ଓଭରଥ୍ରୋ ଚୌକା ନ ଦେବାକୁ ଅମ୍ପାୟାରଙ୍କୁ ଷ୍ଟୋକ୍ସ କହିଥିଲେ

ଲଣ୍ଡନ: ଇଂଲଣ୍ଡ ବିଶ୍ବକପ୍ ବିଜୟର ନାୟକ ବେନ୍ ଷ୍ଟୋକ୍ସ ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲର ବିବାଦୀୟ ଓଭରଥ୍ରୋ ଚୌକା ନଦେବାକୁ ଅମ୍ପା‌ୟାରଙ୍କୁ କହିଥିଲେ। ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍। ଷ୍ଟୋକ୍ସ ଅମ୍ପାୟାରଙ୍କୁ ଏଭଳି ଅନୁରୋଧ କରିଥିଲେ ବୋଲି ଇଂଲଣ୍ଡ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମାଇକେଲ୍ ଭନଙ୍କ ସହ କଥା ହେଲା ବେଳେ କହିଥିଲେ। ହେଲେ କ୍ରିକେଟ୍ ନିୟମ ମାନିବାକୁ ତାଙ୍କୁ କୁହାଯାଇଥିଲା ବୋଲି ଆଣ୍ଡରସନ୍ ମତ ରଖିଛନ୍ତି। ଏହି କାରଣ ଲାଗି ଷ୍ଟୋକ୍ସ କିନ୍ତୁ ମ୍ୟାଚ୍ ପରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନଙ୍କୁ କ୍ଷମା ମାଗି ନେଇଥିଲେ। ସୂଚନାଯୋଗ୍ୟ ଯେ ବିଶ୍ବକପ୍ ଫାଇନାଲର ଶେଷ ଓଭରରେ ମାର୍ଟିନ ଗପ୍ଟିଲ ମିଡ୍ ୱିକେଟ୍ ବାଉଣ୍ଡରିରୁ ମାରିଥିବା ଥ୍ରୋ ଷ୍ଟୋକ୍ସଙ୍କ ବ୍ୟାଟରେ ବାଜି ସୀମା ରେଖା ବାହାରକୁ ଚାଲି ଯାଇଥିଲା। ଏହା ପୂର୍ବରୁ ସେ ୨ ରନ୍ ଦୌଡ଼ି ସାରିଥିଲେ। ଫଳରେ ଅମ୍ପାୟାର ତାଙ୍କୁ ମୋଟ ୬ ରନ୍ ପ୍ରଦାନ କରିଥିଲେ। ଏହି ୬ ରନ୍ ସହାୟତାରେ ହିଁ ଇଂଲଣ୍ଡ ମ୍ୟାଚକୁ ଟାଇ ରଖିବା ପରେ ସୁପରଓଭରକୁ ମଧ୍ୟ ଟାଇ କରି ବାଉଣ୍ଡରି ଗଣନାରେ ବିଶ୍ବକପ୍ ଜିତି ନେଇଥିଲା। ଯାହାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ଧରୁ ନାହିଁ। ନିୟମ ଅନୁସାରେ ଅମ୍ପାୟାର ୬ ନୁହେଁ ୫ ରନ୍ ଦେବା କଥା ବୋଲି ଆଇସିସି ପ୍ୟା‌ନେଲର ପୂର୍ବତନ ଅମ୍ପାୟାର ସାଇମନ୍ ଟଫେଲ କହିବା ପରେ ବିବାଦ ଆହୁରି ଘନେଇଛି। ସେହିଭଳି ବାଉଣ୍ଡରି ଗଣନା ନିୟମକୁ ଅନେକ ପୂର୍ବତନ କ୍ରିକେଟର ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର