ଲୋକପାଳଙ୍କୁ ଭେଟିଲେ ପାଣ୍ଡ୍ୟା ଓ ରାହୁଲ

ମୁମ୍ବାଇ: ଏକ ଟିଭି‌ ସୋ’ ବିବାଦରେ ଫସିଥିବା ଦୁଇ ଭାରତୀୟ କ୍ରିକେଟର୍ ହାର୍ଦିକ ପାଣ୍ଡ୍ୟା ଏବଂ ଲୋକେଶ ରାହୁଲ ବିସିସିଆଇର ନବ ନିଯୁକ୍ତ ଲୋକପାଳ ଡିକେ ଜୈନଙ୍କୁ ଭେଟି ନିଜ ପକ୍ଷ ରଖିଛନ୍ତି। ବିବାଦୀୟ ମନ୍ତବ୍ୟ ପ୍ରଦାନ କରିଥିବାରୁ ପାଣ୍ଡ୍ୟାଙ୍କୁ ମଙ୍ଗଳବାର ଏବଂ ରାହୁଲଙ୍କୁ ବୁଧବାର ହାଜର ହେବାକୁ ନୋଟିସ୍ ପଠାଯାଇଥିଲା। ‘ଉଭୟ ପାଣ୍ଡ୍ୟା ଓ ରାହୁଲ ମୋତେ ସାକ୍ଷାତ କରିଛନ୍ତି ଏବଂ ନିଜ ପକ୍ଷ ରଖିଛନ୍ତି। ଠିକଣା ସମୟରେ ମୁଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି’ ବୋଲି ଅବସରପ୍ରାପ୍ତ ବିଚାରପତି ଶ୍ରୀ ଜୈନ ପ୍ରକାଶ କରିଛନ୍ତି। ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ବାରା ଲୋକପାଳ ତଥା ନୈତିକ ଅଧିକାରୀ ଭାବେ ନିଯୁକ୍ତ ହେବା ପରେ ବିଚାରପତି ଜୈନଙ୍କ ଏହା ପ୍ରଥମ ପ୍ରସଙ୍ଗ ଥିଲା। ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି‌ ନେବାକୁ ମୋ ପାଇଁ କୌଣସି ଶେଷ ତାରିଖ ଧାର୍ଯ୍ୟ କରାଯାଇ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। କିନ୍ତୁ ମେ’ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇସିସି ବିଶ୍ବକପ୍‌ ଲାଗି ଭାରତୀୟ ଦଳ ଏପ୍ରିଲ୍ ୧୫ ତାରିଖରେ ଘୋଷିତ ହେବାକୁ ଥିବାରୁ ଏହି ପ୍ରସଙ୍ଗ ଚୟନକର୍ତାଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଜାନୁଆରିରେ ‘କଫି ୱିଥ୍ କରଣ’ ଟିଭି କାର୍ଯ୍ୟକ୍ରମରେ ଏହି ଦୁଇ ଖେଳାଳି ଅରୁଚିକର ମନ୍ତବ୍ୟ ଦେଇଥିବାରୁ ଉଭୟଙ୍କୁ ବିସିସିଆଇ ନିଲମ୍ବିତ କରିଥିଲା। ଏଥି ପାଇଁ ପାଣ୍ଡ୍ୟାଙ୍କୁ ତୁରନ୍ତ ଅଷ୍ଟ୍ରେଲିଆ ଗସ୍ତରୁ ‌ସ୍ବଦେଶ ଫେରି ଆସିବାକୁ ପଡ଼ିଥିଲା। ଜାନୁଆରି ୨୪ ତାରିଖରେ କିନ୍ତୁ ଉଭୟଙ୍କ ଉପରୁ ବିସିସିଆଇ ଅସ୍ଥାୟୀ ଭାବେ ନିଲମ୍ବନ ଉଠାଇଥିଲା। ସମ୍ପ୍ରତି ପାଣ୍ଡ୍ୟା ଏବଂ ରାହୁଲ ଆଇପିଏଲ୍‌ରେ ଯଥାକ୍ରମେ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ପକ୍ଷରୁ ଖେଳୁଛନ୍ତି।

ସମ୍ବନ୍ଧିତ ଖବର