ଟାଡିୟମ୍‌ରେ ରବିବାର ୩ୟ ଦିନରେ ଭାରତ ପ୍ରଥମ ଇନିଂସରେ ସମସ୍ତ ଓ୍ଵିକେଟ୍‌ ହରାଇ ୨୯୨ ରନ୍‌ ସଂଗ୍ରହ କରିଛି। ଇଂଲଣ୍ଡ ପ୍ରଥମ ଇନିଂସରେ ୩୩୨ ରନ୍‌ ସଂଗ୍ରହ କରିଛି। ଇଂଲଣ୍ଡ ୧୫୪ ରନ୍‌ ଆଗରେ ଅଛି।

ଆଜି ଟିମ୍‌ ଇଣ୍ଡିଆର ଅଲ୍‌ ରାଉଣ୍ଡର ରବୀନ୍ଦ୍ର ଜାଦେଜା ଶତକରୁ ବଞ୍ଚିତ ହୋଇଛନ୍ତି। ଲଢୁଆ ବ୍ୟାଟିଂ ସତ୍ତ୍ୱେ ସେ ଚଳିତ ଟେଷ୍ଟ ଶୃଙ୍ଖଳାର ୫ମ ତଥା ଶେଷ ମୁକାବିଲାର ୩ୟ ଦିନରେ ଅପରାଜିତ ୮୬ ରନ୍‌ ସଂଗ୍ରହ କରିଛନ୍ତି। ସାଥୀ ଖେଳାଳି ଜସପ୍ରିତ ବୁମରା(୦) ରନ୍‌ ଆଉଟ ହେବା ଫଳରେ ଜାଦେଜା ଏକ ରେକର୍ଡକୁ ହାତଛଡା କରିଛନ୍ତି। ଜାଦେଜା ୧୫୬ଟି ବଲ ଖେଳି ୮୬ ରନ୍‌ ସଂଗ୍ରହ କରିଛନ୍ତି।

ରବୀନ୍ଦ୍ର ଜାଦେଜା ଓ ହନୁମା ବିହାରୀ(୫୬)ଙ୍କ ଉତ୍ତମ ବୁଝାମଣା ଯୋଗୁଁ ଭାରତ ୭ମ ଓ୍ଵିକେଟ୍‌ରେ ୭୭ ରନ୍‌ ଭାଗିଦାରୀ ହୋଇପାରିଛି। ସେହିପରି ଜାଦେଜା ଶେଷ ଓ୍ଵିକେଟ୍‌ରେ ବୁମରାଙ୍କ ସହିତ ୩୨ ରନ୍‌ର ଭାଗିଦାରୀ ହୋଇ ପାରିଛନ୍ତି। ହନୁମା ବିହାରୀ ୧୨୭ଟି ବଲ ଖେଳି ୭ଟି ଚୌକା ଓ ଗୋଟିଏ ଛକା ମାରି ଇଂଲଣ୍ଡ ବୋଲରଙ୍କ ଚେତା ହଜାଇ ଦେଇଛନ୍ତି। ସେ ମୋଇନ ଅଲିଙ୍କ ବଲ ଜନି ବେୟାରଷ୍ଟୋଙ୍କୁ କ୍ୟାଚ ଦେଇଥିଲେ। ଇଶାନ୍ତ ଶର୍ମା ୪ ରନ କରି ମୋଇନ ଅଲିଙ୍କ ଦ୍ୱାରା ଓ ମହମ୍ମଦ ସାମି ୧ ରନ ଯୋଡ଼ିବା ପରେ ଆଦିଲ ରସିଦଙ୍କ ଦ୍ୱାରା ଆଉଟ ହୋଇଛନ୍ତି।

ସମ୍ବନ୍ଧିତ ଖବର