ପନ୍ତ ପରାକ୍ରମରେ ମୁମ୍ବାଇ ମଳିନ

ମୁମ୍ବାଇ: ଦ୍ବାଦଶ ଆଇପିଏଲର ଦ୍ବିତୀୟ ଦିନରେ ଏକ ବଡ଼ ବିପର୍ଯ୍ୟୟ ‌ଦେଖିବାକୁ ମିଳିଛି। ତାରକା ଖଚିତ ତଥା ତିନି ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୩୭ ରନ୍‌ରେ ପରାସ୍ତ କରି ଆତ୍ମବିଶ୍ବାସର ସହ ତା’ର ଅଭିଯାନ ଆରମ୍ଭ କରିଛି। ଦିଲ୍ଲୀର ଏହି ସ୍ମରଣୀୟ ବିଜୟରେ ଯୁବ ୱିକେଟ୍ ରକ୍ଷକ ଋଷବ ପନ୍ତ (୭୮* ରନ୍, ୨୭ ବଲ୍, ୭ ଚୌକା, ୭ ଛକା) ପ୍ରମୁଖ ଭୂମିକା ତୁଲାଇଛନ୍ତି। ତାଙ୍କ ବିସ୍ଫୋରକ ବ୍ୟାଟିଂ ହିଁ ଦିଲ୍ଲୀକୁ ବିଜୟୀ କରିଛି। ପନ୍ତଙ୍କ ପରାକ୍ରମ ବଳରେ ଦିଲ୍ଲୀ ରବିବାର ୨୧୪ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାର ଜବାବରେ ଯୁବରାଜ ସିଂହ (୫୩ ରନ୍, ୩୫ ବଲ୍, ୫ ଚୌକା, ୩ ଛକା)ଙ୍କ ଲଢ଼ୁଆ ଅର୍ଧଶତକ ସତ୍ତ୍ବେ ମୁମ୍ବାଇ ୧୯.୨ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୭୬ ରନ୍ କରି ପାରିଥିଲା। ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଆହତ ହୋଇ ବ୍ୟାଟିଂ ପାଇଁ ଆସିନଥିଲେ। ଫଳରେ ମୁମ୍ବାଇ ପାଳି ସେହିଠାରେ ଶେଷ ହୋଇଯାଇଥିଲା। ଅଧିନାୟକ ରୋହିତ ଶର୍ମା (୧୪)ଙ୍କ ସମେତ କ୍ବିଣ୍ଟନ୍ ଡି’ କକ୍ (୨୭), କିରଣ ପୋଲାର୍ଡ (୨୧), କ୍ରୁନାଲ ପାଣ୍ଡ୍ୟା (୩୨) ବଢ଼ି ବଢ଼ି ଚାଲିଥିବା ରନ୍ ହାର ଚାପରେ ମୁଣ୍ଡ ନୁଆଁଇ ଦୁର୍ବଳ ସଟ୍ ଖେଳିବା ସହ ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥି‌ଲେ।

ମୁମ୍ବାଇ ଆଜି ଟସ୍ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପୃଥ୍ବୀ ସ’ (୭)ଙ୍କୁ ଦ୍ବିତୀୟ ଓଭରରେ ଆଉଟ୍ କରି ମିଚେଲ ମ୍ୟାକ୍ଲିନାଘନ (୪-୦-୪୦-୩) ମୁମ୍ବାଇକୁ ପ୍ରଥମ ସଫଳତା ଉପହାର ଦେଇଥିଲେ। ଏହା ପରେ ଦିଲ୍ଲୀ ଅଧିନାୟକ ଶ୍ରେୟସ୍ ଆୟର (୧୬) ଓ ଶିଖର ଧାୱନ (୪୩) ପାଳି ସଜାଡ଼ିବା ଆରମ୍ଭ କରିଥିଲେ। ହେଲେ ଶ୍ରେୟସ୍ ବିପଜ୍ଜନକ ହେବା ପୂର୍ବରୁ ମ୍ୟାକ୍ଲିନାଘନ ତାଙ୍କୁ ନିଜ ଦ୍ବିତୀୟ ଶିକାର କରି ନେଇଥିଲେ। ଚାରି ନମ୍ବରରେ ଖେଳିଥିବା ଦକ୍ଷିଣ ଆଫ୍ରିକୀୟ କଲିନ୍ ଇଙ୍ଗ୍ରାମ (୪୭) ଦାୟିତ୍ବପୂର୍ଣ୍ଣ ଓ ଦ୍ରୁତ ବ୍ୟାଟିଂ କରିଥିଲେ। ସେ ଓ ଧାୱନ୍‌ ତୃତୀୟ ୱିକେଟ୍‌ରେ ୮୩ ରନ୍ ଯୋଡ଼ିଥିଲେ। ଉଭୟ କିନ୍ତୁ ଅର୍ଧଶତକ ଅର୍ଜନ କରିବା‌ ପୂର୍ବରୁ ପ୍ୟାଭିଲିୟନ ଫେରି ଯାଇଥିଲେ। କେମୋ ପଲ୍ (୩) ଓ ଅକ୍ଷର ପଟେଲ (୪) ନିରାଶ କରିଥିଲେ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପନ୍ତ କିନ୍ତୁ ଏଥିପାଇଁ ହୋଇଥିବା କ୍ଷତିକୁ ସହଜରେ ଭରି ଦେଇଥିଲେ। ୨୭ ବଲ୍‌ରୁ ୨୮୮.୮୮ ଷ୍ଟ୍ରାଇକ୍ ରେଟ୍‌ରେ ସେ କରିଥିବା ୭୮ ରନ୍ ମଧ୍ୟ ରବିବାରର ଦ୍ରୁତତମ ପାଳି ହୋଇଥିଲା। ତାଙ୍କ ବିସ୍ଫୋରକ ରୂପ ପାଇଁ ଶେଷ ୬ ଓଭରରୁ ଦିଲ୍ଲୀ ୯୯ ରନ୍ ଯୋଡ଼ିଥିଲା। ୯* ରନ୍‌ର ଛୋଟିଆ ପାଳି ଖେଳିଥିବା ରାହୁଲ ତିୱାତିଆ ବୁମରାଙ୍କ ଅଫ୍ ଷ୍ଟମ୍ପ ବାହାରେ ଥିବା ବଲ୍‌କୁ ଆଣ୍ଠୁମାଡି ମିଡ୍ ୱିକେଟ୍ ଉପରେ ଛକା ମାରିବାକୁ ଦର୍ଶକ ମନଭରି ଉପଭୋଗ କରିଥିଲେ। ଏହି ସଟ୍ ମୁମ୍ବାଇ ଅଧିନାୟକ ରୋହିତ ଶର୍ମାଙ୍କୁ ବି ବିସ୍ମିତ କରି ଦେଇଥିଲା। ଆଇପିଏଲ୍-୧୨ର ଦ୍ବିତୀୟ ଦିନରେ ହିଁ ଦିଲ୍ଲୀ ଦଳଗତ ଦ୍ବିଶତକ ହାସଲ କରି ନେଇଥିଲା।

ସଂକ୍ଷିପ୍ତ ସ୍କୋର: ଦିଲ୍ଲୀ କ୍ୟାପିଟାଲ୍ସ- ୨୦ ଓଭରରେ ୨୧୩/୬ (ଋଷବ ପନ୍ତ ୭୮*, କଲିନ୍ ଇଙ୍ଗ୍ରାମ ୪୭, ଶିଖର ଧାୱନ ୪୩, ମିଚେଲ ମ୍ୟାକ୍ଲିନାଘନ ୩/୪୦)। ମୁମ୍ବାଇ ଇଣ୍ଡିଆନ୍ସ ୧୯.୨ ଓଭରରେ ୧୭୬ (ଯୁବରାଜ ସିଂହ ୫୩, କ୍ରୁନାଲ ପାଣ୍ଡ୍ୟା ୩୨, କ୍ବିଣ୍ଟନ୍ ଡି’ କକ୍ ୨୭, କିରଣ ପୋଲାର୍ଡ ୨୧, ଯସପ୍ରିତ ବୁମ୍‌ରା କାଗିସୋ ରବାଦା ୨/୨୩, ଈଶାନ୍ତ ଶର୍ମା ୨/୩୪)।

ସମ୍ବନ୍ଧିତ ଖବର