ଋଣବୋଝରେ ପାକିସ୍ତାନ: ଓଡ଼ିଶା ଆସିବା ଆଶଙ୍କାରେ

କରାଚି: ଋଣବୋଝରେ ବୁଡ଼ି ରହିଥିବାରୁ ପାକିସ୍ତାନ ହକି ଦଳ ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ରେ ଭାଗନେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଭୁବନେଶ୍ବର ସଂସ୍କରଣରେ ଭାଗନେବା ଲାଗି ପାକିସ୍ତାନ ହକି ସଂଘ (ପିଏଚ୍‌ଏଫ) ପକ୍ଷରୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)କୁ ଋଣ ମଗାଯାଇଥିଲେ ମଧ୍ୟ ଏହା ପ୍ରତ୍ୟାଖାତ ହୋଇଯାଇଛି। ଫଳରେ ମାତ୍ର ୩ ସପ୍ତାହରୁ କମ ସମୟ ଥିବା ବିଶ୍ବକପ୍‌ରେ ପାକିସ୍ତାନ ଅଂଶଗ୍ରହଣ ଉପରେ ଆଶଙ୍କା ଜାତ ହୋଇଛି। ଖେଳାଳିଙ୍କ ପୁରୁଣା ପାଉଣା ପ୍ରଦାନ ଏବଂ ଭୁବନେଶ୍ବର ଦଳ ପଠାଇବା ଖର୍ଚ ଲାଗି ପିଏଚ୍‌ଏଫ୍ ଏଭଳି ଋଣ ମାଗିଥିଲା। ପାକିସ୍ତାନର ନୂଆ ମୁଖ୍ୟ ପ୍ରଶିକ୍ଷକ ତୌକିର ଦାର ଏବଂ ପ୍ରବଂଧକ ହାସନ ସର୍ଦାର ଏ ସମ୍ପର୍କରେ ପିସିବି ଅଧ୍ୟକ୍ଷ ଏହସାନ ମଣିଙ୍କ ସହ କଥାବାର୍ତା କରିଥିଲେ। ଗୁରୁବାର ସେମାନଙ୍କ ମଧ୍ୟରେ ଦେଖାହେବାର କାର୍ଯ୍ୟକ୍ରମ ଥିଲା। କେତେକ କାରଣରୁ ଏହା ସମ୍ଭବ ହୋଇପାରିନଥିଲେ ବି ଫୋନ୍‌ଯୋଗେ କଥାବାର୍ତା ହୋଇଥିଲେ। ଏହସାନ ମଣି କିନ୍ତୁ ରୋକଠୋକ୍ ମନା କରି‌ଦେଇଥିଲେ। ୨୦୦୦ ମସିହା ପ୍ରାରମ୍ଭରେ ‌ଲେଫ୍ଟନାଣ୍ଟ ଜେନେରାଲ ତୌକିର ଜିଆଙ୍କ କାର୍ଯ୍ୟକାଳ ଅମଳରେ ପିଏଚ୍‌ଏଫ୍ ନେଇଥିବା ଋଣ ପରିଶୋଧ କରିନଥିବାରୁ ଏବେ ଅଗ୍ରଣୀ ଦେବା ସମ୍ଭବ ନୁହେଁ ବୋଲି ମଣି କହିଥିବା ଦାର ପ୍ରକାଶ କରିଛନ୍ତି। ଆର୍ଥିକ ଉପଦେଷ୍ଟା ଏବଂ ସମୀକ୍ଷକଙ୍କୁ ଉତ୍ତର ଦେବାକୁ ପଡ଼ୁଥିବାରୁ ଏଭଳି ଋଣ କିମ୍ବା ଅଗ୍ରୀମ ଦେବା ସମ୍ଭବ ନୁହେଁ ବୋଲି ମଣି କାରଣ ଦର୍ଶାଇଥିଲେ। କିନ୍ତୁ ସରକାର ଏବଂ ପ୍ରାୟୋଜକଙ୍କ ସହ କଥାହୋଇ ସମାଧାନ ବାହାର କରିବାର ପ୍ରତିଶ୍ରୁତି ଦେଇଛନ୍ତି ମଣି। ପିଏଚ୍‌ଏଫ୍ ପକ୍ଷରୁ ସରକାରଙ୍କୁ ୮୦ ଲକ୍ଷ ପାକିସ୍ତାନୀ ଟଙ୍କା ପ୍ରଦାନ ଲାଗି ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ କୌଣସି ସଙ୍କେତ ପାଇନାହାନ୍ତି। ଆମେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ସିଧାସଳଖ ଯୋଗାଯୋଗ କରିଛୁ, ସପ୍ତାହକ ମଧ୍ୟରେ ଅର୍ଥ ମଞ୍ଜୁର ନହେଲେ ଭାରତ ଗସ୍ତ କରିବା ସମ୍ଭବ ହେବ ନାହିଁ ବୋଲି ଦାର ପ୍ରକାଶ କରିଛନ୍ତି। ଆମେ ଏବେ ମଧ୍ୟ ଏସୀୟ ଚାମ୍ପିଅନ୍ସ ଟ୍ରଫିର ଦୈନିକ ଭତ୍ତା ପାଇନାହୁଁ। ଏହା ପୂର୍ବରୁ ପ୍ରସ୍ତୁତି ଶିବିର ଖର୍ଚ ମଧ୍ୟ ଦିଆଯାଇନାହିଁ। ଭାରତୀୟ ଉଚ୍ଚାୟୁକ୍ତରୁ ଠିକଣା ସମୟରେ ଭିସା ପାଇବାକୁ କିନ୍ତୁ ଅଗ୍ରଣୀ ଆବେଦନ କରାଯାଇଛି। ୨ ବର୍ଷ ତଳେ ଭିସା ସମସ୍ୟା କାରଣରୁ ପାକିସ୍ତାନ କନିଷ୍ଠ ବିଶ୍ବକପ୍ ଦଳ ଭାରତ ଯାଇପାରିନଥିଲା। ଅନ୍ୟପକ୍ଷରେ ବୁଧବାରଠାରୁ କିନ୍ତୁ ପାକିସ୍ତାନ ଦଳ ଲାହୋରରେ ପ୍ରସ୍ତୁତି ଶିବିର ଆରମ୍ଭ କରିଛି। ତୌକିର ଦାର ମୁଖ୍ୟ ପ୍ରଶିକ୍ଷକ ଏବଂ ଡାନିସ କଲିମ ସହକାରୀ ପ୍ରଶିକ୍ଷକ ଭାବେ ଦାୟିତ୍ବ ନେଇଛନ୍ତି। ହାସନ ସର୍ଦାର ପ୍ରବଂଧକ ଏବଂ ରେହାନ ବଟ୍ଟ ସହକାରୀ ରହିଛନ୍ତି।

ସମ୍ବନ୍ଧିତ ଖବର