ବିଜୟ ସହ ପାକିସ୍ତାନର ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ

ସେଞ୍ଚୁରିଅନ୍‌: ପାକିସ୍ତାନ କ୍ରିକେଟ୍‌ ଦଳ ବିଜୟ ସହ ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ କରିଛି। ତିନି ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ‌ଦୁଇ ମ୍ୟାଚ୍‌କୁ ଜିତି ଦକ୍ଷିଣ ଆଫ୍ରିକା ଆଗୁଆ ଶୃଙ୍ଖଳା କବ୍‌ଜା କରି ସାରିଥିଲା ବେଳେ ବୁଧବାର ଶେଷ ମ୍ୟାଚ୍‌ରେ ପାକିସ୍ତାନ ୨୭ ରନ୍‌ରେ ସାନ୍ତ୍ବନାମୂଳକ ବିଜୟ ପାଇ ସମ୍ମାନର ସହ ଅଭିଯାନ ଶେଷ କରିଥିଲା। ଏହି ଗସ୍ତରେ ପାକିସ୍ତାନ ୩ ଟେଷ୍ଟ୍‌, ୫ ଦିନିକିଆ ଏବଂ ୩ ଟ୍ବେଣ୍ଟି-୨୦ ଖେଳିଥିଲା। ଟେଷ୍ଟ୍‌ ଶୃଙ୍ଖଳାକୁ ଦକ୍ଷିଣ ଆଫ୍ରିକା ୩-୦ରେ ପୋଛି ନେଇଥିଲା। ହେଲେ ଦିନିକିଆ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ପାକିସ୍ତାନ ସଂଘର୍ଷ କରି ଯଥାକ୍ରମେ ୨-୩ ଓ ୧-୨ ହାରିଥିଲା। ବୁଧବାର ଟସ୍‌ ଜିତି ଘରୋଇ ଦକ୍ଷିଣ ଆଫ୍ରିକା କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲା। ପାକିସ୍ତାନ ନିର୍ଧାରିତ ୨୦ ଓଭରରେ ୧୬୮ ରନ୍‌ କରିଥିଲା। ପାକିସ୍ତାନର କୌଣସି ବ୍ୟାଟ୍ସମ୍ୟାନ୍‌ କ୍ରିଜ୍‌ରେ ବେଶି ସମୟ ତିଷ୍ଟି ନଥିଲେ ମଧ୍ୟ ପ୍ରତ୍ୟେକଙ୍କର ସ୍ବଳ୍ପ ଓ ମହତ୍ବପୂର୍ଣ୍ଣ ଯୋଗଦାନରେ ଦଳ ଦେଢ଼ ଶହ ରନ୍ ପାରି କରିଥିଲା। ମହମ୍ମଦ ରିଜ୍‌ୱାନ୍‌ ୨୬, ଅସିଫ୍‌ ଅଲ୍ଲୀ ୨୫ ଏବଂ ବାବର ଆଜମ ୨୩ ରନ୍‌ କରିଥିଲେ। ଶେଷ ଓଭରରେ ସାଦବ ଖାନ୍‌ (୨୨*, ୮ ବଲ୍‌) ୩ ଛକା ମାରି ପାକିସ୍ତାନର ଏହି ସମ୍ମାନଜନକ ‌ସ୍କୋର୍‌ରେ ବଡ଼ ଭାଗୀଦାରି ରଖିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ବେରନ୍‌ ହେଣ୍ଡ୍ରିକ୍ସ ୪ ୱିକେଟ୍‌ ପାଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ୯ ୱିକେଟ୍‌ ହରାଇ ୧୪୧ ରନ୍‌ କରିବାକୁ ସମର୍ଥ ହୋଇଥିଲା। କ୍ରିସ୍‌ ମୋରିସ୍‌ (୫୫, ୨୯ ବଲ୍‌) ଅପରାଜିତ ଅର୍ଧଶତକ ଏବଂ ରସି ଭାନ୍‌ ଡର୍‌ ଦସନ୍‌ ୪୧ ରନ୍‌ କରିଥିଲେମଧ୍ୟ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ବଡ଼ ସ୍କୋର୍‌ କରିବାରେ ସମର୍ଥ ହୋଇନଥିଲେ। ୭ ଜଣ ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ମହମ୍ମଦ ଆମିର ୩, ସଦାବ ଖାନ୍‌ ଓ ଫହିମ ଅସ୍ରଫ ୨ ୱିକେଟ୍‌ ଲେଖାଏଁ ନେଇଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ସଦାବଙ୍କୁ ମ୍ୟାଚ୍‌ର ‌ଶ୍ରେଷ୍ଠ ଖେଳାଳି ଏବଂ ଡେଭିଡ ମିଲରଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର