ପାଣ୍ଡ୍ୟା-ରାହୁଲଙ୍କ ବିରୋଧରେ ତଦନ୍ତ ଆରମ୍ଭ କଲା ବିସିସିଆଇ

ମୁମ୍ବାଇ: ଭାରତୀୟ ଯୁବ କ୍ରିକେଟର ହାର୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ ଟେଲିଭିଜନ କାର୍ଯ୍ୟକ୍ରମରେ ମହିଳାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେବା ମାମଲାରେ ମଙ୍ଗଳବାର ବିସିସିଆଇ ଆନୁଷ୍ଠାନିକ ଭାବେ ତଦନ୍ତ ଆରମ୍ଭ କରିଛି। ବିସିସିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରିଙ୍କ ସହ ‌ଟେଲିଫୋନରେ କଥା ହୋଇ ଉଭୟ ପାଣ୍ଡ୍ୟା ଓ ରାହୁଲ ଏହି ମାମଲାରେ ନିଜ ନିଜ ପକ୍ଷ ରଖିଛନ୍ତି। ପୂର୍ବରୁ ଦୁଇ ଜଣ ଯାକ ଏହି ମାମଲାରେ ନିଃସର୍ତ୍ତ କ୍ଷମା ମାଗି ସାରିଛନ୍ତି। ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି ଆଜି ସେମାନଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି। ବୁଧବାର ସେ ନିଜ ରିପୋର୍ଟ ପ୍ରଶାସନିକ ସମିତି (ସିଓଏ)କୁ ଦେବାର ଅଛି ବୋଲି ବିସିସିଆଇର ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ରାହୁଲ ଓ ପାଣ୍ଡ୍ୟାଙ୍କ ମତ ଜୋହରି ନେଇଥିଲେ ମଧ୍ୟ ଉଚ୍ଚତମ ନ୍ୟାୟଳୟଙ୍କ ନିଯୁକ୍ତ ଆଇନ ବିଶେଷଜ୍ଞ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ବିସିସିଆଇର ପରିଚାଳନା ଲାଗି ଉଚ୍ଚତମ ନ୍ୟାୟାଳୟ ଗଠନ କରିଥିବା ପ୍ରଶାସନିକ ସମିତି ଏହି ମାମଲାରେ ଦୁଇ ଫଳ ହୋଇଛି। ଜୋହରିଙ୍କ ଦ୍ବାରା ତଦନ୍ତ କରିବାକୁ ସମିତିର ମୁଖ୍ୟ ବିନୋଦ ରାଏ ଚାହୁଁଥିଲା ବେଳେ ଅନ୍ୟତମ ସଦସ୍ୟ ତଥା ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟିକା ଡାଏନ ଇଦୁଲଜୀ ସମିତି ଏବଂ ବିସିସିଆଇ କର୍ମକର୍ତା ମିଳିତ ଭାବେ ମାମଲାର ତଦନ୍ତ କରିବା ସପକ୍ଷରେ ରହିଛନ୍ତି। ସେପଟେ ବିସିସିଆଇର ୧୦ ଅନୁବନ୍ଧିତ ସଂଘ ଏଥିନେଇ ସ୍ବତନ୍ତ୍ର ସାଧାରଣ ବୈଠକ ଡାକିବାକୁ ଦାବି କରିଛନ୍ତି। ଏସବୁ ଗୋଳମାଳ ଭିତରେ ପାଣ୍ଡ୍ୟା ଓ ରାହୁଲଙ୍କ ସମସ୍ୟା ଆଗାମୀ ଦିନରେ ଆହୁରି ବଢ଼ିବାର ଯଥେଷ୍ଟ ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର