ପାଣ୍ଡ୍ୟାଙ୍କୁ ପାଞ୍ଚ: ଭାରତ ଦୃଢ଼

ନଟିଂହାମ: ଟ୍ରେଣ୍ଟ୍‌ବ୍ରିଜ୍‌ରେ ପ୍ରଥମ ଦୁଇ ଦିନ ଭାରତୀୟଙ୍କ ବ୍ୟାଟିଂ ଓ ବୋଲିଂ କମାଲ୍‌ ଦେଖିବାକୁ ମିଳିଛି। ଫଳରେ ଟେଷ୍ଟ୍‍ ଶୃଙ୍ଖଳାରେ ପ୍ରଥମ ଥର ଭାରତ ପ୍ରାଧାନ୍ୟ ବିସ୍ତାର କରିଛି। ହାର୍ଦିକ ପାଣ୍ଡ୍ୟାଙ୍କ ପ୍ରଥମ ୫ ଓ୍ଵିକେଟ୍‌ ସଫଳତା ସହିତ ଭାରତୀୟ ବୋଲର ଇଂଲଣ୍ଡର ପ୍ରଥମ ପାଳିକୁ ୧୬୧ ରନ୍‌ରେ ଶେଷ କରିଦେଇଛନ୍ତି। ଜବାବରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ପାଳିରେ ୨ ଓ୍ଵିକେଟ୍‌ରେ ୧୨୪ ରନ୍‌ ସଂଗ୍ରହ କରି ମୋଟ ଉପରେ ୨୯୨ ଅଗ୍ରଣୀ ନେଇ ସ୍ଥିତି ଦୃଢ଼ କରିଛି।  ଦ୍ୱିତୀୟ ଦିବସରେ ମୋଟ ୧୬ ଓ୍ଵିକେଟ୍‌ର ପତନ ଘଟିଛି। ଭାରତ ରବିବାର ୩୦୭/୬ରୁ ଖେଳିଥିଲେ ମଧ୍ୟ ପ୍ରଥମ ୭.୫ ଓଭର ଭିତରେ ହିଁ ୪ ଓ୍ଵିକେଟ୍‌ ହରାଇ ୩୨୯ ରନ୍‌ରେ ସୀମିତ ରହିଥିଲା। ପଦାର୍ପଣ କରିଥିବା ଋଷବ ପନ୍ତ୍‌ ଆଉ ମାତ୍ର ୨ ରନ୍‌ ଯୋଡ଼ି ୨୪ ରନରେ ଆଉଟ୍‌ ହୋଇଯିବାରୁ ଭାରତ ୧୮ ବଲ୍‌ ଭିତରେ ଅବଶିଷ୍ଟ ୩ ଓ୍ଵିକେଟ୍‌ ହରାଇଥିଲା। ଭାରତ ଭଳି ଇଂଲଣ୍ଡ ମଧ୍ୟ ପ୍ରଥମରୁ ଭଲ ଆରମ୍ଭ କରିଥିଲା। ଆଲେଷ୍ଟର୍‌ କୁକ୍‌ ଏବଂ କିଟନ୍‌ ଜେନିଙ୍ଗ୍‌ସ ପ୍ରଥମ ଓ୍ଵିକେଟ୍‌ ପାଇଁ ୫୪ ରନ୍‌ ଉଠାଇଥିଲେ। କିନ୍ତୁ ଲାଗାତାର ବଲ୍‌ରେ ଉଭୟ ଆଉଟ୍‌ ହୋଇଯିବାରୁ ଭାରତ ଫେରିଥିଲା। ମହମ୍ମଦ ସାମି, ଈଶାନ୍ତ ଶର୍ମା, ଯଶପ୍ରୀତ ବୁମରା ପ୍ରାରମ୍ଭିକ ଝଟ୍‌କା ପରେ ଇଂଲଣ୍ଡ କିନ୍ତୁ ପାଣ୍ଡ୍ୟା ପରାକ୍ରମ ଆଗରେ ପରାସ୍ତ ହୋଇଥିଲା। ଜୋ ରୁଟ୍‌ଙ୍କୁ ପ୍ରଥମ ଶିକାର କରିବା ପରେ ପାଣ୍ଡ୍ୟା ହଠାତ୍‌ ଇଂଲଣ୍ଡ ପାଇଁ ବିପଜ୍ଜନକ ସାବ୍ୟସ୍ତ ହେଉନଥିଲେ ବି ଓ୍ଵିକେଟ୍‌ ପରେ ଓ୍ଵିକେଟ୍‌ କାଢ଼ି ନେଇଥିଲେ। ପ୍ରଥମ ଥର ଟେଷ୍ଟ୍‍ କ୍ରିକେଟ୍‌ରେ ୫ ଓ୍ଵିକେଟ୍‌ ପାଇଥିଲେ। ସବୁଠାରୁ ବଡ଼ କଥା ହେଉଛି ପାଣ୍ଡ୍ୟା ମାତ୍ର ୬ ଓଭର ବୋଲିଂ କରିଥିଲେ ମଧ୍ୟ ଶେଷ ୨୯ ବଲ୍‌ ଓ ୨୮ ରନ୍‌ ଭିତରେ ହିଁ ଏହି ୫ ଓ୍ଵିକେଟ୍‌ ନେଇଥିଲେ। ଏହା ମଧ୍ୟରେ ଦୁଇ ଥର ଗୋଟିଏ ଲେଖାଏଁ ଓଭରରେ ୨-୨ ଓ୍ଵିକେଟ୍‌ ଦଖଲ ସାମିଲ ଥିଲା। ଇଂଲଣ୍ଡ ୧୨୮ ରନ୍‌ରେ ୯ ଓ୍ଵିକେଟ୍‌ ହରାଇବାରୁ ଫଲୋଅନ୍‌ ହୋଇଯିବ ବୋଲି ଆଶଙ୍କା ଆସିଥିଲା। କିନ୍ତୁ ଜୋସ୍‌ ବଟ୍‌ଲର୍‌ (୩୯, ୩୨ ବଲ୍‌, ୩ ଚୌକା, ୨ ଛକା) ଆକ୍ରମଣାତ୍ମକ ବ୍ୟାଟିଂ କରିବାରୁ ଇଂଲଣ୍ଡ ୧୬୧ ରନ୍‌ରେ ପହଞ୍ଚିଥିଲା। ତଥାପି ଘରୋଇ ଦଳ ଗୋଟିଏ ଅଧିବେସନରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୬୮ ରନ୍‌ ପଛରେ ରହିଥିଲା। ପଦାର୍ପଣରେ ଓ୍ଵିକେଟ୍‌ ପଛପଟେ ୫ କ୍ୟାଚ୍‌ ନେଇ ଋଷବ ପନ୍ତ ମଧ୍ୟ ଏକ କୀର୍ତିମାନ କରିଥିଲେ।

ପ୍ରଥମ ପାଳି ଭଳି ଦ୍ୱିତୀୟ ପାଳିରେ ମଧ୍ୟ ଠିକ୍‌ ୬୦ ରନ୍‌ ଉଠାଇଥିଲେ ପ୍ରାରମ୍ଭିକ ଯୋଡ଼ି ଧାଓ୍ଵନ ଏବଂ ରାହୁଲ। ଏଥର ରାହୁଲ (୩୬, ୩୩ ବଲ୍‌, ୭ ଚୌକା) ଆଗ ଆଉଟ୍‌ ହୋଇଥିଲେ। ଷ୍ଟୋକ୍‌ସଙ୍କ ଏକ ସିଧା ବଲ୍‌ରେ ବୋଲ୍‌ଡ ହୋଇଥିଲେ। ଶିଖର ଧାଓ୍ଵନ (୪୪) ଜଗି ରଖି ଖେଳିଥିଲେ ବି ଆଗକୁ ବଢ଼ିି ପାରିନଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ପୂଜାରା (୩୩*) ଆକ୍ରାମକ ଶୈଳୀ ଆପଣାଇଥିଲେ। ଷ୍ଟମ୍ପ୍‌ସ ବେଳକୁ କୋହଲି (୮*)ଙ୍କ ସହ ବ୍ୟାଟିଂ କରୁଥିଲେ।

କୋହଲି ନର୍ଭସ: ବିରାଟ କୋହଲି (୯୭) ମାତ୍ର ଦ୍ୱିତୀୟ ଥର ପାଇଁ ନର୍ଭସ୍‌ ନବେର ଶିକାର ହୋଇଛନ୍ତି। ୫ ବର୍ଷ ତଳେ ୨୦୧୩ ଡିସେମ୍ବରରେ ଜୋହାନେସ୍‌ବର୍ଗରେ କୋହଲି ୯୬ ରନରେ ଆଉଟ୍‌ ହୋଇଥିଲେ। ୨୦୦୪ ମସିିହା ପରେ ପ୍ରଥମ ଭ୍ରମଣକାରୀ ଅଧିନାୟକ ଭାବେ ଇଂଲଣ୍ଡରେ କୋହଲି ନର୍ଭସ୍‌ ନବେରେ ଆଉଟ୍‌ ହେଲେ। ୨୦୦୪ରେ ଏଜବାଷ୍ଟନ୍‌ରେ ବ୍ରାଏନ୍‌ ଲାରା ୯୫ ରନ୍‌ କରିଥିଲେ। ପୂର୍ବରୁ ଟ୍ରେଣ୍ଟ୍‌ ବ୍ରିଜ୍‌ରେ ସୌରଭ ଗାଙ୍ଗୁଲି (୨ ଥର) ଏବଂ ସଚିନ ତେନ୍ଦୁଲକର ମଧ୍ୟ ଶତକରୁ ବଞ୍ଚିତ ରହିଥିଲେ।

ସମ୍ବନ୍ଧିତ ଖବର