ଲଣ୍ଡନ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ) ବିଶ୍ୱକପ୍ ୨୦୧୯ର ୩୦ତମ ମ୍ୟାଚ୍ରେ ରବିବାର ଦକ୍ଷିଣ ଆଫ୍ରିକାକୁ ପାକିସ୍ତାନ ୪୯ ରନ୍ରେ ପରାସ୍ତ କରିଛି। ପାକିସ୍ତାନୀ ବୋଲରଙ୍କ ସମ୍ନା କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ଵିକେଟ ହରାଇ ୨୫୯ ରନ୍ ସଂଗ୍ରହ କରିଛି। ସଦାବ ଖାନ୍ ୧୦ ଓଭର ବୋଲିଂ କରି ଗୋଟିଏ ଓଭର ମେଡେନ ଦେଇଥିଲେ। ସେ ୫୦ ରନ ଖର୍ଚ୍ଚ କରି ୩ଟି ଓ୍ଵିକେଟ୍ ନେଇଥିଲେ। ଅନ୍ୟପଟେ ଓ୍ଵାହାବ ରିଆଜ ୧୦ ଓଭରରେ ୪୬ ରନ୍ ଦେଇ ୩ଟି ଓ୍ଵିକେଟ ନେଇଛନ୍ତି ।
ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ୩୦୯ ରନ୍ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଟିମ୍ ମାତ୍ର ୪ ରନ୍ରେ ହାସିମ ଆମଲାଙ୍କୁ ହରାଇଥିଲା। ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ୮୭ ରନ୍ ଯୋଡ଼ିଥିବା ବେଳେ କ୍ୱିଣ୍ଟନ ଡି କକ୍ ଆଉଟ୍ ହୋଇ ପାଭଲିଅନ୍ ଫେରିଥିଲେ । ପରେ ୧୦୩ ରନ୍ରେ ଆଇଡେନ ମାର୍କମ ଦଳର ୩ୟ ଓ୍ଵିକେଟ୍ ଭାବେ ଆଉଟ୍ ହୋଇଥିଲେ। ପାକିସ୍ତାନ ୪ର୍ଥ ଓ୍ଵିକେଟ୍ ଭାବେ ଅଧିନାୟକ ଫାଫ୍ ଡୁପ୍ଲେସିସ୍ଙ୍କୁ ହରାଇଥିଲା। ଦକ୍ଷିଣ ଆଫ୍ରିକା ୧୮୯ ରନ୍ରେ ୫ମ (ଦୁସେନ), ୧୯୨ ରନ୍ରେ ୬ଷ୍ଠ (ଡେଭିଡ ମିଲର) ଓ ୨୨୨ ରନ୍ରେ ୭ମ (କ୍ରିସ୍ ମୋରିସ୍) ଓ୍ଵିକେଟ ହରାଇଥିଲା।
ଦକ୍ଷିଣ ଆଫ୍ରିକା ପାଇଁ ଫାଫ ଡୁପ୍ଲେସିସ୍ ସର୍ବାଧିକ ୬୩ ରନ୍ କରିଥିବା ବେଳେ କ୍ୱିଣ୍ଟନ ଡି କକ୍ ୪୭ ରନ୍ କରିଥିଲେ। ଦୁସେନ ୩୬ ରନ, ମିଲର ୩୧ ରନ୍ ଓ କ୍ରିସ୍ ମୋରିସ ୧୬ ରନ୍ କରିଥିଲେ।
ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାକିସ୍ତାନ ବିସ୍ଫୋରକ ବ୍ୟାଟିଂ କରିଥିଲା। ଲଣ୍ଡନର ଲଡର୍ସରେ ଟସ୍ ଜିଣି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦକ୍ଷିଣ ଆଫ୍ରିକାର ସବୁ ବୋଲରଙ୍କୁ ପାକିସ୍ତାନୀ ବ୍ୟାଟସ୍ମ୍ୟାନ୍ ଚ୍ୟାଲେଞ୍ଜ କରିଛନ୍ତି। ପୂରା ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୭ଟି ଓ୍ଵିକେଟ୍ ହରାଇ ୩୦୮ ରନ୍ କରିଥିଲା।
ପାକିସ୍ତାନର ହରିସ ସୋହିଲ ସର୍ବାଧିକ ୮୯ ରନ କରିଥିଲେ। ଏତଦ ବ୍ୟତୀତ ବାବର ଆଜମ ୬୯ ରନ୍ କରିଥିବା ବେଳେ ମହମ୍ମଦ ହଫୀଜ ୨୦ ରନ ଓ ଇମାଦ ଓ୍ଵାସିମ ୨୩ ରନ ଦଳ ପାଇଁ ଯୋଡିଥିଲେ। ସେହିପରି ଓପନର ଇମାମ ଉଲ ହକ୍ ଓ ଫାକର ଜମାନ ୪୪-୪୪ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକାର ଲୁଙ୍ଗି ଏନ୍ଗିଡ଼ିଙ୍କୁ ୩ଟି ଓ୍ଵିକେଟ୍ ମିଳିଥିବା ବେଳେ ଇମରାନ୍ ତାହିରଙ୍କୁ ୨ ଓ୍ଵିକେଟ ଓ ଆଣ୍ଡିଲେ ଫେଲୁକାଓଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଥିଲା।