ପାଣ୍ଡ୍ୟା-ରାହୁଲଙ୍କୁ ୪୦ ଲକ୍ଷ ଜରିମାନା

ମୁମ୍ବାଇ : ଏକ ଟେଲିଭିଜନ୍ ଟକ୍ ଶୋ’ରେ ମହିଳାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ପ୍ରଦାନ କରିବା ଭାରତୀୟ କ୍ରିକେଟର ହାର୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବିସିସିଆଇ ଲୋକପାଳ ଜଷ୍ଟିସ୍ ଡିକେ ଜୈନ ଉଭୟ ଯୁବ କ୍ରିକେଟ୍ ତାରକାଙ୍କୁ ଶନିବାର ୨୦ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ପାଣ୍ଡ୍ୟା ଓ ରାହୁଲଙ୍କ ବିରୋଧରେ ଆଗକୁ ଆଉ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ବିସିସିଆଇ ୱେବ୍‌ସାଇଟରେ ଶନିବାର ପ୍ରକାଶିତ ରାୟରେ ଶ୍ରୀ ଜୈନ ସ୍ପଷ୍ଟ କରି ଦେଇଛନ୍ତି।

ଏହି ମାମଲାରେ ପୂର୍ବରୁ ପାଣ୍ଡ୍ୟା ଓ ରାହୁଲ ବିସିସିଆଇ ଦ୍ବାରା ଅସ୍ଥାୟୀ ଭାବେ ନିଲମ୍ବିତ ହେବା ସହ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରି ସାରିଛନ୍ତି। ଜଷ୍ଟିସ ଜୈନ ନିଜ ରାୟରେ ଦେଇଥିବା ଦୁଇଟି ନିଆରା ନିର୍ଦେଶ କିନ୍ତୁ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ୨୦ ଲକ୍ଷ ଜରିମାନା ମଧ୍ୟରୁ ଅର୍ଧସାମରିକ ବଳ ସହିଦଙ୍କ ୧୦ ଜଣ ବିଧବା ପତ୍ନୀଙ୍କୁ ପ୍ରତ୍ୟେକ ‘ଭାରତ କି ବୀର’ ଆପ୍ ଜରିଆରେ ୧ ଲକ୍ଷ ଟଙ୍କା ଲେଖାଏଁ ଦେବେ। ସେହିଭଳି ବଳକା ୧୦ ଲକ୍ଷ ଟଙ୍କାକୁ ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ସଂଘ ପାଣ୍ଠିକୁ ଦାନ କରିବେ। ଏହି ଅର୍ଥ ସେମାନଙ୍କୁ ରାୟ ପ୍ରକାଶ ପାଇବାର ୪ ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ପଡ଼ିବ। ଭାରତର ୧୫ ଜଣିଆ ବିଶ୍ବକପ୍ ଦଳରେ ସ୍ଥାନ ପାଇଥିବା ପାଣ୍ଡ୍ୟା ଓ ରାହୁଲ ଗତ ଜାନୁଆରି ପ୍ରଥମ ସପ୍ତାହରେ କରଣ ଜୋହରଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ‘କଫି ୱିଥ୍ କରଣ’ରେ ମହିଳାଙ୍କ ପ୍ରତି ଯୌନ ଉଦ୍ଦୀପକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ। ବିରୋଧ ବଢ଼ିବା ପରେ ବିସିସିଆଇ ପରିଚାଳନା ଦାୟିତ୍ବରେ ଥିବା ବିନୋଦ ରାୟଙ୍କ ନେତୃତ୍ବାଧୀନ ପ୍ରଶାସନିକ ସମିତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ରାହୁଲ ଓ ପାଣ୍ଡ୍ୟାଙ୍କୁ ଅଷ୍ଟ୍ରେଲିଆ ଗସ୍ତ ଅଧାରୁ ସ୍ବଦେଶ ଫେରାଇ ଆଣିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ କରିଥିଲା। ପରେ ଅବଶ୍ୟ ଏହାକୁ ଉଠାଇ ଦିଆଯାଇଥିଲା।

ଜଷ୍ଟିସ୍ ଜୈନ ବିସିସିଆଇର ପ୍ରଥମ ଲୋକପାଳ ଦାୟିତ୍ବ ଗ୍ରହଣ କରିବା ପରେ ଚଳିତ ମାସ ୯ ଓ ୧୦ ତାରିଖରେ ରାହୁଲ ଓ ପାଣ୍ଡ୍ୟା ତାଙ୍କ ନିକଟରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ। ବିସିସିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି ମଧ୍ୟ ହାଜର ହୋଇ ରାହୁଲ ଓ ପାଣ୍ଡ୍ୟା ଖେଳି ପାରି ନଥିବା ପାଞ୍ଚଟି ମ୍ୟାଚ୍‌ର ପାଉଣା ସେମାନଙ୍କୁ ମିଳିବ ନାହିଁ। ଏଣୁ ଆଉ ଅଧିକ ଆର୍ଥିକ ଦଣ୍ଡ ନ ଦେବାକୁ ଶ୍ରୀ ଜୈନଙ୍କୁ ଆହ୍ବାନ କରିଥିଲେ। ହେଲେ ‌ଜଷ୍ଟିସ୍ ଜୈନ ତାଙ୍କ ସହ ଏକମତ ହୋଇ ନଥିଲେ। ଖେଳାଳିମାନେ କ୍ଷମା ମାଗିନେଇଥିଲେ ମଧ୍ୟ ସମାଜର ବୃହତ୍ତର ସ୍ବାର୍ଥ ପାଇଁ ରାହୁଲ ଓ ପାଣ୍ଡ୍ୟାଙ୍କୁ ପୃଥକ୍‌ ଭାବେ ୨୦ ଲକ୍ଷ ଟଙ୍କା ଲେଖାଏଁ ଅଧିକ ଜରିମାନା ଦେବାକୁ ପଡ଼ିବ ବୋଲି ସେ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର