ଓଭାଲରେ ଭାରତର ଦମଦାର ପ୍ରଦର୍ଶନ: ପ୍ରଥମ ଦିନ ୨୦୦ ରନ୍‌ ପୂର୍ବରୁ ୭ ଓ୍ଵିକେଟ ହରାଇଲା ଇଂଲଣ୍ଡ

ଲଣ୍ଡନ: ଓଭାଲ କ୍ରିକେଟ୍‌ ଷ୍ଟାଡିୟମରେ ଭାରତ ଦମଦାର ପ୍ରଦର୍ଶନ କରିଛି। ଆଲିଷ୍ଟର କୁକ୍‌ ଓ ମୋଇନ୍‌ ଅଲିଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ପ୍ରଥମ ଦିନ ଶୁକ୍ରବାର ୯୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୧୯୮ ରନ୍‌ ସଂଗ୍ରହ କରିଛି। ୫ ଟେଷ୍ଟ ମ୍ୟାଚ୍‌ର ଶେଷ ମୁକାବିଲାରେ ମୋଇନ ଅଲି ୫୦ ରନ୍‌ ସଂଗ୍ରହ କରି ଭାରତର ୬ଷ୍ଠ ଶିକାର ହୋଇଥିଲେ। ଆରମ୍ଭରୁ ଇଂଲଣ୍ଡ ଭଲ ପ୍ରଦର୍ଶନ କରିଥିଲା। ଇଂଲଣ୍ଡ ୧୩୩ ରନ୍‌ରେ ଆଲିଷ୍ଟରକ କୁକ୍‌ ଓ ଅଧିନାୟକ ଜୋଏ ରୁଟ୍‌ ପାଭଲିଅନ୍‌ ଫେରିଥିଲେ। ୧୩୪ ରନ୍‌ରେ ଇଂଲଣ୍ଡ ଜନି ବେୟାରଷ୍ଟୋଙ୍କୁ ହରାଇଥିଲା। ସେହିଭଳି ୧୭୧ ରନ୍‌ରେ ବେନ୍‌ ଷ୍ଟେକସ୍‌, ୧୭୭ ରନ୍‌ରେ ଅଲି ଓ ୧୮୧ ରନ୍‌ରେ ସାମ୍‌ କୁରାନ୍‌ ଆଉଟ୍‌ ହୋଇ ପାଭଲିଅନ୍‌ ହୋଇଥିଲେ।

କୁକ୍‌, ଜିନିଙ୍ଗସ୍‌ ଓ ମୋଇନଙ୍କ ବ୍ୟତୀତ ଅନ୍ୟ ବ୍ୟାଟସ୍‌ମ୍ୟାନ୍‌ମାନେ ଖରାପ ପ୍ରଦର୍ଶନ କରିଥିବାରୁ ଇଂଲଣ୍ଡ ମୂଳ ଲକ୍ଷ୍ୟରେ ପହଞ୍ଚି ପାରି ନାହିଁ। ଭାରତ ପକ୍ଷରୁ ଈଶାନ୍ତ ଶର୍ମା ୩ଟି ଓ୍ଵିକେଟ୍‌ ନେଇଥିଲେ। ସେହିଭଳି ଜସପ୍ରୀତ ବୁମାର ଓ ରବୀନ୍ଦ୍ର ଜାଦେଜା ୨-୨ ଓ୍ଵିକେଟ୍‌ ନେଇଥିଲେ।

ଅନ୍ତର୍ଜାତୀୟ ଟେଷ୍ଟ କ୍ୟାରିୟରରୁ ବିଦାୟ ନେବା ପୂର୍ବରୁ ଶୁକ୍ରବାର ଇଂଲଣ୍ଡର ପୂର୍ବତନ ଅଧିନାୟକ ନିଜ ଟିମ୍‌କୁ ଅର୍ଦ୍ଧଶତକ ଉପହାର ଦେଇଛନ୍ତି। ଭାରତ ବିପକ୍ଷରେ ଇଂଲଣ୍ଡ ୫ମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ କୁକ୍‌ ୧୯୦ ଟି ବଲ୍‌ରୁ ୭୧ ରନ୍‌ ସଂଗ୍ରହ କରିିଛନ୍ତି।

ଇଂଲଣ୍ଡ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତକୁ ବୋଲିଂ ଦାୟିତ୍ୱ ମିଳିଥିଲା। ଓପନ୍‌ର କେଟନ ଜିନିଙ୍ଗସ୍‌ ୭୫ଟି ବଲ ଖେଳି ୨୩ ରନ୍‌ ସଂଗ୍ରହ କରିଥିଲେ। ସେ ରବୀନ୍ଦ୍ର ଜାଦେଜାଙ୍କ ବଲ ଲୋକେଶ ରାହୁଲଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ୍‌ ଫେରିଥିଲେ। ଇଂଲଣ୍ଡ ୬୦ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ହରାଇଥିଲା। ଭାରତ ଚଳିତ ଶୃଙ୍ଖଳାରେ କେବଳ ଗୋଟିଏ ମ୍ୟାଚ ଜିତି ୧-୩ରେ ପଛୁଆ ଅଛି।

ସମ୍ବନ୍ଧିତ ଖବର