ପଞ୍ଜାବ ଏବେ ଅନ୍ୟଦଳ ପାଇଁ ପ୍ରେରଣା

-ହର୍ଷ ଭୋଗଲେ-
କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଏବେ ଏମିତି ସ୍ଥିତିରେ ଅଛି, ଯେଉଁଠାରୁ ପ୍ଲେ ଅଫ୍ ଆଉ ବେଶି ଦୂର ନୁହେଁ। ସେମାନଙ୍କ ପାଖରେ ଏବେ ଗତବର୍ଷର ବିଫଳତାକୁ ଅଳିଆ ଗଦାକୁ ଫିଙ୍ଗି ଦେବାର ସୁଯୋଗ ରହିଛି। ସିଏସ୍‌କେ ବିପକ୍ଷ ଫିକା ପଶ୍ଚାତଧାବନ ପରେ ସନ୍‌ରାଇଜର୍ସ ବିପକ୍ଷରେ ସେମାନେ କଷ୍ଟେମଷ୍ଟେ ବିଜୟ ସୀମା ପାର କରି ପାରିଛନ୍ତି। ମହତ୍ବପୂର୍ଣ୍ଣ କଥା ହେଲା, ସେମାନେ ଭଲ ବୋଲିଂ କରୁଛନ୍ତି। ମୁଁ କହିପାରେ ଯେ ପଞ୍ଜାବ କାଗଜ କଲମରେ ଚଳିତ ଆଇପିଏଲ୍‌ର ସବୁଠାରୁ ଶକ୍ତିଶାଳୀ ଦଳ ନୁହେଁ। ଏଣୁ ଏହି ଅପ୍ରତ୍ୟାଶିତ ସଫଳତାର ଶ୍ରେୟ ଅଧିନାୟକ ଅଶ୍ବିନଙ୍କୁ ଯାଏ। ଅଶ୍ବିନ ସତରେ ବହୁତ ଭଲ ବୋଲିଂ କରୁଛନ୍ତି। ତାଙ୍କ ପଛରେ ଅଧିନାୟକ ଭାବେ ଗୋଟିଏ ବର୍ଷର ଅଭିଜ୍ଞତା ବି ଅଛି। ଏଣୁ କେଉଁଟା ଠିକ୍, କେଉଁଟା ଭୁଲ, ସେ ତା’ର ସଠିକ୍ ଆକଳନ କରି ପାରୁଛନ୍ତି। ଦଳର ସଂଘର୍ଷପୂର୍ଣ୍ଣ ଅଧ୍ୟାୟ ଏବେ ଅତୀତ। ସଂପ୍ରତି ଅନ୍ୟମାନେ ସେମାନଙ୍କ ପ୍ରଦର୍ଶନରୁ ପ୍ରେରଣା ନେଉଛନ୍ତି। ସେମାନଙ୍କ ବୁଧବାର ପ୍ରତିଦ୍ବନ୍ଦ୍ବୀ ମୁମ୍ବାଇ ଉପରେ ସବୁବେଳେ ସମସ୍ତଙ୍କର ତୀକ୍ଷ୍ଣ ନଜର ରହିଥାଏ। କାରଣ ମୁମ୍ବାଇ ପାରମ୍ପରିକ ଭାବେ ଭଲ କରି ଆସୁଛି। ମୁମ୍ବାଇ ଇଣ୍ଡିଆନ୍ସ ସେମାନଙ୍କ ବ୍ୟାଟିଂକ୍ରମରେ କିଛିଟା ଅଦଳ ବଦଳ କରିବାକୁ ଚିନ୍ତା କରୁଥିବ ବୋଲି ମୋର ବିଶ୍ବାସ। କିରଣ ପୋଲାର୍ଡ ଏବେ ନିଜ ଅସଲ ରୂପ ଦେଖାଇବା ଆରମ୍ଭ କଲେଣି। ତାଙ୍କୁ ଯଦି ଅଧିକ ସମୟ ମିଳେ, ସେ ନିଶ୍ଚିତ ଭାବେ ମୁମ୍ବାଇକୁ କିଛି ମ୍ୟାଚ୍ ଜିତାଇ ପାରିବେ। ମୁଁ ଭାବୁଛି ‘ଫିନିସର’ ଉପାଧୀ ତାଙ୍କ ସୁଯୋଗକୁ ସୀମିତ କରି ଦେଉଛି। ୱାଙ୍ଖଡେ ଭଳି ବ୍ୟାଟିଂ ଉପଯୋଗୀ ପିଚ୍‌ରେ ସେ ଚାରି ନମ୍ବରରେ ଖେଳିଲେ, ଆହୁରି ମୂଲ୍ୟବାନ ସାବ୍ୟସ୍ତ ହେବେ। ହାର୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ମୁଁ ଅଧିକ ବ୍ୟାଟିଂ କରୁଥିବାର ଦେଖିବାକୁ ଚାହେଁ। ତାଙ୍କ ଭଳି ଜଣେ ଖେଳାଳି ପାଳି ଶେଷ ଆଡ଼କୁ କିଛି ହାତଗଣତି ବଲ୍ ଖେଳିବାକୁ ପାଇବା ଠିକ୍ ନୁହେଁ। କେବେ କେବେ କୌଣସି ଖେଳାଳି ଯଦି ଏକ ନିର୍ଦିଷ୍ଟ ସ୍ଥାନରେ ଭଲ କରନ୍ତି, ତାଙ୍କୁ ସେହି ସ୍ଥାନରେ ହିଁ ବାନ୍ଧି ରଖି ଦିଆଯାଏ। ହାର୍ଦିକଙ୍କ କ୍ଷେତ୍ରରେ ଠିକ୍ ଏହିଭଳି ଘଟଣା ଘଟିଛି। ସେ ଜଣେ ବିଶେଷଜ୍ଞ ବ୍ୟା‌ଟ୍ସମ୍ୟାନର ଭୂମିକା ତୁଲାଇବାକୁ ପୂରା ସକ୍ଷମ ବୋଲି ମୁଁ ଜୋର ଦେଇ କହି ପାରିବି। ପାଣ୍ଡ୍ୟା ୫ ନମ୍ବରରେ ଖେଳନ୍ତୁ ବୋଲି ମୁଁ ଚାହେଁ। ବୁଧବାର କାକରର ପ୍ରଭାବ ‌ଅଧିକ ରହିବ ନାହିଁ ବୋଲି ମୁଁ ଆଶା କରୁଛି। ଏହା ବଲ୍‌-ବ୍ୟାଟ୍‌ର ସଂଘର୍ଷକୁ ପାଣିଚିଆ କରିଦିଏ। ସବୁ ପ୍ରାକ୍ ଯୋଜନା ମଧ୍ୟ ଅକାମି ହୋଇଯାଏ। ଯାହା କିଙ୍ଗ୍ସ ଇଲେ‌ଭେନ ବନାମ ସନ୍‌ରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍‌ରେ ଘଟିଥିଲା। ଆଇପିଏଲ୍ ଭଳି ପ୍ରତିଯୋଗିତା‌ରେ ପ୍ରତ୍ୟେକ ମ୍ୟାଚ୍‌ର ଫଳାଫଳ ଉପରେ ଅନେକ କିଛି ନିର୍ଭର କରିଥାଏ। ଯଦି କୌଣସି ବୈଜ୍ଞାନିକ କାକର ସମସ୍ୟାର ପ୍ରଭାବୀ ସମାଧାନ ବାହାର କରି ପାରନ୍ତି, ତାହାଲେ ତାଙ୍କ ମୂଲ୍ୟ ସମ୍ଭବତଃ ନିଜ ଆକଳନଠାରୁ ଢେର ଗୁଣ ବଢ଼ିଯିବ।

ସମ୍ବନ୍ଧିତ ଖବର