ପଞ୍ଜାବର ପଞ୍ଚମ ବିଜୟ

-ଏବି ଡି’ଭିଲିୟର୍ସ-:ଉତ୍ସବରେ ‌ସାମିଲ ହେ‌ବାକୁ ବାଟ ପାଉନୁ

ଚଣ୍ଡିଗଡ଼: ଚଳିତ ଆଇପିଏଲ୍‌ରେ ମଙ୍ଗଳବାର କିଙ୍ଗ୍ସ ଏକାଦଶ ପଞ୍ଜାବ ପୂର୍ବ ବିଜେତା ରାଜସ୍ଥାନ ରୟାଲ୍ସକୁ ୧୨ ରନ୍‌ରେ ହରାଇ ଦେଇଛି। ତା’ ସହ ନବମ ମ୍ୟାଚ୍‌ରୁ ପଞ୍ଚମ ବିଜୟ ପାଇ ପଏଣ୍ଟ ତାଲିକାର ପଞ୍ଚମରୁ ଚତୁର୍ଥକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ରାଜସ୍ଥାନ ଅଷ୍ଟମ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ବରଣ କରି ତଳ ଆଡ଼ୁ ଦ୍ବିତୀୟ ସ୍ଥାନରେ ଅଟକି ରହିଛି। ପଞ୍ଜାବ ଦେଇଥିବା ୧୮୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ନିର୍ଧାରିତ ୨୦ ଓଭରରେ ୭ ୱିକେଟ୍ ବିନିମୟରେ ୧୭୦ ରନ୍ କରି ପାରିଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରାହୁଲ ତ୍ରିପାଠୀଙ୍କ ଛଡ଼ା ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଅର୍ଧଶତକ ଅର୍ଜନ କରି ପାରି ନଥି‌ଲେ। ଅଧିନାୟକ ଅଜିଙ୍କ୍ୟ ରାହାଣେ (୨୬), ୱିକେଟ୍ ରକ୍ଷକ ସଞ୍ଜୁ ସାମସନ୍ (୨୭) ଓ ଇଂଲିସ୍ ତାରକା ଜୋସ୍ ବଟଲର (୨୩) ଭଲ ଆରମ୍ଭ କରିଥିଲେ। ହେଲେ ଏହାକୁ ବଡ଼ ସ୍କୋରରେ ରୂପାନ୍ତର କରି ପାରି ନଥିଲେ। ରନ୍ ହାର ବଢ଼ିବା ଚାପରେ ଆଷ୍ଟନ ଟର୍ନର (୦) ଓ ଜୋଫ୍ରା ଆର୍ଚର (୧) ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ସେଥିପାଇଁ ଟର୍ନରଙ୍କ ଆଇପିଏଲ୍ ପଦାର୍ପଣ ଫିକା ପଡ଼ି ଯାଇଥିଲା। ଶେଷ ଆଡ଼କୁ ଷ୍ଟୁଆର୍ଟ ବିନ୍ନି (୩୩* ରନ୍, ୧୧ ବଲ୍, ୨ ଚୌକା, ୩ ଛକା) ଧୂଆଁଧାର ବ୍ୟାଟିଂ କରିଥିଲେ। ହେଲେ ଅନ୍ୟପଟୁ ଆବଶ୍ୟକ ସମର୍ଥନ ପାଇ ନଥିଲେ। ତାଙ୍କ ସାହାସୀ ବ୍ୟାଟିଂ ମଧ୍ୟ ରାଜସ୍ଥାନ ପରାଜୟ ରୋକି ପାରି ନଥିଲା। ପଞ୍ଜାବ ପାଇଁ ଆଜି ନିଜ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଥିବା ୨୧ ବର୍ଷୀୟ ବାମହାତୀ ବୋଲର ଅର୍ଶଦୀପ ସିଂହ, ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଆର ଅଶ୍ବିନ ଏବଂ ମହମ୍ମଦ ସାମି ଦୁଇଟି ଲେଖାଏଁ ୱିକେଟ୍ ବାଣ୍ଟି ନେଇଥିଲେ।
ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବର ଦୁର୍ଦ୍ଧର୍ଷ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ (୩୦ ରନ୍, ୨୨ ବଲ୍, ୨ ଚୌକା, ୩ ଛକା)ଙ୍କୁ ରାଜସ୍ଥାନ ଷଷ୍ଠ ଓଭରରେ ପ୍ୟାଭିଲିୟନ ଫେରାଇ ଦେଇଥିଲା। ଜୋଫ୍ରା ଆର୍ଚର କୌଶଳ କରି ତାଙ୍କୁ ସଞ୍ଜୁ ସାମସନଙ୍କ ହାତରେ କ୍ୟାଚ୍ କରାଇ ନେଇଥିଲେ। ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ (୫୨ ରନ୍, ୪୭ ବଲ୍, ୩ ଚୌକା, ୨ ଛକା) ଅପେକ୍ଷାକୃତ ମନ୍ଥର ବ୍ୟାଟିଂ କରିଥିଲେ। ହେଲେ ୪୫ ବଲ୍‌ରୁ ଆଉ ଏକ ଅର୍ଧଶତକ ଅର୍ଜନ କରି ଭାରତୀୟ ବିଶ୍ବକପ୍ ଟିକେଟ୍ ହାସଲକୁ ସାର୍ଥକ କରିଥିଲେ। ଏହା ପରେ ଡେଭିଡ୍ ମିଲର (୪୦ ରନ୍, ୨୭ ବଲ୍, ୨ ଚୌକା, ୨ ଛକା), ମୟଙ୍କ ଅଗ୍ରୱାଲ (୨୬ ରନ୍, ୧୨ ବଲ୍, ୧ ଚୌକା, ୨ ଛକା) ଓ ଆର ଅଶ୍ବିନ (୧୭* ରନ୍, ୪ ବଲ୍, ୧ ଚୌକା, ୨ ଛକା) ଦ୍ରୁତ ବ୍ୟାଟିଂ କରି ପଞ୍ଜାବ ପାଳିକୁ ୧୮୨/୬ରେ ପହଞ୍ଚାଇ ଦେଇଥିଲେ। ରାହୁଲ ଓ ମିଲର ମାତ୍ରାଧିକ ବିପଜ୍ଜନକ ହେବା ପୂର୍ବରୁ ରାଜସ୍ଥାନ ବୋଲର କିନ୍ତୁ ଉଭୟଙ୍କ ପାଳିରେ ପୂର୍ଣ୍ଣଛେଦ ଟାଣି ଦେଇଥିଲେ। ପଞ୍ଜାବ ମଧ୍ୟ ସେଥିପାଇଁ ୨୦୦ ଛୁଇଁ ପାରି ନଥିଲା। ମିଲର ବ୍ୟକ୍ତିଗତ ଭାବେ ୩୨ ରନ୍‌ରେ ଥିଲା ବେଳେ କ୍ଲିନ୍ ବୋଲ୍ଡ ହୋଇଥିଲେ। ହେଲେ ଜୋଫ୍ରା ଆର୍ଚରଙ୍କ ଏହି ବଲ୍ ନୋ’ ଥିବାରୁ ବର୍ତି ଯାଇଥିଲେ। ୮ ରନ୍ ପରେ ଅବଶ୍ୟ ମିଲର ଧବଲ କୁଲକର୍ଣ୍ଣିଙ୍କ ଶିକାର ହୋଇ ଯାଇଥିଲେ। ପଞ୍ଜାବ ପାଳିର ଶେଷ ଦୁଇ ବଲ୍‌ରେ ଅଶ୍ବିନ ଦୁଇଟି ଦର୍ଶନୀୟ ଛକା ମାରିଥିଲେ। ଫଳରେ ସ୍କୋର ୧୮୦ ଟପି ଯାଇଥିଲା।
ସଂକ୍ଷିପ୍ତ ସ୍କୋର: କିଙ୍ଗ୍ସ ଏକାଦଶ ପଞ୍ଜାବ ୨୦ ଓଭରରେ ୧୮୨/୬ (ଲୋକେଶ ରାହୁଲ ୫୨, ଡେଭିଡ୍ ମିଲର ୪୦, କ୍ରିସ୍ ଗେଲ୍ ୩୦, ମୟଙ୍କ ଅଗ୍ରୱାଲ ୨୬, ଜୋଫ୍ରା ଆର୍ଚର ୩/୧୫, ଧୱଲ କୁଲକର୍ଣ୍ଣି ୧/୩୭, ଈଶ୍ ସୋଢ଼ି ୧/୪୧)। ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୭୦/୭ (ରାହୁଲ ତ୍ରିପାଠୀ ୫୦, ଷ୍ଟୁଆର୍ଟ ବିନ୍ନି ୩୩*, ସଞ୍ଜୁ ସାମସନ ୨୭, ଅଜିଙ୍କ୍ୟ ରାହାଣେ ୨୬, ରବିଚନ୍ଦ୍ରନ୍‌ ଅଶ୍ବିନ ୨/୨୪, ଅର୍ଶଦୀପ ସିଂହ ୨/୪୩, ମହମ୍ମଦ ସାମି ୨/୪୬)।

ସମ୍ବନ୍ଧିତ ଖବର