ଆଇପିଏଲ୍‌ ୧୧: ପଞ୍ଜାବ ପୁଣି ପ୍ରଥମ

ଦିଲ୍ଲୀ: ଚଳିତ ଆଇପିଏଲ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବର ବିଜୟ ଧାରା ଜାରି ରହିଛି। ସୋମବାର ୧୪୪ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟ ଦେଇଥିଲେ ମଧ୍ୟ ଦିଲ୍ଲୀ ଡେୟାର ଡେଭିଲ୍ସକୁ ୧୩୯/୮ରେ ଅଟକାଇ ଏହି ଦଳ ଆଉ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ସେପଟେ ଦିଲ୍ଲୀ ବୋଲରଙ୍କ ପ୍ରୟାସର ସମ୍ମାନ ଏହି ଦଳର ବ୍ୟାଟ୍ସମ୍ୟାନ୍‌ ରଖି ପାରି ନାହାନ୍ତି। ଶ୍ରେୟସ୍‌ ଆୟର (୫୭ ରନ୍‌, ୪୫ ବଲ୍‌, ୫ ଚୌକା, ୧ ଛକା)ଙ୍କ ଦାୟିତ୍ୱବାନ ଅର୍ଧଶତକ ସତ୍ତ୍ୱେ ଦିଲ୍ଲୀ ଶେଷରେ ଦୟନୀୟ ବ୍ୟାଟିଂ କରି ବିଜୟର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଛି। ଗେଲଙ୍କ ବିନା ପଞ୍ଜାବ ସୋମବାର ମୁକାବିଲାକୁ ୪ ରନ୍‌ରେ ଜିତି ଷଷ୍ଠ ମ୍ୟାଚ୍‌ରୁ ପଞ୍ଚମ ବିଜୟ ସହ ପୁଣି ଥରେ ଶୀର୍ଷକୁ ଫେରିଛି। ଅନ୍ୟ ପକ୍ଷରେ ଦିଲ୍ଲୀ ସେହି ୬ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ପାଇ ସବା ଶେଷ ସ୍ଥାନରେ ଅପରିବର୍ତିତ ରହିଛି। ୧୪୪ ରନ୍‌ର ବିଜୟ ଲକ୍ଷ୍ୟକୁ ଦିଲ୍ଲୀ ସହଜରେ ହାସଲ କରିନେବ ବୋଲି ଆଶା କରାଯାଉଥିଲା। ହେଲେ ଏକାଧିକ ପରିବର୍ତନ ସହ ପଡ଼ିଆକୁ ଓହ୍ଲାଇଥିବା ଏହି ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ଅଧିନାୟକ ଗୌତମ ଗମ୍ଭୀର (୪) ଙ୍କ ସହ ଋଷବ ପନ୍ତ (୪), ଡାନ କ୍ରିଷ୍ଟିଆନ୍‌ (୬), ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ (୧୨)ଙ୍କ ଭଳି ଖେଳାଳି ବିଶେଷ କିଛି କରି ପାରି ନଥିଲେ। କହିବାକୁ ଗଲେ ମଧ୍ୟକ୍ରମ ଖେଳାଳି ଆୟର ଏକାକି ଲଢ଼ିଥିଲେ। ଲଢ଼ୁଆ ବ୍ୟାଟିଂ କରି ଦିଲ୍ଲୀକୁ ସେ ଶେଷ ପର୍ଯ୍ୟନ୍ତ ହିଁ ଆଶା ଦେଇଥିଲେ। ଶେଷ ବଲ୍‌ରୁ ବିଜୟ ପାଇଁ ୫ ରନ୍‌ ଦରକାର ଥିଲା ବେଳେ ଛକା ମାରିବା ପ୍ରୟାସରେ ସେ ନିଜ ଓ୍ଵିକେଟ୍‌ ହରାଇଥିଲେ। ପ୍ରଥମ ମ୍ୟାଚ୍‌ ଖେଳୁଥିବା ପୃଥ୍ଵୀ ସ’ (୨୨ ବଲ୍‌, ୧୦ବଲ୍‌,୪ ଚୌକା) ଚାରିଟି ଭଲ ସଟ୍‌ ଖେଳିଥିଲେ ମଧ୍ୟ ବେପରୁଆ ଖେଳି ପଦାର୍ପଣକୁ ସ୍ମରଣୀୟ କରି ପାରି ନଥିଲେ। ଆଇପିଏଲ୍‌ରେ ସର୍ବକନିଷ୍ଠ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଭାବେ ୧୮ ବର୍ଷୀୟ ପୃଥ୍ଵୀ ପାଳି ଆରମ୍ଭ କରିଥିଲେ।

ଗତ ତିନିଟି ମ୍ୟାଚ୍‌ରେ ଜବରଦସ୍ତ ବ୍ୟାଟିଂ କରିଥିବା କ୍ରିସ୍‌ ଗେଲ୍‌ଙ୍କୁ ବିଶ୍ରାମ ଦେବା ପଞ୍ଜାବ ପାଇଁ ବ୍ୟାଟିଂରେ ଫରକ ପକାଇଥିଲା। ଶୃଙ୍ଖଳିତ ବୋଲିଂ କରି ଦିଲ୍ଲୀ ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ପଞ୍ଜାବକୁ ମାତ୍ର ୧୪୩/୮ରେ ଅଟକାଇ ଦେଇଥିଲା। ଗେଲ୍‌ଙ୍କ ସ୍ଥାନ ନେଇଥିବା ଆରୋନ୍‌ ଫିଞ୍ଚ ମାତ୍ର ୨ ରନ୍‌ କରିଥିଲେ। ଲୋକେଶ ରାହୁଲ (୨୩ ରନ୍‌, ୧୫ ବଲ୍‌, ୩ ଚୌକା, ୧ ଛକା) ଭଲ ଆରମ୍ଭ କରିଥିଲେ। ହେଲେ ଏହାକୁ ବଡ଼ ସ୍କୋରରେ ରୂପାନ୍ତର କରି ପାରି ନଥିଲେ। ମୟଙ୍କ ଅଗ୍ରଓ୍ଵାଲ (୨୧), କରୁଣ ନାୟର (୩୪), ଯୁବରାଜ ସିଂହ (୧୪) ଓ ଡେଭିଡ୍‌ ମିଲର (୨୬) ବି ବିଶେଷ କିଛି କରି ପାରି ନଥିଲେ। ପ୍ରଥମ ମ୍ୟାଚ୍‌ ଖେଳୁଥିବା ଲିୟମ ପ୍ଲଙ୍କେଟ (୪-୦-୧୭-୩) ହିଁ ପଞ୍ଜାବ ବିପର୍ଯ୍ୟୟର ପ୍ରମୁଖ କାରଣ ଥିଲେ। ଟ୍ରେଣ୍ଟ ବୋଲ୍ଟ (୩-୦-୨୧-୨) ଓ ଅଭେସ ଖାନ୍‌ (୪-୦-୩୬-୨)ଙ୍କୁ ଖେଳିବାରେ ମଧ୍ୟ ପଞ୍ଜାବ ବ୍ୟାଟ୍ସମ୍ୟାନ୍‌ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଫଳରେ ଯେତିକି ରନ୍‌ କରିବାର ଲକ୍ଷ୍ୟରେ ଥିଲେ ସେତିକି କରି ପାରି ନଥିଲେ। ହେଲେ ଶେଷରେ ସେହି ୧୪୩ ରନ୍‌ କରିବା ବି ଦିଲ୍ଲୀ ପାଇଁ କାଠିକର ପାଠ ହୋଇଥିଲା। ପଞ୍ଜାବ ବୋଲର ଅଙ୍କିତ ରାଜପୁତ (୪-୦-୨୩-୨) ଶାଣିତ ବୋଲିଂ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସଂକ୍ଷିପ୍ତ ସ୍କୋର
କିଙ୍ଗ୍ସ ଏକାଦଶ ପଞ୍ଜାବ ୨୦ ଓଭରରେ ୧୪୩/୮ (କରୁଣ ନାୟର ୩୪, ଡେଭିଡ୍‌ ମିଲର ୨୬, ଲୋକେଶ ରାହୁଲ ୨୩, ଲିୟମ ପ୍ଲଙ୍କେଟ ୩/୧୭, ଟ୍ରେଣ୍ଟ ବୋଲ୍ଟ ୨/୨୧, ଅଭେସ ଖାନ୍‌ ୨/୩୬)। ଦିଲ୍ଲୀ ଡେୟାର ଡେଭିଲ୍ସ ୨୦ ଓଭରରେ ୧୩୯/୮ (ଶ୍ରେୟସ୍‌ ଆୟର ୫୭, ରାହୁଲ ତିଓ୍ଵାତିଆ ୨୪, ପୃଥ୍ଵୀ ସ’ ୨୨, ଅଙ୍କିତ ରାଜପୁତ ୨/୨୩ ମୁଜିବୁର ରେହମାନ ୨/୨୫, ଆଣ୍ଡ୍ର୍ୟୁ ଟାଏ ୨/୨୫)।

ସମ୍ବନ୍ଧିତ ଖବର