ପଙ୍କଜଙ୍କୁ ବିଂଶତମ ବିଶ୍ବ ମୁକୁଟ

ୟାଙ୍ଗୁନ୍‌: ଭାରତୀୟ ବିଲିୟାର୍ଡ୍ସ ତାରକା ପଙ୍କଜ ଆଡ଼ଭାନୀ ନିଜ ନାମରେ ବିଂଶତମ ବିଶ୍ବ ମୁକୁଟ କରିଛନ୍ତି। ‌୩୩ ବର୍ଷୀୟ ଏହି ବେଙ୍ଗାଲୁରୁ ଯୁବକ ଗୁରୁବାର ଏଠାରେ ଆୟୋଜିତ ବିଶ୍ବ ଚାମ୍ପିଅନ୍‌ସିପ୍‌ ଫାଇନା‌ଲ୍‌ରେ ‌ମିଆଁମାରର ମାୟ ଇଥୱେ ଓଓଙ୍କୁ ହରାଇ ୨୦ ଥର ପାଇଁ ଟ୍ରଫି ଜିତିବାର ସଫଳତା ପାଇଥିଲେ। ଏହ ମଧ୍ୟ ତାଙ୍କର ଆଇବିଏସ୍‌ଏଫ୍‌ ବିଲିୟାଡ୍ସ ୧୫୦-ଅପ୍‌ ଫର୍ମାଟ୍‌‌ରେ ଲଗାତାର ତୃତୀୟ ମୁକୁଟ। ଓଓଙ୍କ ବିପକ୍ଷରେ ପଙ୍କଜ ଦୁଇଟି ସେଟ୍‌ ହାରିଥିଲା ବେଳେ ୬ ସେଟ୍‌ ଜିତି ଟ୍ରଫି କରାୟତ କରିଥିଲେ। ସେ ୧୫୦ (୧୦୮)-୨୧, ୦-୧୫୧ (୧୪୭), ୧୫୧(୯୧, ୫୪)-୦, ୪-୧୫୧ (୧୦୩), ୧୫୧ (୧୪୧)-୧୧, ୧୫୦ (୧୨୯)-୮୧ (୭୭), ୧୫୧ (୧୪୫)-୧୦୯ (୫୨, ୫୭), ୧୫୧ (୧୫୧)-୦ରେ ଓଓଙ୍କୁ ମାତ୍ ଦେଇଥିଲେ। ପୂର୍ବରୁ ଖେଳାଯାଇଥିବା ସେମିଫାଇନାଲ୍‌ରେ ପଙ୍କଜ ୫-୦ରେ ଡେଭିଡ୍‌ କଜିଆର୍‌ଙ୍କୁ ହରାଇ ଫାଇନାଲ୍‌ରେ ପହଞ୍ଚିଥିଲେ। ଏହା ମୋ ପାଇଁ ସ୍ବତନ୍ତ୍ର, ଏହା ସମ୍ପୂର୍ଣ୍ଣ ୨୦ ଏବଂ ମୁଁ ଏତିକି ନୁହେଁ ଆହୁରି ଜିତିବା ଲାଗି ଭୋକିଲା ରହିଛି। ଆଗକୁ ‌ମୋ ଖେଳକୁ ଆହୁରି ଶାଣିତ କରି ଅଧିକରୁ ଅଧିକ ବିଜୟ ପାଇବାକୁ ଚେଷ୍ଟା କରିବି ବୋଲି ଏହି ବିଜେତା କହିଥିଲେ।

ସମ୍ବନ୍ଧିତ ଖବର