ରାଏ-ଇଦୁଲଜୀ ପୁଣି ମୁହାଁମୁହିଁ: ପାଣ୍ଡ୍ୟା-ରାହୁଲ ବିବାଦ

ମୁମ୍ବାଇ: ବିସିସିଆଇର ପରିଚାଳନା ଲାଗି ଉଚ୍ଚତମ ନ୍ୟାୟାଳୟ ନିଯୁକ୍ତ ପ୍ରଶାସନିକ ସମିତି (ସିଓଏ)ର ମୁଖ୍ୟ ବିନୋଦ ରାଏ ଏବଂ ସଦସ୍ୟା ତଥା ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟିକା ଡାଏନା ଇଦୁଲଜୀ ହାର୍ଦିକ ପାଣ୍ଡ୍ୟା ଏବଂ ଲୋକେଶ ରାହୁଲଙ୍କ ଟେଲିଭିଜନ୍ ସାକ୍ଷାତକାରକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ରାଏ ମାମଲାର ତଦନ୍ତ ଶୀଘ୍ର ସାରିବା ସପକ୍ଷରେ ଥିଲା ବେଳେ ଡାଏନା ଏହାକୁ ବିରୋଧ କରିଛନ୍ତି। ବିଶେଷ କରି ମି-ଠୁ ଅଭିଯାନରେ ଫଶିଥିବା ବିସିସିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରିଙ୍କୁ ଏହି ମାମଲାର ତଦନ୍ତ ଭାର ଦେବାକୁ ଇଦୁଲଜୀ ପସନ୍ଦ କରିନାହାନ୍ତି। ତା’ ଛଡ଼ା ତରବର ହେଲେ ଦୋଷୀମାନେ ଖସି ଯାଇପାରନ୍ତି ବୋଲି ସେ ଆଶଙ୍କା ଜାହିର କରିଛନ୍ତି। ଶନିବାର ସକାଳେ ଡାଏନାଙ୍କୁ ପଠାଇଥିବା ଏକ ଇମେଲ୍‌ରେ ତଦନ୍ତ ତୁରନ୍ତ ସାରିବାକୁ ରାଏ ଆହ୍ବାନ କରିଥିଲେ। କେତେକ ଖେଳାଳିଙ୍କ ବ୍ୟବହାର ପାଇଁ ଦଳର ଯେମିତି କୌଣସି କ୍ଷତି ନହୁଏ, ତାହା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଦ୍ବିତୀୟ ଦିନିକିଆ ସୁଦ୍ଧା ଏହି ବିବାଦ ତୁଟିଗଲେ, ଚୟନକର୍ତା ପାଣ୍ଡ୍ୟା ଏବଂ ରାହୁଲଙ୍କ ବଦଳ ଖେଳାଳିଙ୍କ ନାଁ ଘୋ‌ଷଣା କରିପାରନ୍ତେ ବୋଲି ରାଏ କହିଥିଲେ। ଏହାର ଉତ୍ତରରେ ଡାଏନା ବିସିସିଆଇ ଆଇନ ବିଭାଗ ପରାମର୍ଶର ଦ୍ବାହି ଦେଇ ନିଜ ପକ୍ଷ ରଖିବାକୁ ଖେଳାଳିଙ୍କୁ ଅନ୍ୟୁନ ଏକ ସପ୍ତାହ ସମୟ ମିଳିବା ଉଚିତ ବୋଲି ଯୁକ୍ତି ବାଢ଼ିଥିଲେ। ମୁଖ୍ୟ କାର୍ଯ୍ୟନିର୍ବାହୀ ଜୋହରିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଥିବାରୁ ସେ ଏହି ମାମଲାର ତଦନ୍ତ କରିବା କଣ ଠିକ୍ ହେବ ବୋଲି ଇଦୁଲଜୀ ପାଲଟା ପ୍ରଶ୍ନ କରିଥିଲେ। ତଦନ୍ତ ସିଓଏ ଏବଂ ବିସିସିଆଇ କର୍ମକର୍ତା କରିବାକୁ ସେ ପରାମର୍ଶ ଦେଇଥି‌ଲେ। ଏହା ହେଲେ ଅଧିକ ସ୍ବଚ୍ଛତା ଏବଂ ନିରପେକ୍ଷତା ଅବଲମ୍ବନ କରିହେବ ବୋଲି ଇଦୁଲ୍‌ଜୀ ମତ ରଖିଥିଲେ।

ପାଣ୍ଡ୍ୟାଙ୍କ ହାତରୁ ଖସିଲା ଜିଲେଟ୍
ମୁମ୍ବାଇ: ‘କଫି ୱିଥ୍ କରଣ’ ଟେଲିଭିଜନ୍ କାର୍ଯ୍ୟକ୍ରମରେ ମହିଳାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇଥିବା ଭାରତୀୟ କ୍ରିକେଟ୍‌ର ହାର୍ଦିକ ପାଣ୍ଡ୍ୟା କେବଳ ଜାତୀୟ କ୍ରିକେଟ୍ ଦଳରୁ ନିଲମ୍ବିତ ହୋଇନାହାନ୍ତି, ଏହି କାରଣରୁ ପାଣ୍ଡ୍ୟାଙ୍କ ସହ ସଂପର୍କ ରଖିଥିବା କଂପାନିଗୁଡ଼ିକ ତାଙ୍କ ଉପରୁ ମୁହଁ ଫେରାଇବା ମଧ୍ୟ ଆରମ୍ଭ କରି ଦେଇଛନ୍ତି। ପୁରୁଷଙ୍କ ପାଇଁ ଦାଢ଼ି କାଟିବା ରେଜର ପ୍ରସ୍ତୁତ କରୁଥିବା କଂପାନି ଜିଲେଟ୍ ଏହି କ୍ଷେତ୍ରରେ ସର୍ବାଗ୍ରେ ରହିଛି। ପାଣ୍ଡ୍ୟା ଏହି କଂପାନିର ‘ମାର୍କ-୩’ ରେଜରର ପ୍ରଚାର କରୁଥିଲେ। ଜିଲେଟ୍ କିନ୍ତୁ ଏବେ ତାଙ୍କୁ ଏଥିରୁ ହଟାଇ ଦେଇଥିବା ଜଣାପଡ଼ିଛି। କଂପାନି ଏଥିନେଇ ପ୍ରକାଶ କରିଥିବା ପ୍ରେସ୍ ବାର୍ତାରେ କହିଛି ଯେ ପାଣ୍ଡ୍ୟା ନିକଟରେ ଦେଇଥିବା ମନ୍ତବ୍ୟ ଜିଲେଟର ମୂଲ୍ୟବୋଧର ପ୍ରତିଫଳନ ନୁହେଁ। ଆମେ ତାଙ୍କ ସହ ସବୁ ସଂପର୍କ ଛିନ୍ନ କରିଛୁ।

ସମ୍ବନ୍ଧିତ ଖବର