ପାକିସ୍ତାନ ନ ଯିବାକୁ ଶ୍ରୀଲଙ୍କା କ୍ରିକେଟ ଖେଳାଳୀଙ୍କୁ ଧମକାଉଛି ଭାରତ: ପାକିସ୍ତାନ ମନ୍ତ୍ରୀ

ନୂଆଦିଲ୍ଲୀ : ପାକିସ୍ତାନରେ ଶାସନ କରୁଥିବା ଇମ୍ରାନ ଖାଁ ସରକାରରେ ଦୁଇଜଣ ମନ୍ତ୍ରୀ ବଡ଼କୁହା ଭାବେ ଜଣାଶୁଣା । କିଛି ନଭାବି ଯାହା ମନକୁ ଆସିଲା କହିଦିଅନ୍ତି । ଏହି ଦୁଇଜଣ ହେଉଛନ୍ତି ରେଳମନ୍ତ୍ରୀ ଶେଖ ରସିଦ ଓ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଚୌଧୁରୀ ଫଓ୍ଵାଦ ହୁସେନ । ପାକିସ୍ତାନରେ ଘଟୁଥିବା ସବୁ ଖରାପ ଘଟଣାରେ ଭାରତର ହାତ ବୋଲି ଏହି ଦୁଇଜଣ କହିଚାଲିଛନ୍ତି । ଶ୍ରୀଲଙ୍କାର କ୍ରିକେଟ ଦଳ ପାକିସ୍ତାନ ଗସ୍ତରେ ଯିବାକୁ ରାଜି ନହେବା ପଛରେ ବି ଭାରତର ହାତ ରହିଛି ବୋଲି କହିଛନ୍ତି ହୁସେନ ।

ସେ କହିଛନ୍ତି ଯେ ଶ୍ରୀଲଙ୍କା ଖେଳାଳିମାନେ ଆଇପିଏଲରେ ଖେଳୁଥିବାରୁ ସେମାନଙ୍କୁ ଭୟ ଦେଖାଇ ପାକିସ୍ତାନ ଗସ୍ତରେ ନ ଯିବାକୁ ଭାରତ ସେମାନଙ୍କ ଉପରେ ଚାପ ପ୍ରୟୋଗ କରିଛି । ସୂଚନାଯୋଗ୍ୟ ଯେ ଶ୍ରୀଲଙ୍କା ଦଳର ପ୍ରାୟ ୧୦ ଜଣ ଖେଳାଳି ଶ୍ରୀଲଙ୍କା ଗସ୍ତରେ ଯିବାକୁ ମନା କରିଦେଇଛନ୍ତି । ସୁରକ୍ଷା କାରଣରୁ ସେମାନେ ଏହା କରିଛନ୍ତି । ୨୦୦୯ରେ ପାକିସ୍ତାନ ଗସ୍ତରେ ଯାଇଥିବାବେଳେ ଶ୍ରୀଲଙ୍କା ଖେଳାଳିଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । କିଛିଦିନ ତଳେ ଭାରତର ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଠିକଭାବରେ ଓହ୍ଲାଇ ନପାରିବାକୁ ନେଇ ଚୌଧୁରୀ ଫଓ୍ଵାଦ ହୁସେନ ଭାରତକୁ ବ୍ୟଙ୍ଗ କରିଥିଲେ ।

ସମ୍ବନ୍ଧିତ ଖବର