ପାକିସ୍ତାନ ଅଧିନାୟକ ସର୍ଫରାଜ ବହିଷ୍କୃତ

ଲାହୋର: ସର୍ଫରାଜ ଅହମ୍ମଦ ପାକିସ୍ତାନ ଅଧିନାୟକ ପଦରୁ ବହିଷ୍କୃତ ହୋଇଛନ୍ତି। ଶୁକ୍ରବାର ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଏନେଇ ବିଦ୍ଧିବଦ୍ଧ ଘୋଷଣା କରିଛି। ଗତ ଦୁଇ ବର୍ଷ ଧରି ସର୍ଫରାଜ ତିନିଟିଯାକ ଫର୍ମାଟ୍‌ (ଟେଷ୍ଟ୍‌, ଦିନିକିଆ ଓ ଟ୍ବେଣ୍ଟି-୨୦)ର ନେତୃତ୍ବ ନେଉଥିଲେ। ସେ ମଧ୍ୟ ପାକିସ୍ତାନକୁ ୨୦୧୭ ଆଇସିସି ଚାମ୍ପିଅନ୍‌ସ ଟ୍ରଫି ଭେଟି ଦେଇଥିଲେ। କିନ୍ତୁ ତାଙ୍କ କାର୍ଯ୍ୟକାଳ ସମୟରେ ପାକିସ୍ତାନ ଉଭୟ ଟେଷ୍ଟ୍‌ ଓ ଦିନିକିଆ ମାନ୍ୟତାରେ ନିମ୍ନଗାମୀ ହୋଇ ଚାଲିଛି। ପୁଣି ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଘରୋଇ ମାଟିରେ ନିକଟରେ ଏକ ଦ୍ବିତୀୟସ୍ତରୀୟ ଶ୍ରୀଲଙ୍କା ଦଳ ନିକଟରୁ ୦-୩ରେ ମୂଳପୋଛ ହେବା ସର୍ଫରାଜଙ୍କ ପାଇଁ କାଳ ହୋଇଥିଲା। ମିସ୍‌ବା ଉଲ୍‌ ହକ୍ ନୁଆ ମୁଖ୍ୟ ଚୟନକର୍ତା ହେବା ପରେ ତାଙ୍କୁ ବହିଷ୍କାର କରିବା ପାଇଁ ବିଭିନ୍ନ ଆଡୁ ଚାପ ପଡ଼ିଥିଲା। ଶେ‌‌ଷରେ ପିସିବି ଶୁକ୍ରବାର ତାଙ୍କୁ ଟେଷ୍ଟ୍‌ ଓ ଟ୍ବେଣ୍ଟି-୨୦ ନେତୃତ୍ବରୁ ବହିଷ୍କାର କରିଥିବା ନିଷ୍ପତ୍ତି ଘୋଷଣା କରିଛି। ତାଙ୍କ ବଦଳରେ ଆଝାର ଅଲ୍ଲୀ ଟେଷ୍ଟ୍‌ ଏବଂ ବାବର ଆଜମ ‌ଟ୍ବେଣ୍ଟି-୨୦ ଦଳର ଅଧିନାୟକ ମନୋନୀତ ହୋଇଛନ୍ତି। ଆଝାରଙ୍କୁ ଟେଷ୍ଟ୍‌ ନେତୃତ୍ବ ଅର୍ପଣ କରିବା ପାଇଁ ନିଜେ ମିସ୍‌ବା ପ୍ରସ୍ତାବ ଦେଇଥିଲେ। ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଏବଂ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଆଝାର ଓ ବାବର ଦାୟିତ୍ବ ତୁଲାଇବେ ବୋଲି ପିସିବି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର