କାର୍ତିକ ଓ ଶଙ୍କର ବାଦ୍: କେବଳ ଟେଷ୍ଟ୍ ଖେଳିବେ ବୁମ୍ରା
ମୁମ୍ବାଇ: ଆସନ୍ତା ମାସରୁ ଆରମ୍ଭ ହେଉଥିବା ୱେଷ୍ଟଇଣ୍ଡିଜ୍ ଗସ୍ତ ଲାଗି ରବିବାର ଭାରତର ସୀମିତ ଓଭର ଏବଂ ଟେଷ୍ଟ୍ ଦଳ ଘୋଷିତ ହୋଇଛି। ଉପଲବ୍ଧ ନ ହେବା ଲାଗି ପୂର୍ବରୁ ସ୍ପଷ୍ଟ କରି ସାରିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ସହିତ ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ଏହି ଗସ୍ତରେ ସମ୍ପୂର୍ଣ୍ଣ ଭାବେ ଖେଳିବେ ନାହିଁ। ସମସ୍ତ ୩ ଫର୍ମାଟ ଲାଗି ବିରାଟ କୋହଲିଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି। ଋଷବ ପନ୍ତ୍ଙ୍କୁ ମଧ୍ୟ ପ୍ରଥମ ପସନ୍ଦ ୱିକେଟ୍ ରକ୍ଷକ ଭାବେ ସବୁ ଦଳରେ ନିଆଯାଇଛି। ବେଙ୍ଗଲ ୱିକେଟରକ୍ଷକ ଋଦ୍ଧିମାନ ସାହାଙ୍କୁ କେବଳ ଟେଷ୍ଟ୍ ଦଳରେ ଦ୍ବିତୀୟ ୱିକେଟରକ୍ଷକ ରଖାଯାଇଛି। ଆହତ ସମସ୍ୟା ପାଇଁ ସାହା ଲମ୍ବା ସମୟ ଧରି ଦଳଠାରୁ ଦୂରେଇ ରହିଥିଲେ। ଯଶପ୍ରୀତ୍ ବୁମରାଙ୍କୁ ସୀମିତ ଓଭରରୁ ବିଶ୍ରାମ ଦିଆଯାଇଥିଲେ ମଧ୍ୟ ସେ କେବଳ ଟେଷ୍ଟ୍ ଶୃଙ୍ଖଳା ଖେଳିବେ। ହାର୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯିବା ସମ୍ପର୍କରେ ମୁଖ୍ୟ ଚୟନକର୍ତା ଏମଏସ୍କେ ପ୍ରସାଦ କହିଛନ୍ତି, ‘ଏହା କାର୍ଯ୍ୟଭାର ପରିଚାଳନାର ଅଂଶବିଶେଷ। ବିଶ୍ବକପ୍ ପର୍ଯ୍ୟନ୍ତ ଆମେ ଏକ ଖସଡ଼ା ପ୍ରସ୍ତୁତ କରିଥିଲୁ, ଏହା ପରବର୍ତୀ ଯୋଜନା ମଧ୍ୟ କରିଛୁ। ଭବିଷ୍ୟତକୁ ନଜରରେ ରଖି ଯୁବ ୱିକେଟରକ୍ଷକ ଋଷବ ପନ୍ତ୍ଙ୍କୁ ଅଧିକରୁ ଅଧିକ ସୁଯୋଗ ଦିଆଯାଉଛି’। ମହେନ୍ଦ୍ର ସିଂହ ଧୋନିଙ୍କ ସମ୍ପର୍କରେ ପ୍ରଶ୍ନ ହେବାରୁ ପ୍ରସାଦ କହିଥିଲେ, ‘ଅବସର ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ ବ୍ୟାପାର, ମହେନ୍ଦ୍ର ସିଂହ ଧୋନିଙ୍କ ଭଳି କିମ୍ବଦନ୍ତୀ କ୍ରିକେଟର୍ ଭଲଭାବେ ଜାଣିଛନ୍ତି କେତେବେଳେ ଅବସର ନିଆଯିବ। ଏ ସମ୍ପର୍କରେ ଆମେ ଅଧିକ କିଛି ଆଲୋଚନା ନ କରିବା ଭଲ। କାରଣ ପ୍ରଥମତଃ ସେ ଏବେ ୨ ମାସ ପାଇଁ ଉପଲବ୍ଧ ନଥିବା ଜଣାଇ ସାରିଛନ୍ତି। ଦ୍ବିତୀୟରେ ଆମେ ଆଉ ଜଣଙ୍କୁ ଗଢ଼ିବାରେ ଲାଗି ପଡ଼ିଛୁ’ ବୋଲି ଭାରତୀୟ ଦଳର ପୂର୍ବତନ ୱିକେଟରକ୍ଷକ ପ୍ରସାଦ ପ୍ରକାଶ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବିଶ୍ବକପ୍ ଅଧାରେ ଆଘାତପ୍ରାପ୍ତ ହୋଇ ଫେରିଥିବା ଶିଖର ଧାୱନ କେବଳ ସୀମିତ ଓଭର ଦଳକୁ ଫେରିଛନ୍ତି। ଉଭୟ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ସେ ଖେଳିବେ। ସୀମିତ ଓଭର ଦଳକୁ ମଧ୍ୟ ଶ୍ରେୟସ ଆୟର ଏବଂ ମନୀଷ ପାଣ୍ଡେଙ୍କ ପ୍ରତ୍ୟାବର୍ତନ ହୋଇଛି। ତେବେ ପଞ୍ଜାବ ଯୁବ ବ୍ୟାଟସମ୍ୟାନ୍ ଶୁଭମନ ଗିଲ୍ ଦଳକୁ ଆସିବାରେ ସକ୍ଷମ ହୋଇନାହାନ୍ତି। ବିଶ୍ବକପ୍ ଖେଳିଥିବା ଦୀନେଶ କାର୍ତିକ ଏବଂ ବିଜୟ ଶଙ୍କର ତାଙ୍କ ସ୍ଥାନ ସୁରକ୍ଷିତ ରଖିପାରି ନାହାନ୍ତି। ୩୪ ବର୍ଷୀୟ କେଦାର ଯାଦବ କିନ୍ତୁ ସୀମିତ ଓଭର ଦଳରେ ନିଜକୁ ସୁରକ୍ଷିତ ରଖିପାରିଛନ୍ତି। ଚୂଡ଼ାନ୍ତ ଦଳରେ ସ୍ଥାନ ନ ପାଇବାରେ କେଦାର କିଛି ଭୁଲ କରିନାହାନ୍ତି, ସଂରକ୍ଷିତଙ୍କୁ ପ୍ରସ୍ତୁତ ରଖିବା ଲାଗି ତାଙ୍କୁ ସୁଯୋଗ ଦିଆଯାଇଛି ବୋଲି ମୁଖ୍ୟ ଚୟନକର୍ତା କହିଛନ୍ତି। ବିଜୟ ଶଙ୍କର ଆହତ ହୋଇ ବିଶ୍ବକପ୍ରୁ ଫେରିବା ପରେ ଇଂଲଣ୍ଡ ଡକରା ପାଇଥିବା ମୟଙ୍କ ଅଗ୍ରୱାଲ୍ ସୀମିତ ଓଭର ଦଳରେ ନ ଥିଲେ ମଧ୍ୟ ଟେଷ୍ଟ୍ ଦଳରେ ରହିଛନ୍ତି। ଦ୍ରୁତ ବୋଲରଙ୍କ ମଧ୍ୟରେ ନଭଦୀପ ସଇନି ଏବଂ ଲେଗ୍ ସ୍ପିନର୍ ରାହୁଲ ଚହର ଉଭୟ ସୀମିତ ଓଭର ଫର୍ମାଟରେ ସ୍ଥାନ ପାଇଥିବା ନୂଆ ମୁହଁ ଖେଳାଳି। ଆଇପିଏଲ୍ ଏବଂ ଚଳିତ ଭାରତ ‘ଏ’ର ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭଲ କରୁଥିବା ବାମହାତୀ ଦ୍ରୁତ ବୋଲର ଖଲିଲ୍ ଅହମ୍ମଦ ମଧ୍ୟ ଉଭୟ ସୀମିତ ଓଭର ଦଳରେ ସ୍ଥାନ ପାଇଛନ୍ତି। ଅଫସ୍ପିନର୍ ୱାସିଂଟନ୍ ସୁନ୍ଦରଙ୍କୁ କେବଳ ଟ୍ବେଣ୍ଟି-୨୦ ଦଳରେ ନିଆଯାଇଛି। ଅଗଷ୍ଟ ୩ ରୁ ସେପ୍ଟେମ୍ବର ୩ ମଧ୍ୟରେ ଏହି ୩ ଫର୍ମାଟ ଶୃଙ୍ଖଳା ଖେଳାଯିବ।