ପ୍ରାଚୁର୍ଯ୍ୟ, ସୌନ୍ଦର୍ଯ୍ୟ ଜିତିଲେ ରୌପ୍ୟ

ଭୁବନେଶ୍ବର: ଇଣ୍ଡୋନେସିଆର ଜାକର୍ତାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ଚେସ୍‌ରେ ଦୁଇ ଦୃଷ୍ଟିହୀନ ଓଡ଼ିଆ ଭାଇ ପ୍ରାଚୁର୍ଯ୍ୟ ଏବଂ ସୌନ୍ଦର୍ଯ୍ୟ ପ୍ରଧାନ ରୌପ୍ୟ ପଦକ ଜିତି ନୂଆ ଇତିହାସ ରଚିଛନ୍ତି। ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ସ୍ଥାନୀୟ ଅଧିକାରୀ ଏମାନଙ୍କୁ ସମ୍ପୂର୍ଣ୍ଣ ଦୃଷ୍ଟିହୀନ (ବି-୧) ବର୍ଗରେ ନ ଖେଳାଇ ଆଂଶିକ ଦୃଷ୍ଟିହୀନ (ବି-୨/୩) ବର୍ଗରେ‌‌ ଖେଳାଇଥିଲେ ମଧ୍ୟ ସୌନ୍ଦର୍ଯ୍ୟ ଏହାର କଡ଼ା ଜବାବ‌ ଦେଇଛନ୍ତି ଚେସ୍ ବୋର୍ଡରେ। ସୌନ୍ଦର୍ଯ୍ୟ ବି-୨/୩ ପୁରୁଷ ବର୍ଗ ଦଳଗତ ରୌପ୍ୟ ପଦକ ଜିତିଥି‌େଲ। ସୌନ୍ଦର୍ଯ୍ୟଙ୍କ ସହିତ କିଷନ ଗାଙ୍ଗୁଲି, ଅଶ୍ବିନ ଭାଇ ମକ୍ବାନା, କାଞ୍ଚନଭାଇଙ୍କୁ ନେଇ ଗଠିତ ଭାରତୀୟ ରୢାପିଡ୍ ଦଳ ଏହି ସଫଳତା ପାଇଥିଲେ। ଅନ୍ୟପକ୍ଷରେ ସୌନ୍ଦର୍ଯ୍ୟଙ୍କ ଭାଇ ପ୍ରାଚୁର୍ଯ୍ୟ ବି-୧ ବର୍ଗର ରୢାପିଡରେ ଖେଳି ଭାରତୀୟ ପୁରୁଷ ଦଳ ପାଇଁ ମଧ୍ୟ ରୌପ୍ୟ ପଦକ ଜିତିଥିଲେ। ପ୍ରାଚୁର୍ଯ୍ୟଙ୍କ ସହିତ ମହମ୍ମଦ ସାଲି, କାଣ୍ଡିଲ ପେଙ୍କୁ ନେଇ ଗଠିତ ଭାରତୀୟ ଦଳ ଏହି ସଫଳତା ପାଇଥିଲା।‌ ମୋଟ ଉପରେ ଚେସ୍‌ରୁ ୨ ସ୍ବର୍ଣ୍ଣ, ୫ ରୌପ୍ୟ ଏବଂ ୨ କାଂସ୍ୟ ପଦକ ଜିତିଛି ଭାରତ। ପୂର୍ବରୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଏକାଧିକ ପଦକ ପାଇଛନ୍ତି ଏହି ଦୁଇ ଭ୍ରାତା। ବରଗଡ଼ ଜିଲ୍ଲା ପଦ୍ମପୁର ନିକଟସ୍ଥ ସତୀଭଟା ଗାଁରେ ଜନ୍ମିତ ଏହି ଦୁଇ ଭାଇ ବିରଳ ଦୁରାରୋଗ୍ୟ ଏଲସିଏ ପ୍ରଭାବିତ ଆଜନ୍ମ ଦୃଷ୍ଟିହୀନ। ଗତ ଅଗଷ୍ଟ ମାସରେ ସୌନ୍ଦର୍ଯ୍ୟ ବିଶ୍ବ କନିଷ୍ଠ ଦୃଷ୍ଟିହୀନ ଚେସ୍‌ରେ ରୌପ୍ୟ ପଦକ ଜିତି ଅସାଧାରଣ ଦକ୍ଷତାର ପରିଚୟ ଦେଇଥିଲେ।

ସମ୍ବନ୍ଧିତ ଖବର