ପାନପୋଷ-ଭୁବନେଶ୍ୱର କ୍ରୀଡ଼ା ଛାତ୍ରବାସ ସେମିଫାଇନାଲ୍‌

ମେଜର୍‌ ଧ୍ୟାନଚାନ୍ଦ ସ୍ମାରକୀ ମହିଳା ହକି

ରାଉରକେଲା: ତୃତୀୟ ସର୍ବଭାରତୀୟ ମେଜର୍‌ ଧ୍ୟାନଚାନ୍ଦ ସ୍ମାରକୀ ମହିଳା ହକି ପ୍ରତିଯୋଗିତାରେ ଶୁକ୍ରବାର ଭୁବନେଶ୍ୱର କ୍ରୀଡ଼ା ଛାତ୍ରବାସ ଓ ଉତ୍ତର-ପୂର୍ବ ରେଳବାଇ (ଗୋରଖପୁର) ନିଜ ନିଜର ବିଜୟ ସହ ସେମିଫାଇନାଲ ସ୍ଥାନ ପକ୍କା କରିଛନ୍ତି। ସେମିଫାଇନାଲ୍‌ରେ ଭୁବନେଶ୍ୱର କ୍ରୀଡ଼ା ଛାତ୍ରବାସ ଓ ପାନପୋଷ ଏବଂ ଉତ୍ତର-କେନ୍ଦ୍ରୀୟ ରେଳବାଇ (ଆଲାହାବାଦ୍‌) ଓ ଉତ୍ତର-ପୂର୍ବ ରେଳବାଇ (ଗୋରଖପୁର) ମୁହାଁମୁହିଁ ହେବେ।

ଶୁକ୍ରବାର ଲିଗ୍‌ ପର୍ଯ୍ୟାୟର ଶେଷ ଦିବସରେ ପାନପୋଷ କ୍ରୀଡ଼ା ଛାତ୍ରାବାସ ୧୦-୧ ଗୋଲ୍‌ରେ ନାଗପୁର ହକି ଏକାଡ଼େମିକୁ ପରାସ୍ତ କରି ବିଜୟ ଧାରା ଜାରି ରଖିଛି। ପାନପୋଷ ଦଳ ପକ୍ଷରୁ ନୀମାବତୀ ସିଂ (୨, ୭, ୨୩ ଓ ୩୪ ମିନିଟ୍‌) ଚାରିଟି ଗୋଲ୍‌ କରିଥିବା ବେଳେ ନମ୍ରତା ବାରା (୧୩ ମିନିଟ୍‌), ଜାହ୍ନବୀ ପ୍ରଧାନ (୧୮ ମିନିଟ୍‌), ଜୀବନ କିଶୋରୀ ଟପ୍ପୋ (୫୭ ମିନିଟ୍‌), ସରିତା କେର୍କେଟା (୬୩ ମିନିଟ୍‌), ସୁଶାନ୍ତି ମିଞ୍ଜ୍‌ (୬୪ ମିନିଟ୍‌) ଓ ରିଙ୍କି କୁଜୁର୍‌ (୬୬ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଯୋଡ଼ିଥିଲେ। ନାଗପୁର ପକ୍ଷରୁ ଶଶୀ ଲାକ୍ରା (୨୧ ମିନିଟ୍‌) ଏକମାତ୍ର ଗୋଲ୍‌ ମାରିଥିଲେ।

ସେହିପରି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭୁବନେଶ୍ୱର କ୍ରୀଡ଼ା ଛାତ୍ରବାସ ଦଳ ୭-୧ ଗୋଲ୍‌ରେ ଧାନବାଦ ପୂର୍ବ-କୋନ୍ଦ୍ରୀୟ ରେଳବାଇକୁ ପରାସ୍ତ କରିଥିଲା। ପ୍ରଥମାର୍ଧରେ ୫-୧ରେ ଆଗୁଆ ଥିବା ଭୁବନେଶ୍ୱର ଦଳ ଦ୍ୱିତୀୟାର୍ଧରେ ୨ ଗୋଲ୍‌ କରିଥିଲା। ଏଲିମା ମିଞ୍ଜ (୬ ଓ ୨୧ ମିନିଟ୍‌) ଓ ଖୁସ୍‌ବୁ କୁଜୁର (୫୩ ଓ ୭୦ ମିନିଟ୍‌) ଦୁଇଟି ଲେଖାଏଁ, ଦୀପ୍ତି ଲାକ୍ରା (୯ ମିନିଟ୍‌), ସ୍ୱୟଂ ସୁଧା ସାହୁ (୧୪ ମିନିଟ୍‌) ଓ ଅସ୍ମିତା ବାର୍ଲା (୨୪ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ଧାନବାଦ୍‌ ରେଳବାଇ ପକ୍ଷରୁ ଶିଲବନ୍ତି ୩୫ ମିନିଟ୍‌ରେ ଗୋଟିଏ ଗୋଲ୍‌ କରିଥିଲେ।
ଅନ୍ୟ ଏକ ମ୍ୟାଚ୍‌ରେ ଗୋରଖପୁର ଦଳ ୯-୦ ଗୋଲ୍‌ରେ ଷ୍ଟିଲ୍‌ ପ୍ଲାଣ୍ଟ ବୋର୍ଡ଼ ଭିଲାଇକୁ ପରାସ୍ତ କରିଥିଲା। ଗୋରଖପୁର ପକ୍ଷରୁ କୋମଲ ସାହାନୀ (୧୫, ୨୮, ୪୧ ମିନିଟ୍‌) ଓ ଶିବାନୀ ସିଂ (୨୫,୩୭, ୫୧ ମିନିଟ୍‌) ୩ ଲେଖାଏଁ, ସୃଷ୍ଟି ସିଂ (୨୭, ୪୫ ମିନିଟ୍‌) ୨ ଓ ପ୍ରାଞ୍ଜଲ ଶର୍ମା (୨୩ ମିନିଟ୍‌) ଗୋଟିଏ ଗୋଲ୍‌ କରିଥିଲେ। ଚତୁର୍ଥ ମ୍ୟାଚ୍‌ରେ ଉତ୍ତର-କେନ୍ଦ୍ରୀୟ ରେଳବାଇ (ଆଲାହାବାଦ୍‌) ଦଳ ୬-୦ ଗୋଲ୍‌ରେ ୟୁକୋ ବ୍ୟାଙ୍କ ଚଣ୍ଡିଗଡ଼କୁ ପରାସ୍ତ କରି ତୃତୀୟ ବିଜୟ ଲାଭ କରିଥିଲା। ବିଜେତା ଦଳ ପକ୍ଷରୁ ପିଙ୍କି ୩ ଗୋଲ୍‌ ମାରିଥିବା ବେଳେ ନିହାରିକା ସାକ୍‌ସେନା, ପୁଜା କିଣ୍ଡୋ ଏବଂ ଦୀକ୍ଷା ତିଓ୍ଵାରୀ ଗୋଟିଏ ଲେଖାଁଏ ଗୋଲ୍‌ କରିଥିଲେ। ମ୍ୟାଚ୍‌ଗୁଡ଼ିକୁ ଶ୍ୱେତା ପାଟିଲ୍‌, ନିଶା ଦେବୀ, ଦୁର୍ଗା ଠାକୁର୍‌, ରୁଚିକା ଓ୍ଵାଂଖଡ଼େ, ମିନି କୁମାରୀ, ସରମନ ବସ୍ସା ଓ ରାମା ପୋଟିଂସ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର